/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640625520.jpg)
Smuggling Sand
ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳ କୋଣାର୍କରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ । ରାତି ହେଲେ ଚାଲୁଛି ଶହ ଶହ ଟ୍ରକ୍ ବାଲି ଚୋରା ଚାଲାଣ । ସରକାରୀ ବାବୁ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ ଚାଲିଥିବା ଅଭିଯୋଗ ସ୍ଥାନୀୟ ବାସିନ୍ଦା କରିଛନ୍ତି । କୋଣାର୍କର ବେଳାଭୂମିଠୁ ହେଲିପ୍ୟାଡ୍ ପର୍ଯ୍ୟନ୍ତ ଏମିତି କି ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଆଉ ଏ ଚୋରା କାରବାର ଧରାପଡିଛି ଓଟିଭି କ୍ୟାମେରାରେ । ସତ ସାମ୍ନାକୁ ଆସିବା ପରେ ତହସିଲଦାରଙ୍କୁ ଅତିରିକ୍ତ ଜିଲ୍ଲାପାଳ ତଦନ୍ତ ଦାୟିତ୍ୱ ଦେଇଛନ୍ତି ।
ବେଳାଭୂମିରେ ବାଲି ମାଫିଆଙ୍କ ରାଜ୍ । ରାତି ହେଲେ ବେଧଡ଼କ ଚାଲୁଛି ଚୋରା ଚାଲାଣ । କିଟି ମିଟି ଅନ୍ଧାର ଭିତରେ ଚାଲିଛି କୋଟି କୋଟିରେ ଖେଳ । ରାତି ସହ ଶୋଇ ଯାଉଛି ପ୍ରଶାସନ, ଆଉ ଲୁଟ୍ ହେଉଛି ହଜାର ହଜାର ବାଲି ଟ୍ରକ । ଓଟିଭି କ୍ୟାମେରାରେ କଏଦ ହୋଇଥିବା ଚିତ୍ର, ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳ କୋଣାର୍କର ବାଲି ଚୋରା ଚାଲାଣର ଲାଇଭ୍ ଫୁଟେଜ । ବେଳାଭୂମିରେ ଲାଗିଛି ଏକାଧିକ ଟ୍ରକ ଆଉ ଟ୍ରକ୍ ଅନବରତ ବାଲି ଲୋଡ୍ କରିବାରେ ଲାଗିଛି । କୋଣାର୍କ ଥାନା ଅତିରିକ୍ତ ତହସିଲଦାର କାର୍ଯ୍ୟାଳୟର ଅତି ନିକଟରେ ଏହି ଚାଲାଣ ଚାଲିଛି ।
ଏହି କାମକୁ ନେଇ ପ୍ରଶ୍ନ ଉଠାଇଲେଣି ଗ୍ରାମବାସୀ । ସରକାରୀ ଅଧିକାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଦିନରାତି ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ଅଞ୍ଚଳରେ ନିର୍ମାଣ ହେଉଥିବା ରାସ୍ତାରେ ଏହି ବାଲି ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି ।
ସୂର୍ଯ୍ୟ ମନ୍ଦିର ଉତ୍ତରରେ ବାଲିବନ୍ତ, କୋଣାର୍କ ହେଲିପ୍ୟାଡଠୁ ଆରମ୍ଭ କରି ବେଳାଭୂମି ଏମିତି କି ବାଲୁଖଣ୍ଡ ଅଭୟାରଣ୍ୟ ବି ବାଦ୍ ପଡିନି ଏହି ଲୁଟ୍ରୁ । ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ବାଲିବନ୍ତ ଅଞ୍ଚଳର ବାଲି ଖୋଳା ହେବା ଫଳରେ ବଡ ବଡ ଗାତ ସୃଷ୍ଟି ହୋଇଛି, ଗଛ ମଧ୍ୟ ଉପୁଡି ପଡିଛି । ପ୍ରକୃତି ଉପରେ ଏହାର କୁପ୍ରଭାବ ପଡୁଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବେଶବିତ୍ ଦିଲୀପ ଶ୍ରୀଚନ୍ଦନ ।
ସତ ସାମ୍ନାକୁ ଆସିବା ପରେ ବାଲି ଚୋରା ଚାଲାଣ ହେଉଥିବା ସ୍ୱୀକାର କରିବା ସହ ପରିବେଶ ଓ ଜୀବଜନ୍ତୁଙ୍କ ଉପରେ ଏହାର ପ୍ରଭାବ ପଡୁଥିବା କହିଛନ୍ତି କୋଣାର୍କ ରେଞ୍ଜର । ଅନ୍ୟପଟେ ଚୋରାଚାଲାଣ ହେଉଥିବା ସ୍ଥାନରେ କୌଣସି ବାଲି ଘାଟ ନିଲାମ ଦିଆଯାଇନଥିବାରୁ ଘଟଣାର ତଦନ୍ତ ପାଇଁ ଗୋପ୍ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଅତିରିକ୍ତ ଜିଲ୍ଲପାଳ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)