• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଯେତେ ସଜାଗ, ସଚେତନତା ଓ କାର୍ଯ୍ୟାନୁଷ୍ଠାନ ପରେ ବି ରାଜ୍ୟରେ ଥମୁନି ବନ୍ୟପ୍ରାଣୀ ଚୋରା କାରବାର । ବାଘ, ହାତୀ, ହରିଣ ଏବଂ ବଜ୍ରକାପ୍ତା ଭଳି ବନ୍ୟଜନ୍ତୁଙ୍କୁ ଶିକାର କରି ଲୁଟି ନେଉଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ରାକେଟ୍ । ଅନ୍ତର୍ଜାତୀୟ ବଜାରରେ ସେମାନେ ଏସବୁକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା କମାଉଥିବା ବେଳେ ଏପଟେ କାଁ ଭାଁ ଘଟଣାରେ ଧରା ପଡି ସଜା ଭୋଗୁଛନ୍ତି । ଛୋଟ କାଟିଆ ଅଭିଯୁକ୍ତ ଗଲା କିଛି ଦିନ ଭିତରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିଛି ।

ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ବଲାଙ୍ଗିର ରାଜ୍ୟର ଯେଉଁ ଅଞ୍ଚଳ ଦେଖିବେ, ସବୁଠି ସକ୍ରିୟ ବନ୍ୟଜନ୍ତୁ ଶିକାରୀ । କେଉଁଠି ଚମଡ଼ା ଓ ନଖ ପାଇଁ ବାଘ ତ, କେଉଁଠି ଶିଙ୍ଗ ପାଇଁ ହରିଣ । ସେହିଭଳି ପୁରା ଜୀବନ୍ତ ଚାଲାଣ ପାଇଁ ପ୍ରସ୍ତୁତ ବଜ୍ରକାପ୍ତା ଏଇ ସପ୍ତାହ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହୋଇଛି ।ମୟୁରଭଞ୍ଜର କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳର ୨ ଦିନ ତଳେ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଓ କେନ୍ଦୁଝର ଏବଂ କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଚଢାଉ କରାଯାଇ ଜବତ ହୋଇଛି । କଲରା ପତରିଆ ବାଘର ଏ ଚମଡ଼ା ଏ ଘଟଣାରେ ପ୍ରଥମେ ୨ ଜଣଙ୍କୁ ଗିରଫ ପରେ ସେମାନଙ୍କଠୁ ସୂଚନା ପାଇ ଆଉ ୫ ଜଣଙ୍କୁ ବାନ୍ଧିଛି ବନ ବିଭାଗ ।

ଦେବଗଡ଼ କୁଣ୍ଢେଇଗୋଳା ଖଣ୍ଡାଧୁଆ ନିକଟରେ ବିକ୍ରି ପାଇଁ ଡିଲ୍ ପୂର୍ବରୁ ଧରାପଡ଼ିଥିବା ବାଘ ଛାଲ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରଛି । ଏଠାରେ ଶିକାରୀମାନେ କରେଣ୍ଟ ଦେଇ ବାଘକୁ ହତ୍ୟା କରିଥିବା ଜାଣିବାକୁ ପାଇଛି ବନ ବିଭାଗ ।

ସେହିଭଳି ବହୁ ନିରୀହ ହରିଣଙ୍କ ଶିକାର ପରେ ବିକ୍ରି ପାଇଁ ସାଇତି ରଖାଯାଇଥିବା ଏସବୁ ଶିଙ୍ଗ ଜବତ ହୋଇଛି । ସମ୍ବଲପୁରରୁ ଚୋରା ବ୍ୟବସାୟୀ ଚାଲାକି କରି ଏକ ସିଟି ବସ୍‌ରେ ସିଙ୍ଗ ଚାଲାଣ କରୁଥିବା ଖବର ପାଇ ସମ୍ବଲପୁର ଠେଲକୁଲି ପୋଲିସ ଜବତ କରିଛି ୧୧ଟି ଶିଙ୍ଗ । ଏ ମାମଲାରେ ଜଣକୁ ଗିରଫ କରାଯାଇଥିଲେ ବି ରାକେଟ୍‌ର ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରିନି ପୋଲିସ ।

ସେପଟେ ରାଜ୍ୟ ବନ ବିଭାଗ, ପୋଲିସ ଓ ଏସ୍ଟିଏଫର ସତ ଚେଷ୍ଟା ସତ୍ତ୍ୱେ ଆଜି ବି ବିପନ୍ନ ବିରଳ ବଜ୍ରକାପ୍ତାର ଜୀବନ । ଚୋରା ଚାଲାଣ ପୂର୍ବରୁ ଗତକାଲି ବଲାଙ୍ଗିରରୁ ଉଦ୍ଧାର ହୋଇଛି ସାଢେ ୧୧ କିଲୋ ଓଜନର ଏ ବଜ୍ରକାପ୍ତା । ଏ ଘଟଣାରେ ବନ ବିଭାଗ ୨ ଜଣଙ୍କୁ ଗରିଫ କରିଥିଲେ ବି ଚାଲାଣ ପଛରେ ବଡ଼ ରାକେଟ୍ କାମ କରୁଥିବା ସୂଚନା ମିଳିଛି । ସେପେଟ ଏସଟିଏଫର ତଥ୍ୟ ଅନୁସାରେ ୨୦୨୧ରୁ ଏଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୬ ଚିତାବାଘ ଚମଡ଼ା, ୧୫ ହାତୀ ଦାନ୍ତ, ୭ଟି ହରିଣ ଚମଡ଼ା, ୧୨ଟି ଜୀବନ୍ତ ବଜ୍ରକାପ୍ତା ଏବଂ ୪୬ ଶୁଆ ଉଦ୍ଧାର ହୋଇଛନ୍ତି । ଏସବୁ ମାମଲାରେ ମୋଟ ୬୩ ବନ୍ୟପ୍ରାଣୀ ଅପରାଧୀ ଗିରଫ ହୋଇଛନ୍ତି ।

ରାଜ୍ୟର ଦୈନିକ କେଉଁଠି ନା କେଉଁଠି ବନ୍ୟପ୍ରାଣୀ ଚୋରା କାରାବାରର ସୁରାକ୍ ମିଳୁଥିବା ବେଳେ ଧରାପଡ଼ୁଥିବା ଘଟଣାର ସଂଖ୍ୟା ନଗଣ୍ୟ । ତେଣୁ ଏହା ଦର୍ଶାଉଛି, ଯେ ବନ ବିଭାଗ ଯେତେ ସଜାଗ ହେଲେ ବି ବିରଳ ଜୀବଜନ୍ତୁଙ୍କ ହତ୍ୟା ଓ ଚୋରା କାରବାର ଉପରେ ଆଦୌ ରୋକ୍ ଲଗାଯାଇ ପାରିନି ।