• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭୁବନେଶ୍ୱରରେ ଗତକାଲି ହୋଇଥିବା ଶିଶୁ ଅପହରଣ ନାଟକର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ୍ । ଘଟଣାରେ ଶିଶୁର ବାପା ଓ ସାବତ ବାପାକୁ ମିଶାଇ ପୋଲିସ୍ ମୋଟ୍ ୪ ଜଣଙ୍କୁ ଗିରଫ କରିଛି । ପୋଲିସର ସୂଚନା ଅନୁସାରେ ଅପହରଣ ନାଟକ ପ୍ରାୟ ୧୫ ଦିନ ତଳେ ରଚାଯାଇଥିଲା ।

କାଲି ସୁନ୍ଦରଗଡ଼, ଆଜି ଭୁବନେଶ୍ୱର..କାଲି ପିହୁ ଆଜି ଆଶୁତୋଷ । ଦୁଇ ଦିନରେ ଦୁଇ ଦୁଇଟି ଶିଶୁର ଜୀବନ ସହ ଖେଳ । ଦେବଗଡ଼ ଅପହରଣ ଘଟଣାର ଠିକ୍ ପରଦିନ ରାଜଧାନୀର ଜନଗହଳି ଅଞ୍ଚଳରୁ ୧୧ ମାସର ଶିଶୁ ପୁତ୍ରକୁ ଅପହରଣ । ହେଲେ ଇଏ ଏକ ନାଟକ ଥିଲା, ଆଉ ତା ପଛରେ ରହିଥିଲା ଖୋଦ୍ ଶିଶୁର ବାପା ।

ଭୁବନେଶ୍ୱର ପଟିଆ ଷ୍ଟେସନ ବଜାର ଅଞ୍ଚଳର ଏହି ଘଟଣା ଯିଏ ଶୁଣୁଛି ସିଏ ମୁଣ୍ଡରେ ହାତ ଦେଇଦେଉଛି । କାରଣ, ଜଣେ ବାପା କେମିତି କୋମଳମତି ଜୀବନ ସହ ଖେଳି ପାରିଲା ସେ କଥା କେହି ବି ବିଶ୍ୱାସ କରିପାରୁନାହାନ୍ତି । ବାପା ସୁବ୍ରତ ଓ ସାବତ ବାପା ବିଷ୍ଣୁ ଦୁଇ ଜଣ ମିଶି ରଚିଥିଲେ ଅପହରଣର ନାଟକ । କଟକ ମଧୁପାଟଣା ଅଞ୍ଚଳରୁ ଶିଶୁ ଉଦ୍ଧାର ହେବା ଓ ଘଟଣାରେ ୪ ଜଣଙ୍କୁ ଗିରଫ କରିବା ପରେ ଏବେ ସାମ୍ନାକୁ ପୁରା ସତ ଆସିଛି ।

ଗତକାଲି ପଟିଆ ଷ୍ଟେସନ୍ ବଜାରକୁ ଶିଶୁଟିକୁ ଧରି ବୁଲିବାକୁ ଯାଇଥିଲେ ବାପା ସୁବ୍ରତ । ସେଠି ତାଙ୍କୁ କେହି ଧକ୍କା ଦେଇ ଏକ କାରରେ ଛୁଆକୁ ଅପହରଣ କରିଥିବା ନେଇ ସ୍ତ୍ରୀ ଶାନ୍ତିଲତାଙ୍କୁ ଜଣାଇଥିଲେ । ବହୁ ଖୋଜାଖୋଜି ପରେ ମଞ୍ଚେଶ୍ୱର ଥାନାରେ ଫେରାଦ ହୋଇଥିଲେ ଶାନ୍ତିଲତା ଓ ସୁବ୍ରତ । ପଚରାଉଚରା ଆରମ୍ଭରୁ ସନ୍ଦେହରେ ଥିବା ସୁବ୍ରତ ମାତ୍ର ଘଣ୍ଟା କେଇଟାରେ ସବୁ ସତ ମାନି ଯାଇଥିଲା ।

୧୫ ଦିନ ତଳେ ୧୧ ମାସର ଶିଶୁ ଆଶୁତୋଷକୁ ଅପହରଣ ଓ ଏହା ପରର ଷଡ଼ଯନ୍ତ୍ରକୁ ରଚିଥିଲେ ଶାନ୍ତିଲତାଙ୍କ ସ୍ୱାମୀ ସୁବ୍ରତ ଓ ପ୍ରଥମ ସ୍ୱାମୀ ବିଷ୍ଣୁ । ଶାନ୍ତିଲତାଙ୍କଠୁ ପିଛା ଛଡ଼ାଇବାକୁ ଚାହୁଁଥିଲେ ସୁବ୍ରତ । ସେପଟେ ପୂର୍ବତନ ସ୍ତ୍ରୀକୁ ଫେରାଇ ନେବାକୁ ଚାହୁଁଥିଲେ ବିଷ୍ଣୁ । ସେଥିପାଇଁ ପୁଅକୁ ଅପହରଣ ନାଟକ ପରେ ବିଷ୍ଣୁଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ ଶରତକୁ ୧୦ ଲକ୍ଷରେ ଛୁଆ ବିକ୍ରି ପାଇଁ ଯୋଜନା କରିଥିଲା । ଘଟଣା ସାମ୍ନାକୁ ଆସିବା ପରେ ଏବେ ବି ଏସବୁକୁ ବିଶ୍ୱାସ କରିପାରୁନାହାନ୍ତି ଶାନ୍ତିଲତା ।

  • Reported by:
  • ARACHANA SATPATHY