• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସମ୍ପତ୍ତି ବିବାଦ ହେଉ କି ଇର୍ଷା କିମ୍ବା ଅସହିଷ୍ଣୁତା । କ୍ଷଣିକ ଆକ୍ରୋଶର ବଶବର୍ତ୍ତୀ ହୋଇ ହଠାତ୍ ହିତାହିତ ଜ୍ଞାନ ହରାଇ ବସୁଛି ମଣିଷ । ବର୍ଷ ବର୍ଷ ଓ ଜନ୍ମ ଜନ୍ମର ରକ୍ତ ସମ୍ପର୍କକୁ ଭୁଲି ନିଜ ଲୋକଙ୍କ ପ୍ରତି ରକ୍ତପାତ ଘଟାଇବାକୁ ପଛାଉନି । ଶିକ୍ଷିତ ଓ ସଭ୍ୟ ସମାଜରେ ଏକଥା ଆଦୌ ଗ୍ରହଣୀୟ ନହେଲେ ବି ଗଲା କିଛି ଦିନ ଭିତରେ ରାଜ୍ୟରେ ଲଗାତାର ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିଛି ।

କଟକ ମାହାଙ୍ଗାରେ ସମ୍ପତ୍ତି ପାଇଁ ସାନ ଭାଇର ସୀମାପାର ନୃଶଂସତା । କ୍ଷଣିକ ଆକ୍ରୋଶରେ ପାଞ୍ଚ ପାଞ୍ଚ ଜଣଙ୍କୁ ହତ୍ୟା କରି ବଡ଼ ଭାଇର ପୁରା ପରିବାରକୁ ନିଶ୍ଚିହ୍ନ କରିଦେଲା ସାନ ଭାଇ । ବାଲେଶ୍ୱର ରେମୁଣାରେ ନିଜ ପାପ ଲୁଚାଇବାକୁ ଟାଙ୍ଗିଆରେ ହାଣି ଶ୍ୱଶୁରଙ୍କୁ ରାସ୍ତାରୁ ହଟାଇକୁ ପଛାଇଲାନି ବୋହୁ । ଆଉ କନ୍ଧମାଳ ରାଇକିଆରେ ଦୁଷ୍ଟାମି ପାଇଁ ଆକଟ କରିବାରୁ ପୁତୁରାର ଶିକାର ପାଲଟିଗଲେ ବଡ଼ବାପା ।

ଗଲା କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଏଭଳି ପାରିବାରିକ ହିଂସା, ରକ୍ତପାତ ଓ ପ୍ରତିହିଂସାପରାୟଣର ଏକାଧିକ ଘଟଣା । ତେଣୁ ଏଠାରେ ପ୍ରଶ୍ନ ଉଠୁଛି, ପରିବାରରେ ପରସ୍ପର ପ୍ରତି ସ୍ନେହ, ପ୍ରେମ ଓ ଶାନ୍ତି-ସଦଭାବନା ବଦଳରେ କାହିଁକି ବଢୁଛି ଘୃଣା, ପ୍ରତିଶୋଧ ପରାୟଣତା ? ଏ ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ମତରେ ଅଧିକାଂଶ ସ୍ଥାନରେ ପରିବାର ଭିତରେ ଘଟୁଥିବା ନିଷ୍ଠୁର କାଣ୍ଡ ପଛରେ ସମ୍ପତ୍ତି ବିବାଦ ହିଁ ଦାୟୀ । ତେବେ ଆମ ଆଇନ ବ୍ୟବସ୍ଥାରେ ବିବାଦର ସମାଧାନ ଓ ନ୍ୟାୟ ପାଇବାରେ ଅହେତୁକ ବିଳମ୍ବ ପାଇଁ କିଛି ଲୋକ ଆଇନକୁ ହାତକୁ ନେବାକୁ ପଛାଉ ନାହାନ୍ତି ।

ଏଣେ ବର୍ତ୍ତମାନର ପାର୍ଥିବ ଦୁନିଆ ଓ ବ୍ୟସ୍ତବହୁଳ ଜୀବନ ଭିତରେ ପରିବାରରେ ଆଧ୍ୟତ୍ମିକ ଚିନ୍ତନର ଅଭାବ ହିଁ କିଛି ମାତ୍ରାରେ ପାରିବାରିକ ହିଂସାକୁ ପ୍ରୋତ୍ସାହନ ଦେଉଥିବା ମତ ଦେଇଛନ୍ତି ସମାଜ ସଂସ୍କାରକ । ସେମାନଙ୍କ ମତରେ ସମ୍ପତ୍ତି ପାଇଁ ବେଳେ ବେଳେ ଭାବପ୍ରବଣତାରେ ଜଘନ୍ୟ ଅପରାଧ କରି ବସୁଛନ୍ତି ଆତ୍ମୀୟ ଓ ରକ୍ତ ସମ୍ପର୍କୀୟ । କିନ୍ତୁ ଅପରାଧ ଘଟଇବା ପୂର୍ବରୁ ଯଦି, ଜଣେ ତା ପରିଣତି ଓ ପର ସ୍ଥିତି କଥା ଚିନ୍ତା କରନ୍ତା, ତାହେଲେ ଏଭଳି ଅପରାଧ ପ୍ରବଣତାରୁ ନିଶ୍ଚୟ ଦୂରେଇ ରୁହନ୍ତା ।