• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଟକରେ ଥମୁନି ଭେଜାଲ ସାମଗ୍ରୀ କାରବାର । ଏତେ ନକଲି ସାମଗ୍ରୀ କାରବାର ଧରାପଡ଼ୁଛି ଯେ, ପୁରା ପୋଖତ ଲୋକ ବି ଧୋକା ଖାଇଯିବ, କେଉଁଟା ଅସଲି କେଉଁଟା ନକଲି । ଆଗରୁ ଭେଜାଲ୍ ମସଲା, ଘିଅ, ତେଲ ପରି ଖାଦ୍ୟସାମଗ୍ରୀର କାରବାର ଧରାପଡ଼ିଥବା ବେଳେ ଏବେ ସାମ୍ନାକୁ ଆସିଛି ନକଲି ଡିଟରଜେଣ୍ଟ କାରବାର ।

ନାମୀ ଦାମୀ ପ୍ରତିଷ୍ଠିତ କମ୍ପାନିର ଲେବଲ୍, ପ୍ୟାକେଜିଂକୁ ନକଲ କରି ସେଥିରେ ନକଲି ଓ ନିମ୍ନମାନର ଡିଟରଜେଣ୍ଟ ପାଉଡର ଭର୍ତ୍ତି କରି ବିକ୍ରି କରାଯାଉଥିଲା । ଏଥିରେ କପଡ଼ା ଠିକ୍‌ରେ ସଫା ତ ହେବ ନାହିଁ, ବରଂ ଖରାପ ହେବ । ଏପରିକି ସ୍ୱାସ୍ଥ୍ୟ ଉପରେ ବି କୁପ୍ରଭାବ ପଡ଼ିବାର ଆଶଙ୍କା ଅଛି । ପୋଲିସ ୩୩ କ୍ୱିଣ୍ଟାଲ ଏପରି ନକଲି ଡିଟରଜେଣ୍ଟ ଜବତ କରିଥିବା ବେଳେ କେଉଁଠି ଏହାକୁ ବିକ୍ରି କରାଯାଉଥିଲା, ତାର ଖୋଳତାଡ଼ କରୁଛି ।

ପ୍ୟାକେଟ ଲାଗୁଛି ଅସଲି, ହେଲେ ଏହା ଭିତରେ ଥିବା ଡିଟରଡେଣ୍ଟ ପୁରା ନକଲି । ପ୍ୟାକେଜିଂ ବି ଏମିତି କରାହୋଇଛି ଯେ, କୋଉଟା ଅସଲି, କୋଉଟା ନକଲି ଜାଣିବା ମୁସକିଲ୍‌ । କଟକ ମାଲଗୋଦାମ ଅଞ୍ଚଳରେ ଏପରି ନକଲି ଡିଟରଜେଣ୍ଟ କାରବାରର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । କମ୍ପାନିର ପ୍ୟାକେଜିଂକୁ ନକଲ କରି ସେଥିରେ ଭର୍ତ୍ତି କରାଯାଉଥିଲା ଭେଜାଲ୍ ସାମଗ୍ରୀ । ତାକୁ ବିକ୍ରି କରାଯାଉଥିଲା ପୁରା ଅସଲି ଦାମ୍‌ରେ ।

ଗତ ୧୭ ତାରିଖରେ ଏହାର ସୁରାଗ ପାଇଥିଲା ପୋଲିସ । ଜଣେ ବ୍ୟକ୍ତି ଡିଟରଜେଣ୍ଟ କମ୍ପାନି ସର୍ଫ ଏକ୍ସସେଲ୍‌ର ପ୍ୟାକେଜିଂ ସାମଗ୍ରୀ ଧରି ଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିଲା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଜଣାପଡ଼ିଥିଲା ନକଲି ଡିଟରଜେଣ୍ଟ କାରବାର । ଟାଙ୍ଗୀ ଅଞ୍ଚଳର ବ୍ରାହ୍ମଣପଡ଼ା, ସଦର ଥାନାର ଖଣ୍ଡେଇତା ଓ ମାହାଙ୍ଗା ଅଞ୍ଚଳରେ ଚଢ଼ାଉ କରି ପୋଲିସ ୩୩ କ୍ୱିଣ୍ଟାଲ ନକଲି ଡିଟରଜେଣ୍ଟ, ମେସିନ, ପ୍ୟାକେଜିଂ ସାମଗ୍ରୀ ଓ ୨ଟି ଗାଡ଼ି ଜବତ କରିଛି । ମୁଖ୍ୟ ଅଭିଯୁକ୍ତ ଅଭିଜିତ ବେହେରା ଗିରଫ ହୋଇଥିବା ବେଳେ ତାର ଆଉ ୨ ସହଯୋଗୀ ଫେରାର ଅଛନ୍ତି ।

ଅଭିଯୁକ୍ତ ପ୍ରଥମେ କିଛି ନାମୀ କମ୍ପାନିର ୱାସିଂ ପାଉଡର କିଣି ସେଥିରେ ଲୁଗା ସଫା କରିବାର ସୋଡ଼ା, କିଛି ରାୟାସନିକ ପଦାର୍ଥ ଓ ଖରାପ ହୋଇଯାଇଥିବା ଡିଟରଜେଣ୍ଟ ପାଉଡର ମିଶାଉଥିଲା । ତାପରେ କମ୍ପାନିର ଲେବଲକୁ ନକଲ କରି ପ୍ୟାକେଜିଂ ସାମଗ୍ରୀ ତିଆରି କରୁଥିଲା । ସେଥିରେ ଭେଜାଲ୍ ଡିଟରଜେଣ୍ଟ ପାଉଡରକୁ ଭର୍ତ୍ତି କରି ମାର୍କେଟକୁ ଛାଡୁଥିଲା କମ୍ପାନିର ଅସଲି ରେଟ୍‌ରେ । ଏହା ଦ୍ୱାରା ସେ ନିଜେ ତ ମାଲେମାଲ ହେଉଥିଲା, କିନ୍ତୁ ଲୋକେ ପାଉଥିଲେ ନିମ୍ନମାନର ଡିଟରଜେଣ୍ଟ । ତେବେ ଅସଲି ଓ ନକଲି ଡିଟରଜେଣ୍ଟ କିପରି ଚିହ୍ନିବେ, ତାର ଉପାୟ ବତାଇ ଦେଇଛନ୍ତି କମ୍ପାନିର କର୍ମଚାରୀ ।

କଟକରେ ଆଗରୁ ନକଲି ଘିଅ, ତେଲ, ମସଲା ଏପରିକି ନକଲି ସିମେଣ୍ଟ କାରଖାନା ବି ଠାବ ହୋଇଥିଲା । ପୋଲିସ ଅନେକ ଥର ରେଡ୍ କରି ଏପରି ଭେଜାଲ୍ ୟୁନିଟ ବନ୍ଦ କରିଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ବି ଗିରଫ କରିଛି । ତଥାପି ବନ୍ଦ ହୋଇନାହିଁ, ଏପରି ନକଲି କାରବାର । ରିପୋର୍ଟର- ଦେବାଶିଷ ମହାନ୍ତି