• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସନ୍ଦିଗ୍ଧ ଆତଙ୍କୀ ସୟିଦ୍ ଇଶାନ୍ ବୁଖାରୀକୁ ଜାଣିଶୁଣି ଓଡ଼ିଶା ମାଟିରେ ଲୁଚାଇଥିଲା କି ଯାଜପୁର ଜିଲ୍ଲା ପୋଲିସ? କାହିଁକି ନେଉନଥିଲା ଆକ୍ସନ୍ ? ଯେଉଁ ସମୟରେ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ଥିଲା କାଶ୍ମୀର, ସେହି ସମୟରେ କାଶ୍ମୀରରୁ ଆସି ଯାଜପୁର ଧର୍ମଶାଳା ଅଞ୍ଚଳରେ ଆତ୍ମଗୋପନ କରିଥିଲା ବୁଖାରୀ । ବନିଥିଲା ନେଉଳପୁର ଗାଁର ଜ୍ୱାଇଁ । ଅଥଚ କାହିଁକି ଆକ୍ସନ୍ ମୋଡକୁ ଆସିନଥିଲା ଧର୍ମଶାଳା ପୋଲିସ ?

୨୦୧୮ର କଥା । ସୂଚନା ଅନୁଯାୟୀ, ଦିଲଦାର ଚାନ୍ଦ ନାମକ ଜଣେ ସାମ୍ବାଦିକ ବୁଖାରୀ ବିରୋଧରେ ଧର୍ମଶାଳା ଥାନାରେ ଅଭିଯୋଗ ବି କରିଥିଲେ । ଚାଲିଚଳଣୀ, ହାବଭାବ ସହ କାଶ୍ମୀରରୁ ଆସିଥିବାରୁ ସନ୍ଦେହ କରି ପୋଲିସକୁ ଅବଗତ କରିଥିଲେ । ଅବଶ୍ୟ ତତ୍କାଳୀନ ଧର୍ମଶାଳା ଥାନା ଅଧିକାରୀ ବୁଖାରୀର କାଗଜପତ୍ର ଯାଞ୍ଚ କରିଥିଲେ ଏବଂ ପଚରାଉଚରା କରିଥିଲେ । ପରବର୍ତ୍ତି ସମୟରେ ବୁଖାରୀର ପତ୍ନୀଙ୍କ ମିଛରେ ବଦନାମ୍ କରୁଥିବା ଅଭିଯୋଗ ଆଣିବାରୁ ପୋଲିସ ଦ୍ୱାରା ଆକ୍ରୋଶର ଶିକାର ହୋଇଥିଲେ ଦିଲଦାର ଚାନ୍ଦ । ତା’ପରଠୁ ସମସ୍ତେ ନିରବ, ପୋଲିସ୍ ବି ଥିଲା ଚୁପଚାପ୍ । ଆଉ ପୋଲିସର ନିଷ୍କ୍ରିୟତାକୁ ଦେଖି ନେଉଳପୁର ଅଞ୍ଚଳରେ ନିଜକୁ ଡାକ୍ତର ସଜାଇ ଠକେଇର ଜାଲ ବୁଣିଥିଲା ବୁଖାରୀ ।

ଧର୍ମଶାଳା ଥାନା ନେଉଳପୁର ପଞ୍ଚାୟତ । ଜନସଂଖ୍ୟା ୧୦ ହଜାରରୁ ଅଧିକ । ମୁସଲିମ୍ ବହୁଳ ଏହି ପଞ୍ଚାୟତରେ ରହିଛି ମିଲତନଗର ଗାଁ । ଯେଉଁଠି ପ୍ରାୟ ୩ ହଜାର ଲୋକ ବସବାସ କରୁଥିବାବେଳେ ବହୁ ଲୋକଙ୍କର ଏଇଠି ଖାତା ଖତିୟାନ ନାହିଁ । ଯିଏ ଯେଉଁଠୁ ଆସିଲେ ଘରଭଡ଼ା ନେଇ ସ୍ଥାୟୀ ବାସିନ୍ଦା ବନିଗଲେ । ଏହି ଯେମିତି କାଶ୍ମୀରରୁ ଆସିଥିବା ସନ୍ଦିଗ୍ଧ ଆତଙ୍କୀ ସୟିଦ୍ ଇଶାନ୍ ବୁଖାରୀ । ଏଠାକୁ ୨୦୧୮ରେ ଆସି ଘରୋଇ ସ୍କୁଲରେ ଶିକ୍ଷକତା କରୁଥିବା ଜଣେ ଯୁବତୀଙ୍କୁ ବିବାହ କରିଥିଲା । ଗାଁ ଝିଅକୁ ବାହା ହୋଇଥିବାରୁ ଅନ୍ୟମାନେ ବି ସେଭଳି କିଛି ଆଶଙ୍କା କରୁନଥିଲେ ।

ମୂଳ କଥା ହେଉଛି, ପୋଲିସ ବି ନିରବ ଥିବାରୁ କେହି ମୁଣ୍ଡ ଖେଳାଇବାକୁ ଚାହୁଁନଥିଲେ । ପରିଣାମ ସ୍ୱରୂପ, ବୁଖାରୀ ଭଳି ଜଣେ ସନ୍ଦିଗ୍ଧ ଆତଙ୍କୀ ୨୦୧୮ରୁ ଏଯାଏଁ ଆଶ୍ରୟ ନେଇଥିଲା ଏବଂ ପାକିସ୍ତାନୀ ISI ଏଜେଣ୍ଟଙ୍କ ଲିଙ୍କରେ ରହି ଚଳାଇଥିଲା ଦେଶ ବିରୋଧୀ ଭଳି କାର୍ଯ୍ୟକଳାପ । ଫଳରେ ଆଜି ନେଉଳପୁର ଅଞ୍ଚଳ ବଦନାମ ହେଲା ବୋଲି କହିବା ସହ ଅସନ୍ତୋଷ ଝାଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା ।

ସନ୍ଦିଗ୍ଧ ଆତଙ୍କୀ ବୁଖାରୀକୁ ବିବାହ କରିଥିବା ଶିକ୍ଷୟିତ୍ରୀ ପତ୍ନୀ ଏବେ ଅଡ଼ୁଆରେ । ବୁଖାରୀର ଆତଙ୍କୀ ଲିଙ୍କ୍ ନେଇ ଖବର ପ୍ରସାରଣ ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ବହିଷ୍କାର କରିଛନ୍ତି । ଅପରପକ୍ଷେ ବୁଖାରୀକୁ ରିମାଣ୍ଡରେ ନେଇଥିବା କ୍ରାଇମବ୍ରାଞ୍ଚ STF ତାଠୁ କି ସତ ଉଗାରୁଛି, ତାକୁ ଏବେ ଅପେକ୍ଷା ।