• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସମୟ ବଦଳିଛି ହେଲେ ଚିନ୍ତାଧାରା ବଦଳିନି । ଗାଁ ଗାଁରେ ବସୁଛି କଙ୍ଗାରୁ କୋର୍ଟ । ନିଆଁ, ପାଣି ବନ୍ଦ ପାଇଁ ହେଉଛି ନିର୍ଦ୍ଦେଶ । ଗାଁର ୱାର୍ଡ ମେମ୍ବର ରୀନା ପଣ୍ଡା ଗାଁ ସ୍କୁଲର ଶିକ୍ଷକ ମହାଦେବ ଦୀପଙ୍କୁ କହୁଛନ୍ତି, ଆପଣଙ୍କୁ ଗାଁରେ କିଣାବିକା, କଥାବାର୍ତ୍ତା ସବୁକିଛି ବନ୍ଦ ହୋଇଛି । ଆପଣଙ୍କୁ ବଦଳି କରିବା ପାଇଁ ଗାଁ ଲୋକେ ଚାହୁଁଛନ୍ତି । ଆପଣଙ୍କର ଆଉ ଦୁଇବର୍ଷ ଚାକିରି ଅଛି, ଯଦି ଗାଁ ଲୋକ ଚାହୁଁନାହାନ୍ତି...ବଦଳି ଗଲେ ଅସୁବିଧା କଣ..?

ଗାଁରେ ସଭା କଲେ, ଆଉ ଶିକ୍ଷକଙ୍କ ଉପରେ ନିଆଯାଇଥିବା ନିର୍ଦ୍ଦେଶ ଉପରେ ରୋକ୍‌ଠୋକ୍‌ କହିଦେଲେ। ପରେ ଲାଗୁ ହୋଇଥିଲା କଙ୍ଗାରୁ କୋର୍ଟର ଫରମାନ । ଶିକ୍ଷକ ଦୀପଙ୍କୁ ନିଆଁପାଣି ସବୁ ବନ୍ଦ କରିଦିଆଯାଇଥିଲା । ଏପରିକି କଥାବାର୍ତ୍ତା ବି ବନ୍ଦ । କୌଣସି ବ୍ୟକ୍ତି କଥା ହେଲେ ଦଶ ହଜାର ଓ ଦୋକାନରୁ ଜିନିଷ ଦେଲେ ୧୫ ହଜାର ଟଙ୍କା ଜରିମାନା ଦେବା ପାଇଁ ଗାଁ କମିଟି ନେଇଥିଲା ନିଷ୍ପତ୍ତି।

ଦୀପ୍‌ଙ୍କ ଉପରେ କଟକଣା ଲାଗୁ ହୋଇଥିବା କାରଣରୁ ତାଙ୍କ ଜମିକୁ ବି ଗଲେନି ଶ୍ରମିକ । ଆଉ ଠିକ୍‌ ସମୟରେ ବିଲରେ କାମ ନହେବାରୁ ଚାଷ ଛାରଖାର ହୋଇଗଲା । ଖାଲି ଏତିକି ନୁହେଁ ବରଂ ଗାଁର ଜଣେ ମହିଳା ଦୀପ୍‌ଙ୍କ ପରିବାର ସହ କଥାବାର୍ତ୍ତା ହେବାରୁ ଗାଁ କମିଟି ତାଙ୍କ ଉପରେ ବି ୧୦ ହଜାର ଟଙ୍କାର ଜୋରିମାନା ଲାଗୁ କଲା । ହେଲେ ସେତିକି ଟଙ୍କା ଜୋରିମାନା ନଦେଇପାରିବାରୁ ତାଙ୍କୁ ବି ସାମାଜିକ ବାସନ୍ଦ କରିଛି ଗାଁ କମିଟି।

 

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାମାଜିକ ବାସନ୍ଦର ଶିକାର ହେବା ପରେ ଏନେଇ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ ଦୀପ୍‌ । ତେବେ ଗାଁରେ ସବୁକିଛି ବନ୍ଦ ଥିବାରୁ ଆତ୍ମହତ୍ୟା ପରି ପରସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ଶିକ୍ଷକ ଜଣକ । ହେଲେ ସାମାଜିକ ବାସନ୍ଦର ଶିକାର ହୋଇଥିବା ଅନ୍ୟ ଜଣେ ମହିଳା ରୋକଠୋକ୍‌ କହିଛନ୍ତି ଯାହା ବି ହେଉ, ଜୋରିମାନା ଦେବି ନାହିଁ ।

ମିଳିଥିବା ସୂଚନା ଅନୁସାରେ, ସ୍କୁଲ ପରିଚାଳନା ବୈଠକୁ ନେଇ ଗାଁ ଲୋକ ଓ ଶିକ୍ଷକଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଥିଲା। ଯାହା ପରବର୍ତ୍ତୀ ସମୟରେ ସାମାଜିକ ବାସନ୍ଦର ରୂପ ନେଇଛି। ଏମିତିକି ଶିକ୍ଷକଙ୍କ ବିରୋଧରେ ଗାଁ କମିଟି ବି.ଇ.ଓ, ଡି.ଇଓଙ୍କ ପାଖରେ ଅଭିଯୋଗ କରିଥିଲେ ।

ଏତିକିରେ ମନ ମାନିନଥିଲା ଯେ ସ୍କୁଲ ପିଲାଙ୍କୁ ନେଇ ଆନ୍ଦୋଳନ ବି କଲେ । ସେପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ତଦନ୍ତ କରି ସାରିଛନ୍ତି । ଡିଇଓ ବି ପ୍ରତିକ୍ରିୟା ରଖିଛନ୍ତି ହେଲେ ପୋଲିସ କହୁଛି ଆମେ କିଛି ଜାଣିନୁ। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଜୋରଦାର ଚାଲିଛି ଚର୍ଚ୍ଚା ।