• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାଡ ଯେବେ ଫସଲ ଖାଏ ... ଗୁହାରୀ କରିବ କାହାକୁ ? ନିରକ୍ଷରତା ଯେ କେତେ ବଡ ବିପତ୍ତି ଆଣିପାରେ ତାହା ଯେଉଁମାନେ ପାଠ ପଢିନାହାନ୍ତି ସେମାନେ କହିପାରିବେ । ଆତ୍ମ ନିର୍ଭରଶୀଳ ହେବାପାଇଁ ଗାଁର କିଛି ମହିଳା ମାନେ ଆରମ୍ଭ କରିଥିଲେ ସ୍ୱୟଂ ସହାୟକ ଗୋଷ୍ଠୀ । ଯୋଜନା ଥିଲା ସରକାରୀ ସହାୟତା ନେଇ ବ୍ୟବସାୟ କରିବେ ଏବଂ ଦୁଇପଇସା ଉପାର୍ଜନ କରି ପରିବାର ଚଳାଇବା ସହ ଆତ୍ମ ନିର୍ଭରଶୀଳ ହେବେ । ଯୋଜନା ଅନୁସାରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହେଲା ଆଉ କାମ ବି ଚାଲିଲା । ହେଲେ ୫ ବର୍ଷ ଧରି ବ୍ୟବସାୟ କଲାପରେ ବି ମିଳିଳାନି ଲାଭ । ଶେଷରେ ଜଣାପଡିଲା ଯେ ସରକାରୀ ଭାବେ ଗୋଷ୍ଠୀକୁ ମିଳିଥିବା ଲକ୍ଷାଧିକ ଟଙ୍କାର କମିସନ ଖାଇଯାଇଛନ୍ତି ନିଜ ଗୋଷ୍ଠୀର ସଭାପତି ।

ବାଲ୍‌ପୁର ଗାଁର ଗ୍ରାମପତି ସ୍ୱୟଂ ସହାୟକ ଗୋଷ୍ଠୀରେ ମୋଟ ୧୧ ଜଣ ସଦସ୍ୟ ରହିଛନ୍ତି । ଗତ ୨୦୧୭ ମସିହାରେ ସରକାରଙ୍କ ଦ୍ୱାରା ଏହି ଅଂଚଳର ଧାନ କ୍ରୟ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଥିଲା । ସେହିଦିନ ଠାରୁ ଗ୍ରାମପତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହି ଅଂଚଳରେ ଉଭୟ ଖରିଫ ଓ ରବୀ ରୁତରେ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଉଛି । ଗୋଷ୍ଠୀର ସଦସ୍ୟମାନେ ଅଶିକ୍ଷିତ ହୋଇଥିବାରୁ ସେମାନଙ୍କଠାରୁ ବିଭିନ୍ନ ସମୟରେ ଠକି ଦସ୍ତଖତ ନେଇଯାଇ ଆଖପାଖର ୫୨ ଲକ୍ଷ ଟଙ୍କା ହଡପ ଆଭିଯୋଗ ହୋଇଛି। ଏଥିରେ ଗୋଷ୍ଠୀର ସଭାପତି  ଓ ତାଙ୍କ ସ୍ୱାମୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି।

ଏବେ ଏହି ଘଟଣା ସମ୍ପର୍କରେ ଗୋଷ୍ଠୀର ସଦସ୍ୟମାନେ ବ୍ୟାଙ୍କକୁ ଯାଇ ଜାଣିବା ପରେ ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପାଖରେ ଫେରାଦ ହୋଇଛନ୍ତି । ଏବେ ସେମାନଙ୍କୁ ନ୍ୟାୟ ଦେବା ସହ ସେମାନଙ୍କର ପ୍ରାପ୍ୟ ଫେରାଇ ଦେବାକୁ ସେମାନେ ଦାବି କରିଛନ୍ତି । ଅପରପକ୍ଷରେ ଏନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହେବାପରେ ଏକ କମିଟି ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । 

ଦୁଇ ପଇସା ପାଇବା ଆଶାରେ ମୁଣ୍ଡ  ଝାଳ ତୁଣ୍ଡରେ ମାରି ମହିଳାମାନେ କାମ କରିଥିଲେ । ହେଲେ ସେମାନଙ୍କ ନିରକ୍ଷରତାର ସୁଯୋଗ ନେଇ ସବୁ ତକ ଲାଭ ଟଙ୍କା ହଡ଼ପ ହୋଇଛି। ତେଣୁ  ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବାକୁ ଦାବି ହେଉଛି।

(ସୁବର୍ଣ୍ଣପୁରରୁ ରବିନ୍ଦ୍ର ହୋତାଙ୍କ ରିପୋର୍ଟ)