• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଫିଟୁଛି କଳା ଟଙ୍କାର ମହାଗୁମର । ଦ୍ୱିତୀୟ ପତ୍ନୀ ଆଉ ଶାଳୀଙ୍କ ପଣତକାନିରେ କେମିତି ଲୁଚାଇ ରଖୁଥିଲେ ପାପ ସମ୍ପତ୍ତି, ସାମ୍ନାକୁ ଆସିଛି ତାର ସାଂଘାତିକ ସତ । ଦିନକ ତଳେ ଦ୍ୱିତୀୟ ପତ୍ନୀ ରହୁଥିବା ଫ୍ଲାଟରୁ ମିଳିଥିଲା ନଗଦ ୨ କୋଟି ୪୧ ହଜାର ଟଙ୍କା । ଆଉ ଆଜି ବସ୍ତିରେ ରହୁଥିବା ଶାଳୀଙ୍କ ଘରୁ ଜବତ ହେଲା ଆହୁରି ୧ କୋଟି ୪୧ ଲକ୍ଷ ଟଙ୍କା । କେବଳ ଏତିକି ନୁହେଁ, ବିପୁଳ ସୁନା ରୂପା ବି ମିଳିଛି ଶାଳୀଙ୍କ ଘରୁ । କାର୍ତ୍ତିକେଶ୍ୱରଙ୍କ କୁଆଡ଼େ ଇଚ୍ଛା ଥିଲା, ରାଜନୀତି କରିବାକୁ, ହେଲେ ସବୁ ସ୍ୱପ୍ନକୁ ଧୂଳିସାତ କରିଦେଇଛି ଭିଜିଲାନ୍ସ ।

କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଗୁପ୍ତଧନର ଭଣ୍ଡାଫୋଡ୍ । ଫିଟିଛି ପାପ ସମ୍ପତ୍ତିର ପେଡ଼ି । ଫ୍ଲାଟରେ ରହୁଥିବା ପତ୍ନୀ ହାତରେ ଥିଲା କଳାଧନର ଠିକଣା । ଝୁମ୍ପୁଡ଼ିରେ ରହୁଥିବା ଶାଳୀ ହାତରେ ବି ଥିଲା ଗୁପ୍ତଧନର ଚାବିକାଠି । ଏ ହେଉଛନ୍ତି ତାଙ୍କର ସେହି ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ । ଆଉ ଏ ହେଉଛନ୍ତି କଳ୍ପନାଙ୍କ ଭଉଣୀ ତଥା କାର୍ତ୍ତିକେଶ୍ୱରଙ୍କ ଶାଳୀ ଉର୍ବଶୀ ପ୍ରଧାନ । ଭୁବନେଶ୍ୱର କଳିଙ୍ଗନଗର ଅଞ୍ଚଳର ଟାଟା ଆରିନାର ଏକ ଫ୍ଲାଟ୍‌ରେ ରହୁଥିଲେ କଳ୍ପନା । ଯାହାଙ୍କ ଘରୁ ଗତ ଗୁରୁବାର ମିଳିଥିଲା ନଗଦ ୨ କୋଟିରୁ ଅଧିକ ଟଙ୍କା । ଆଉ ଆଜି ସାଲିଆସାହି ହାତୀଆଶୁଣି ବସ୍ତିରେ ରହୁଥିବା ଶାଳୀ ଉର୍ବଶୀଙ୍କ ଘରୁ ଠାବ ହୋଇଛି ନଗଦ ୧ କୋଟି ୪୧ ଲକ୍ଷ ଟଙ୍କା । ୩ ଶହ ୫୪ ଗ୍ରାମ୍‌ର ସୁନା, ୧ କେଜିର ରୂପା ଅଳଙ୍କାର ।

କାଲି ରାତି ତମାମ୍ ଏହି ଝୁମ୍ପୁଡ଼ି ଘରେ ଚଢ଼ାଉ କରିବା ସହ ମେସିନ୍ ଲଗାଇ ଟଙ୍କା ଗଣିଛି ଭିଜିଲାନ୍ସ ଟିମ୍ । ଗତ ୬ ତାରିଖରେ ଫ୍ଲାଟ୍‌ରେ ଚଢ଼ାଉ ପରେ ପରେ କାଳେ ଏସବୁ ଟଙ୍କା ଆଉ ସୁନା, ରୂପାକୁ ଭିଜିଲାନସ ପାଇଯିବ, ସେହି ଆଶଙ୍କା କରି ପତ୍ନୀ କଳ୍ପନା ଭଉଣୀ ଉର୍ବଶୀଙ୍କ ଘରକୁ ପଠାଇଦେଇଥିଲେ । ତେବେ କାର୍ତ୍ତିକେଶ୍ୱରଙ୍କୁ ଜେରା ପରେ ଏହାର ସୁରାଗ୍ ପାଇ ଏସବୁକୁ ଭିଜିଲାନ୍ସ ସିଜ୍ କରିବା ସହ କଳ୍ପନାଙ୍କୁ ବି ଗିରଫ କରିଛି ।

କାର୍ତ୍ତିକେଶ୍ୱରଙ୍କୁ ଜେରାବେଳେ ସାମ୍ନାକୁ ଆସିଛି ଆଉ ଏକ ତଥ୍ୟ । ଟାଟା ଆରିନାର ଯେଉଁ ଫ୍ଲାଟ୍‌ରେ ରହୁଥିଲେ ଦ୍ୱିତୀୟ ପତ୍ନୀ କଳ୍ପନା, ସେହି ଫ୍ଲାଟକୁ ଭଂଜନଗରରୁ ମଝି ମଝିରେ ଆସୁଥିଲେ ସ୍ୱାମୀ କାର୍ତ୍ତିକେଶ୍ୱର । ହେଲେ ସେହି ଫ୍ଲାଟଟି ଫୁଲବାଣୀର ଜଣେ ଏ କ୍ଲାସ୍ କଣ୍ଟ୍ରାକ୍ଟରଙ୍କ ନାଁରେ ଥିବା ଜଣାପଡ଼ିଛି । ତେବେ କିଏ ସେହି ଏ କ୍ଲାସ୍ କଣ୍ଟ୍ରାକ୍ଟର ? କେଉଁ ଆଧାରରେ କାର୍ତ୍ତିକେଶ୍ୱରଙ୍କ ପତ୍ନୀ ରହୁଥିଲେ ଏହି ଫ୍ଲାଟ୍‌ରେ ? ତାହା ଏବେ ରହସ୍ୟଜନକ ଥିବାବେଳେ କାର୍ତ୍ତିକେଶ୍ୱରଙ୍କ ଶାଳୀ କିନ୍ତୁ ଚର୍ଚ୍ଚାରେ ।

କାରଣ ଶାଳୀ ଉର୍ବଶୀ ଜଣେ ଦିନ ମଜୁରିଆ । କିଛିଦିନ ତଳେ ବସ୍ତିକୁ ଆସି ଘରଭଡ଼ା ନେଇ ରହୁଥିଲେ । ରାତି ପାହିଲେ ସିମେଣ୍ଟ, ଗୋଡ଼ି, ମାଟି କାମ କରୁଥିଲେ ବୋଲି କହିଛନ୍ତି ବସ୍ତି ବାସିନ୍ଦା । ହେଲେ ତାଙ୍କ ଘରୁ କୋଟିଏରୁ ଅଧିକ ଟଙ୍କା ମିଳିବ ଓ ତାଙ୍କ ଭିଣୋଇ ଯେ ଜଣେ ସହକାରୀ ଯନ୍ତ୍ରୀ, ଏହା ଜାଣିବା ପରେ ବସ୍ତି ବାସିନ୍ଦା ତାଜୁବ୍ ।

ଏଯାଏଁ କାର୍ତ୍ତିକେଶ୍ୱରଙ୍କ ଠାରୁ ନଗଦ ୩ କୋଟି ୪୧ ଲକ୍ଷରୁ ଅଧିକ ଟଙ୍କା ସହ ପ୍ରାୟ ୭ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇସାରିଲାଣି । ପ୍ରଥମ ପତ୍ନୀ ନାଁରେ ଥିବା ୭୮ ଲକ୍ଷର ଏକ ୩ ମହଲା ବିଲ୍ଡିଂ ମଧ୍ୟ ମିଳିଛି । ଏସବୁ ସମ୍ପତ୍ତିକୁ ନେଇ ରିମାଣ୍ଡରେ ନେଇ ଘାଣ୍ଟୁଛି ଭିଜିଲାନ୍ସ ଟିମ୍ । ତାଙ୍କ ପୁତୁରା ଏବଂ ଶାଳୀଙ୍କୁ ବି ସ୍କାନର୍ରେ ରଖାଯାଇଛି । ତେଣେ ଜେରାରେ କାର୍ତ୍ତିକେଶ୍ୱର କହିଛନ୍ତି, ଆଉ ୨-୩ ବର୍ଷ ପରେ ରିଟାୟାର୍ଡ ହୋଇ ରାଜନୀତିକୁ ଆସିବାକୁ ଇଚ୍ଛା ରଖିଥିଲେ । ତେବେ କାହା ଛତ୍ରଛାୟାରେ କୋଟି କୋଟି ଟଙ୍କା ଠୁଳ କରିଥିଲେ କାର୍ତ୍ତିକେଶ୍ୱର ? ପିସି ରାକେଟ୍‌ରେ କାର୍ତ୍ତିକେଶ୍ୱରଙ୍କ ସହ ହାତ ମିଳାଇଥିବା କେଉଁ ବଡ଼ ବଡିଆଙ୍କ ଚେହେରା ଆସିବ କି ସାମ୍ନାକୁ ?

ରିପୋର୍ଟର- କପିଳେନ୍ଦ୍ର ପ୍ରଧାନ, ଆଲୋକ ମହାନ୍ତି ଏବଂ ହରିହର ଚାନ୍ଦ