• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସରପଂଚ ନୁହେଁ ବରଂ ତାଙ୍କ ସ୍ୱାମୀ ନିଷ୍ପତ୍ତି ନେଉଛନ୍ତି କିଏ ଘର ପାଇବ ଆଉ କିଏ ନୁହେଁ ? ଆବାସ ହିତାଧିକାରୀ ହୋଇଥିବା ପରେ ବି ତାଲିକାରୁ ନା କାଟିଦେଉଛନ୍ତି । ସିଧାସିଧା କହୁଛନ୍ତି ମତେ ତ ଭୋଟ୍‌ ଦେଇନ ତୁମକୁ ଘର କାହିଁକି ଦିଆଯିବ? ଆଗେ ଟଙ୍କା ଦିଅ ପରେ ଘର କଥା ଭାବିବି ବୋଲି କହିବାକୁ ପଛାଉନାହାନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଗରିବ ଲୋକଙ୍କୁ ଏମିତି ହଇରାଣ କରାଯାଉଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି ନୟାଗଡ ଦଶାପଲ୍ଲାରୁ । ଯାହାକୁ ନେଇ ଏବେ ଚର୍ଚ୍ଚା ।

ଜିଲ୍ଲାର ଦଶପଲ୍ଲା ଅନ୍ତର୍ଗତ ନଛିପୁର୍ ପଞ୍ଚାୟତରେ ଆବାସ ଯୋଜନା ହିତାଧିକାରୀଙ୍କୁ ମିଳିଥିବା ଘରେ ମହାଘୋଟାଲା ନେଇ ଆସିଛି ଅଭିଯୋଗ । ପଞ୍ଚାୟତର ପଥୁରିଆ ଗାଁରେ ସରକାରଙ୍କ ପକ୍ଷରୁ ମିଳୁଥିବା ଆବାସ ଯୋଜନାରେ ଅନେକ ଯୋଗ୍ୟ ହିତାଧିକାରୀ ଥିବା ପରେ ସେମାନଙ୍କୁ ଘର ମିଳୁନି । ଏମିତିକି ଗୁଡ଼ିଆ ସାହି ଓ ନାଳ ସାହିର ପ୍ରାୟ ୮ ଜଣଙ୍କ ନାଁକୁ ତାଲିକାରୁ ଆକ୍ରୋଶ ମୂଳକ ଭାବରେ ବାଦ୍‌ ଦିଆଯାଇଥିବା ନେଇ ସାଙ୍ଘାତିକ ଅଭିଯୋଗ ବି ଆସିଛି ।

ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ସରପଞ୍ଚଙ୍କ ସ୍ବାମୀ ବେଣୁଧର ବେହେରା କିଛି ଲୋକଙ୍କଠାରୁ ୧୫୦୦୦ ଟଙ୍କା ଦିଅ ଘର ହୋଇଯିବ ଏବଂ ଯେଉଁ ମାନେ ମୋତେ ଭୋଟ ଦେଇଛନ୍ତି ସେମାନେ ହିଁ ଘର ପାଇବେ ବୋଲି କହୁଛନ୍ତି । ସରପଂଚଙ୍କ ସ୍ୱାମୀଙ୍କ ଏମିତି ମନମାନିକୁ ନେଇ ବ୍ଲକ୍‌ ପ୍ରଶାସନକୁ ଗାଁ ଲୋକେ ଅବଗତ କରିବା ପରେ ବି କୌଣସି ପଦକ୍ଷେପ ନିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆବାସ ଯୋଜନାରେ ଘର ନମିଳିନଥିବାରୁ ଏବେ ବଡ଼ କଷ୍ଟରେ ଚଳୁଛନ୍ତି ଅନେକ ପରିବାର । ଏମିତିକି ଢୋ ଢୋ ବର୍ଷାରେ ପାଲଟାଣି ରହୁଛନ୍ତି ଅନେକ ପରିବାର । ଆଉ ଯଦି ବର୍ଷା ଲାଗି ରହେ ତେବେ ଓଦା ହୋଇ ପୂରା ରାତି ବସିବାକୁ ପଡୁଛି । ଯାହାକୁ ନେଇ ତେଜିବାରେ ଲାଗିଲାଣି ଅସନ୍ତୋଷ । ସେପଟେ ଗାଁ ଲୋକଙ୍କ ଅଭିଯୋଗକୁ ନେଇ ସରପଂଚ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ତାଙ୍କ ସ୍ୱାମୀ କହିଛନ୍ତି ଅଭିଯୋଗ ଭିତ୍ତିହୀନ । ଘର ଲାଗି କାହାକୁ ଟଙ୍କା ମଗାଯାଇନାହିଁ ।

ଏପଟେ ପୂରା ଘଟଣା ସମ୍ପର୍କରେ ବିଡିଓଙ୍କୁ ଜଣାଇବା ସହିତ ପ୍ରତିକ୍ରିୟା ନେବା ପାଇଁ ଆମେ ଯେତେବେଳେ ପହଞ୍ଚିଥିଲୁ ସିଟ୍‌ ଛାଡି ପଳାଇଥିଲେ । ଗରିବ ହିତାଧିକାରୀଙ୍କୁ ଘର ଦେବାକୁ ଆବାସ ଯୋଜନା କରିଛନ୍ତି ସରକାର । ହେଲେ ସେହି ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ କେମିତି କିଛି ମୁଷ୍ଟିମେୟ ବ୍ୟକ୍ତି ରାଜନୀତି କରୁଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ।

 

  • Reported by:
  • Sanjeeb Sahoo