• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସଂସ୍କୃତି ଓ ଭାଇଚାରାର ସହର କଟକରେ ତାଲିବାନୀ ଶାସନର ନମୁନା । ମାତ୍ର ୧୫ ଶହ ଟଙ୍କା ଉଧାର ଟଙ୍କା ଠିକ୍ ସମୟରେ ଫେରାଇ ନପାରିବାରୁ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ବିଚ୍ ରାସ୍ତାରେ ୨ କିଲୋମିଟର ଯାଏଁ ଘୋଷାଡ଼ି ଘୋଷାଡ଼ି ଦଣ୍ଡ ବିଧାନ । ଗତକାଲି ସଂଧ୍ୟାରେ ଘଟିଥିବା ଏଭଳି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଥିବା ବେଳେ ଏପଟେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

ମାତ୍ର ୧୫ ଶହ ଟଙ୍କା ପାଇଁ ସର୍ବସମ୍ମୁଖରେ ତାଲିବାନୀ ଜୁଲମ୍ । ଜନଗହଳିପୂର୍ଣ୍ଣ ବିଚ୍ ରାସ୍ତାରେ ଦାଦାଗିରି । ଗତକାଲି ସନ୍ଧ୍ୟାରେ ଖୋଦ୍ ଭାଇଚାରାର ସହର କଟକରେ ଘଟିଛି ଏମିତି କିଛି ବର୍ବରତାର ଘଟଣା । ସନ୍ଧ୍ୟା ପ୍ରାୟ ସାଢେ ୭ଟା, ଜନଗହଳିପୂର୍ଣ୍ଣ କନିକା ଛକରୁ ଆରମ୍ଭ ହୋଇଥିଲା ନିର୍ଯାତନାର ପର୍ବ । କଟକ ବିଡ଼ାନାସୀ ଅଞ୍ଚଳରେ ରହୁଥିବା ଜଗନ୍ନାଥ ବେହେରାଙ୍କୁ ଏକ ସ୍କୁଟର ପଛରେ ବାନ୍ଧି ଦୌଡ଼ାଉଥିଲେ ଦୁଇ ଯୁବକ ।

ରାସ୍ତାକଡ଼ରେ ଜଳୁଥିବା ସଫା ନିଅନ୍ ଲାଇଟରେ ଚତୁର୍ଦ୍ଦିଗ ଦୃଶ୍ୟମାନ ହେଉଥିବା ବେଳେ ସମସ୍ତଙ୍କ ଆଖି ସାମ୍ନାରେ ହିଁ ଦୁଇ ଯୁବକଙ୍କ ଜୁଲମ ଚାଲିଥିଲା । ପ୍ରାୟ ୧୦ ଫୁଟ ଲମ୍ବର ଏକ ଦଉଡ଼ିରେ ଦୁଇ ହାତକୁ ବାନ୍ଧି ଗାଡ଼ି ପଛରେ ଦୌଡ଼ାଉଥିଲେ ସେମାନେ । ପୀଡ଼ିତ ଜଗନ୍ନାଥ ବି ବିନା ପ୍ରତିବାଦରେ ପ୍ରାୟ ୨ କିଲୋମିଟର ଦୌଡ଼ିଥିଲେ । ସହରର ଛାତି ଉପରେ ଘଟିଥିବା ଏ ନିଷ୍ଠୁର ଚିତ୍ର ଗଣମାଧ୍ୟମକୁ ଆସିବା ପରେ ଘଟଣା ପଛର ସତ ପଦାକୁ ଆସିଛି । ବନ୍ଧୁଙ୍କଠାରୁ ୧୫ଶହ ଟଙ୍କା ଧାର ନେଇ ଠିକ ସମୟରେ ନଫେରାଇବାରୁ ଜଗନ୍ନାଥଙ୍କୁ ଏଭଳି ଦଣ୍ଡ ଦେଇଛନ୍ତି ତାଙ୍କର ଦୁଇ ପରିଚିତ ବନ୍ଧୁ ।

କଟକ ସହରରେ ଆଗରୁ ଗୁଣ୍ଡାଗର୍ଦ୍ଦି, ଗ୍ୟାଙ୍ଗ୍ ଓ୍ୱାର ଏବଂ ଦାଦାବଟି ଆଦାୟର ଅନେକ ଉଦାହରଣ ଥିଲା । ହେଲେ ଏଭଳି ଘଟଣା କେବେ ଦେଖିବାକୁ ମିଳିନଥିଲା । ଆଇନ୍‌କୁ ହାତକୁ ନେଇ ସର୍ବସମ୍ମୁଖରେ ଜଣଙ୍କୁ ଦଣ୍ଡ ବିଧାନର ଏ ତରିକା ସହରରେ ନିହାତି ନୂଆ । ଏପଟେ ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପରେ ପୋଲିସ ଚଢାଉ କରି ଅଭିଯୁକ୍ତ ସୂତାହାଟ ଅଞ୍ଚଳର ଦୁଇ ଯୁବକ ଶେଖ୍ ଗୋରା ଓ ଶେଖ୍ ରଶିଦକୁ ଗିରଫ କରିଛି । ପୀଡ଼ିତ ଜଗନ୍ନାଥଙ୍କ ଏତଲା ଆଧାରରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେମାନେ ବ୍ୟବହାର କରିଥିବା ଦୁଇ ଗାଡ଼ିକୁ ଜବତ କରିଛି ଲାଲବାଗ ପୋଲିସ ।

ସେପଟେ କାଲି ଏଭଳି ବର୍ବରତା ବେଳେ ୨ ଅଭିଯୁକ୍ତ ପୀଡ଼ିତଙ୍କୁ ଚଣ୍ଡୀଛକ ଟ୍ରାଫିକ୍ ପୋଷ୍ଟ ଦେଇ ନେଇଥିବାରୁ ଦାୟିତ୍ୱରେ ଥିବା ଟ୍ରାଫିକ୍ ପୋଲିସ୍ କିଭଳି ଜାଣିପାରିଲେନି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେଣେ କୌଣସି ପୋଲିସ କର୍ମଚାରୀ ଯଦି ଘଟଣାକୁ ଦେଖି ବି ଅଣଦେଖା କରିଥାନ୍ତି, ତେବେ ତାର ବି ତଦନ୍ତ କରାଯିବ ବୋଲି କହିଛନ୍ତି କଟକ ଡିସିପି ।

ପୋଲିସ ଏବେ ମାମଲାରେ ଅଧିକ ତଦନ୍ତ ଲାଗି ଘଟଣା ଘଟିଥିବା କନିକା ଛକରୁ ସୂତାହାଟ ଛକ ପର୍ଯ୍ୟନ୍ତ, ରାସ୍ତାରେ ଲାଗିଥିବା ବିଭିନ୍ନ ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ୍ କରୁଛି ।