• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଡିଜିଟାଲ୍ ଆପ୍‌ରେ ଲୋନ୍ ଅଫର ଆସୁଥିଲେ ସାବଧାନ । ଋଣ ଦେବ ଜଣେ, ଧମକାଇ ଆଦାୟ କରିବ ଆଉ ଜଣେ । ବେଆଇନ୍ ଡିଜିଟାଲ ଲୋନ ଆପ୍ ଜରିଆରେ ଲୋକଙ୍କୁ ଟଙ୍କା ଦେଇ ପରେ ଲୁଟୁଥିବା ଗ୍ୟାଙ୍ଗର ଗୁମର ଖୋଲୁଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଉତ୍ତରପ୍ରଦେଶ ଗାଜିଆବାଦରୁ IWT ଇଣ୍ଡିଆ ନାମକ ଏକ ସଂସ୍ଥାର ମୁଖ୍ୟ ମହମ୍ମଦ ଜାଭେଦ ସୟେଫ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ରିମାଣ୍ଡ ନେଇଛି । ଅର୍ଥନୈତିକ ଅପରାଧ ଶାଖା ତା ସଂସ୍ଥାର ଆକାଉଣ୍ଟରେ କୋଟି କୋଟିର ଟ୍ରାନଜାକସନ ହୋଇଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ।

ବେଆଇନ ଲୋନ ଆପକୁ ସାବଧାନ । ନା ଆରବିଆଇ, ନା ଏନବିଏଫସି ପଞ୍ଜିକୃତ, ହେଲେ ବେଆଇନ ଲୋନ ଆପ୍ ନାଁରେ ଲୋନ୍ କାରାବର ହେଉଛି । ପ୍ରଥମେ ଲୋନ୍ ଥୋପ ଦେବେ, ଆଉ ତାପରେ ଗ୍ରାହକଙ୍କୁ ଚଢା ସୁଧ ଦେବା ନାଁରେ ହଇରାଣ ହରକତ କରିବେ । ବେଆଇନ ଲୋନ ଆପ୍ କୋକୋ ଏବଂ ଜୋଜୋ ଭଳି ସଂସ୍ଥା ବିରୋଧରେ ଆରବିଆଇ ଏବଂ ଗ୍ରାହକଙ୍କ ଅଭିଯୋଗ ପରେ ଶେଷରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପଦକ୍ଷେପ ନେଇଛି ।

ବେଆଇନ ଲୋନ ଆପ୍ ସହ ଲିଙ୍କରେ ଥିବା IWT ଇଣ୍ଡିଆ ସଂସ୍ଥାର ମୁଖ୍ୟ ମହମ୍ମଦ ଜାଭେଦ ସୟେଫ୍‌କୁ ଗାଜିଆବାଦରୁ ଗିରଫ କରିଛି ଇଓଡବ୍ଲୁ । ଗାଜିଆବାଦରୁ ଟ୍ରାନଜିଟ୍ ରିମାଣ୍ଡରେ ଆଣୁଛି ଇଓଡବ୍ଲୁ । ଏହା ପରେ ରିମାଣ୍ଡରେ ଆଣି ଲୋନ ଆପର ଗୁମର ଖୋଲିବାକୁ ଯୋଜନା କରିଛି ଇଓଡବ୍ଲୁ । ଆଉ ଗାଜିବାଦର ମହମ୍ମଦ ଜାଭେଦଙ୍କ ନାଁରେ ଥିବା I WT ଇଣ୍ଡିଆ ସଂସ୍ଥା ଆକାଉଣ୍ଟ ମାଧ୍ୟମରେ ଆଦାୟ ହେଉଥିଲା । କୋକୋ ଏବଂ ଜୋଜୋ ଲୋନ ଆପ୍‌କୁ ଦେଢ ଲକ୍ଷ ଲୋକ ଡାଉନ ଲୋଡ କରି ଥିବା ବେଳେ ଓଡିଶାରୁ ସଂଖ୍ୟା ଅଧିକ ବୋଲି ଇଓଡବ୍ଲୁ କହିଛି ।

 

ଏହି ବେଆଇନ ଆପ୍ ଥରେ ଡାଉନ ଲୋଡ କଲେ, ଲିଙ୍କ୍ ମାଧ୍ୟମରେ ଗ୍ରାହକ ପାଖକୁ କିମ୍ବା ଯୁପିଆଇ ଆକାଉଣ୍ଟକୁ ୩ହଜାରରୁ ୫ହଜାର ଟଙ୍କା ଆସିଥାଏ । ଟଙ୍କା ପାଇବାର ୭ଦିନ ପରେ ଚଢା ସୁଧ ହାରରେ ଫେରାଇବା ଲାଗି ଗ୍ରାହକଙ୍କୁ କୁହାଯାଇଥାଏ । ଗ୍ରାହକ ଜଣଙ୍କ ଚଢା ସୁଧରେ ଟଙ୍କା ଫେରସ୍ତ କରିବାକୁ ମନା କଲେ ହଇରାଣ କରାଯାଏ । ଅଶ୍ଲୀଳ ମେସଜ ସହ ଫଟୋ ଗ୍ରାହକଙ୍କ କଣ୍ଟା ଲିଷ୍ଟରେ ଥିବା ଲୋକଙ୍କୁ ପଠାଇ ଭୟ ଦେଖାନ୍ତି ।

ତେବେ ପଡୋଶୀ ରାଜ୍ୟ ମାନଙ୍କରେ ଏପରି ଲୋନ୍ ଆପର ଶିକାର ହୋଇ ଅନେକ ଲୋକ ଲଜ୍ଜାରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଥିବା ଅଭିଯୋଗ ହେଉଛି । ପ୍ରଶ୍ନ ଉଠୁଛି, ଏ ଲୋନ୍ ଆପ୍ କେଉଁଠାରୁ ଅପରେଟ କରାଯାଉଛି । ଅଭିଯୁକ୍ତ ମହମ୍ମଦର କଣ ରହିଛି ଭୂମିକା । ଟ୍ରାନଜକସନ୍ ବାବଦରେ କେମିତି ନେଉଥିଲା ଟଙ୍କା ? ଏସବୁ ପ୍ରଶ୍ନ ଏବେ ଉଙ୍କି ମାରିଛି ।

ବେଆଇନ ଲୋନ ଆପ୍‌ କୋକୋ ଏବଂ ଜୋଜୋର ଖୋଳତାଡ ବେଳେ ମହାଗ୍ରାମ ପ୍ରାଇଭେଟ ଲିମିଟେଡ ସଂସ୍ଥାର ସାଢେ ୬ କୋଟି ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ । ଆଗକୁ ଏହି ଲିଙ୍କରେ କିଏ ଧରାପଡିବେ ତାହା ଦେଖିବାର ରହିଲା ।

ରିପୋର୍ଟର- ଆଲୋକ ମହାନ୍ତି