• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅତିଥି ଦେବତା ସଙ୍ଗେ ସମାନ । ପର୍ଯ୍ୟଟନ ଶିଳ୍ପରେ ଅତିଥି ବା ପର୍ଯ୍ୟଟକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ହେଲେ ଯଦି ସେହି ଅତିଥିମାନଙ୍କୁ ହତାଦର କରି ମାଡ ମରାଯାଏ ? ଏଭଳି କିଛି ଘଟଣା ଘଟିଛି ରାଜ୍ୟର ଏକମାତ୍ର ବଡ଼ ଚଢିଆଖାନା ନନ୍ଦନକାନନରେ । ଛତିଶଗଡ଼ ରାୟପୁର ଅଞ୍ଚଳର କିଛି ପର୍ଯ୍ୟଟକଙ୍କୁ ବାଘ ସଫାରି ବସ କର୍ମଚାରୀ ମାଡ଼ମାରିବା ସହ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି ।

ଅତୁଲ୍ୟ ଭାରତର ଆତ୍ମା ହେଉଛି ଓଡ଼ିଶା । ପ୍ରତିବର୍ଷ ଓଡ଼ିଶା ପ୍ରତି ଆକୃଷ୍ଟ ହୋଇ ଏଠାକୁ ଆସନ୍ତି ଶହ ଶହ ପର୍ଯ୍ୟଟକ । ହେଲେ ଗତକାଲି ନନ୍ଦନକାନନରେ ଯାହା ଘଟିଲା ତାହା ରାଜ୍ୟ ପାଇଁ ଅପମାନ । ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ହୋଇଛି । ଲୁହା ରଡ଼, କାଠ ଫାଳିଆ ଓ ବାଉଁଶ ବାଡିରେ ପର୍ଯ୍ୟଟକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ନନ୍ଦନକାନନ ବାଘ ସଫାରୀ ବସକର୍ମଚାରୀମାନେ ଏଭଲି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।

କର୍ମଚାରୀଙ୍କ ଆକ୍ରମଣରେ ଲହୁ ଲୁହାଣ ହୋଇଥିଲେ ଛତିଶଗଡ଼ ରାୟପୁର ଅଞ୍ଚଳର ୨୬ ଜଣିଆ ପରିବାର ସଦସ୍ୟ । ଏନେଇ ରାୟପୁର ଅଞ୍ଚଳର ଅମିତେଶ ଗୁପ୍ତା ନନ୍ଦନକାନନ ଥାନା ରେ ଅଭିଯୋଗ କରିଛନ୍ତି । ପ୍ରଥମେ ସଫାରୀ ବସରେ ଯିବାକୁ ନେଇ ବଚସା,ତାପରେ ଉଭୟଙ୍କ ମଧ୍ୟରେ ହତାହତି ହୋଇଥିଲା ।ଏଥିରେ ମହିଳା, ବରିଷ୍ଠ ନାଗରିକ, ଯୁବକମାନେ ସାମିଲ ଅଛନ୍ତି । ତେବେ ପର୍ଯ୍ୟଟକମାନଙ୍କୁ ଆକ୍ରମଣ ଘଟଣାକୁ ସ୍ଥାନୀୟ ଲୋକେ ଏବଂ ଅନ୍ୟ ପର୍ଯ୍ୟଟକମାନେ ନିନ୍ଦା କରିଛନ୍ତି ।

ମାଡ ମାରିଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ସାହୁ, କାହ୍ନୁ ମହାପାତ୍ର, ଏବଂ ଅମନ ପାଟଶାଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନନ୍ଦନକାନନ ପୋଲିସ୍ । ସମସ୍ତେ ଦାରୁଠେଙ୍ଗ ଗାଁର ବୋଲି ଜମାପଡ଼ିଛି । ବାଘ୍ ସଫାରୀ ବସ କର୍ମଚାରୀ ଅଧିକ ତଦନ୍ତ କରାଯାଇ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର DCP ପ୍ରତୀକ ସିଂହ ।

ନନ୍ଦନ କାନନ ଡେପୁଟି ଡାଇରେକ୍ଟର ସଂଜିତ୍ କୁମାର ସିସି ଟିଭି ଫୁଟେଜ ଯାଞ୍ଚ କରି ରିପୋର୍ଟ ଦେବାକୁ ରେଞ୍ଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନହୁଏ, ସେଥିପାଇଁ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା କର୍ମୀ ଏବଂ ସ୍ୱେଛାସେବୀ ମୁତୟନ କରାଯିବ । ସେବା ପ୍ରଦାନକାରି ସଂସ୍ଥା ଗୁଡିକ ଉଚିତ୍ ଲୋକଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ସରିବା ପରେ ରିପୋର୍ଟ ଅନୁସାରେ ସଫାରୀ ବସ୍ ଟେଣ୍ଡର ବାତିଲ କରାଯିବ କି ନାହିଁ, ତା ଉପରେ ନିଷ୍ପତ୍ତି ନିଆଯିବ ।

୩ ଅଭିଯୁକ୍ତଙ୍କୁ ପୁଣିଥରେ ଉଦ୍ୟାନ ଭିତରକୁ ପ୍ରବେଶ କରାଇଦିଆଯିବ ନାହିଁ ବୋଲି ନନ୍ଦନକାନନ ଡେପୁଟି ଡାଇରେକ୍ଟର କହିଛନ୍ତି । ସେପଟେ ପିସିସିଏଫ୍ ୱାଇଲଡ୍ ଏହାକୁ ନିନ୍ଦା କରିବା ସହ ସିସିଫ୍‌ଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗରୁ ବସ୍ ସଫାରୀରେ ଲାଗିଥିବା ଗାଡ଼ିର ଫିଟନେସ୍ ନଥିବା ଏବଂ ଟିକେଟ୍ ବିକ୍ରିରେ ଅନିୟମିତତା ନେଇ ଚର୍ଚ୍ଚାରେ ରହିଆସିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟନରେ ଏଭଳି ଘଟଣା ରାଜ୍ୟ ପର୍ଯ୍ୟଟନକୁ ଅପମାନିତ କରିଛି ।

ରିପୋର୍ଟର- ଆଲୋକ ମହାନ୍ତି ଓ ନିରଞ୍ଜନ ରେଡ୍ଡୀ