• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଗାଁର ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷଙ୍କ ପର୍ଯ୍ୟନ୍ତ ସମସ୍ତେ ଧାଡି ହୋଇ ଜଙ୍ଗଲ ଭିତରକୁ ଯାଉଛନ୍ତି । ପୁଣି ସାଙ୍ଗରେ ଛୋଟ ପିଲାମାନେ ବି ଯାଉଛନ୍ତି । ଆଉ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ରହିଛି ଜଙ୍ଗଲ ଜଗିବେ, ଗୋଟିଏ ହେଲେ ଗଛ କାହାକୁ କାଟିବାକୁ ଦେବେନି । ଏଥିଲାଗି ସେମାନେ କରୁଛନ୍ତି ଅକ୍ଲାନ୍ତ ପରିଶ୍ରମ । ଏମିତିକି ଗଛ କଟାଳିକୁ ଧରି ବନବିଭାଗ ଓ ପୋଲିସକୁ ଜିମା ଦେଉଛନ୍ତି ।

ଗଜପତି ଚନ୍ଦ୍ରଗିରି ବନାଞ୍ଚଳ ଚାନ୍ଦିପୁଟ ବନ ପରିସରର ରାଜପୁର ଗାଁ ପାଖରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଜଙ୍ଗଲରେ ଭରପୂର ରହିଛି ମୂଲ୍ୟବାନ ଚନ୍ଦନ ଗଛ । ହେଲେ ସେହି ଗଛ ଉପରେ ଏବେ କାଠମାଫିଆଙ୍କ ଆଖି । ଦିନରାତି ଏକ କରି ଗାଁ ଲୋକମାନେ ଜଙ୍ଗଲ ଜଗୁଛନ୍ତି ସତ ହେଲେ ତା’ରି ଭିତରେ ମୌକା ଦେଖି ଜଙ୍ଗଲ ତସ୍କରମାନେ କାଟିନେଉଛନ୍ତି ଗଛ ।

ଜଙ୍ଗଲକୁ ସୁରକ୍ଷା ଦେବା ଲାଗି ଗାଁରେ ବନସୁରକ୍ଷା ସମିତି ବି ଗଠନ ହୋଇଛି । ଦିନରାତି ସେମାନେ ଜଙ୍ଗଲ ଜଗୁଛନ୍ତି, ଗଛ କଟାଳୀକୁ ଧରୁଛନ୍ତି । କିନ୍ତୁ ଗଛ ଚୋରି ବନ୍ଦ ହେବାର ନା ଧରୁନି । ଏମିତିକି କିଛି ମାସ ପୂର୍ବରୁ କାଠ ମାଫିଆଙ୍କୁ ଧରି ବନ ବିଭାଗ ହାତରେ ଜିମା ଦେଇଥିଲେ ଗାଁ ଲୋକେ । କିନ୍ତୁ ତଥାପି କାଠ ମାଫିଆଙ୍କ ଦୌରାମ୍ୟ ଥମିବାର ନା ନେଉନି । ଜାଣିଆଶ୍ଚର୍ଯ୍ୟ ହେବେ କି, ମାଫିଆଙ୍କୁ ପୋଲିସ ଜିମା ଦେବା ପରେ ବି ପୁଣି ଥରେ ଜଙ୍ଗଲରେ ମାଫିଆ କାଠ ହାଣୁଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ ।

ଖାଲି ଦେଖିଥିଲେ ତାହା ନୁହେଁ ବରଂ ଗାଁ ଲୋକମାନେ ମାଫିଆଙ୍କଠାରୁ କାଠ, କଟର ମେସିନ ଓ ଗୋଟିଏ ବାଇକ୍ ଜବତ କରିଥିଲେ, ହେଲେ ବନବିଭାଗକୁ ହସ୍ତାନ୍ତର କରିନଥିଲେ । ବରଂ ଗାଁରେ ଏନେଇ ବୈଠକ ହେବା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ଗାଁରେ ପୋଲିସ ପହଞ୍ଚି ୩ ଯୁବକଙ୍କୁ ଥାନାକୁ ଉଠାଇ ନେଇଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପୋଲିସ ସିନା କାଠଚୋରଙ୍କୁ ଉଠାଇ ନେଇଗଲା ହେଲେ ବନବିଭାଗ ଗାଁରେ ପହଞ୍ଚିନଥିଲା । ତେଣୁ ତୁରନ୍ତ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଆଜି କି କାଲି ନୁହେଁ ବରଂ ୫ ବର୍ଷ ହେଲାଣି ଏମିତି ବେଧଡକ ଭାବରେ ଜଙ୍ଗଲରୁ ଗଛ କାଟିନେଉଛନ୍ତି ମାଫିଆ । ଆଉ ଧୀରେ ଧୀରେ ସଫା ହେବାରେ ଲାଗିଛି ମୂଲ୍ୟବାନ ଗଛ । ସେପଟେ ମାଫିଆଙ୍କ ଉତ୍ପାତକୁ ନେଇ ଡିଏଫଓ କହୁଛନ୍ତି ଆଗାମୀ ଦିନରେ ପେଟ୍ରୋଲିଂକୁ ଆହୁରି ଜୋରଦାର କରାଯିବ ।

 

  • Reported by:
  • Mihir Jati