• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଟି ତଳେ, ସିମେଣ୍ଟ ବସ୍ତା ଭିତରେ ଲୁଚା ଯାଇଥିଲା ଲକ୍ଷ ଲକ୍ଷ ଚୋରି ଟଙ୍କା । ଧରା ନ ପଡ଼ିବା ପାଇଁ ଦୁର୍ବୁତ୍ତ ବି ରଚିଥିଲେ ମାଷ୍ଟର ପ୍ଲାନ । ଲୁଟେରାଙ୍କ ଯୋଜନାକୁ କିନ୍ତୁ ପଣ୍ଡ କରିଛି ସମ୍ବଲପୁର ପୋଲିସ । ଏହା ସହ ଜବତ କରିଛି ଲୁଟ୍ ହୋଇଥିବା ବିଡ଼ା ବିଡ଼ା ୫ଶହ ଟଙ୍କିଆ ନୋଟ ବ୍ୟାଣ୍ଡେଲ । ସମ୍ବଲପୁରର ହୋଟେଲ ସିଲା ଟାୱାରରୁ ୩୯ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ ବି ହୋଇଛି । ବଡ଼ କଥା ହେଉଛି ଲୁଟ୍ ଘଟଣାରେ ରହିଛି ହୋଟେଲର କର୍ମଚାରୀଙ୍କ ସଂପୃକ୍ତି । ଜଣେ କି ଦୁଇ ଜଣ ନୁହେଁ ହୋଟେଲର ୪ ଜଣ କର୍ମଚାରୀ ରହିଥିଲେ ଏହି ଲୁଟ୍ ପଛର ମାଷ୍ଟର ମାଇଣ୍ଡ ।

ସମ୍ବଲପୁରରୁ ଲୁଟ୍ ଟଙ୍କା ଦେବଗଡ଼ ବନକାଲୋ ଅଞ୍ଚଳରୁ ଜବତ । ତାହା ପୁଣି ମାଟି ତଳୁ । ଆଉ ଖୋଳୁ ଖୋଳୁ ମାଟି ତଳୁ ବାହାରିଲା ବିଡ଼ା ବିଡ଼ା ୫ଶହ ଟଙ୍କିଆ ନୋଟ୍ ବ୍ୟାଣ୍ଡେଲ । ଆଜି କିନ୍ତୁ ସେହି ଅଭିଯୁକ୍ତଙ୍କ ଉପସ୍ଥିତିରେ ପୋଲିସ ଉଦ୍ଧାର କରିଛି ଲୁଟ୍ ହୋଇଥିବା ଟଙ୍କା । ଦେବଗଡ ଜିଲ୍ଲା ବନକାଲୋ ଅଂଚଳରୁ ଏହି ଟଙ୍କା ଭର୍ତ୍ତି ସିମେଣ୍ଟ ବସ୍ତା ଜବତ କରାଯାଇଛି ।

ହୋଟେଲ ସିଲା ଟାୱାରରୁ ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ହୋଟେଲର ପୂର୍ବତନ କର୍ମଚାରୀ ଦିଲେଶ୍ୱର ବେହେରା । ଘର ଦେବଗଡ ଜିଲ୍ଲା ରିଆମାଲ ଥାନା ଅନ୍ତର୍ଗତ ବନକାଲୋ ଅଂଚଳରେ । ଅନ୍ୟ ୩ ଜଣ ହେଲେ ହୋଟେଲର କର୍ମଚାରୀ । ସହକାରୀ କୁକ ମାନସ ପ୍ରଧାନ, ୱେଟର ଯୋଗେଶ୍ୱର ବେହେରା ଓ ରିସପସନିଷ୍ଟ ଗୋବିନ୍ଦ ମଲ୍ଲିକ ।

ଗତ ୧୫ ତାରିଖ ବିଳମ୍ବିତ ରାତିରେ ସମ୍ବଲପୁର ଭି.ଏସ.ଏସ. ମାର୍ଗ ରେ ଥିବା ହୋଟେଲ ଶିଲା ଟାଓ୍ୱାରର ମାଲିକଙ୍କ ଚ୍ୟାମ୍ବରର ଆଲମିରା ଭାଙ୍ଗି ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ସିସିଟିଭି ଫୁଟେଜ ଏବଂ କଲ ରେକର୍ଡରୁ ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ତଥ୍ୟ ହାସଲ କରିଥିଲା ପୋଲିସ । ତେବେ ଲୁଟ୍ ୩୯ ଲକ୍ଷରୁ ବର୍ତ୍ତମାନ ସୁଦ୍ଧା ୩୨ ଲକ୍ଷ ୧୦ ହଜାର ଟଙ୍କା ମିଳିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ବାକି ୬ ଲକ୍ଷ ୯୦ ହଜାର ଟଙ୍କା କୁଆଡ଼େ ଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଚାକିରୀ ଗଲା, ଟଙ୍କା ଗଲା, ସମ୍ମାନ ବି ଗଲା । ଏବେ ଘର ଢିଙ୍କି କୁମ୍ଭୀର ସାଜିଥିବା ବିଶ୍ୱାସ ଘାତକ କର୍ମଚାରୀଙ୍କ ଠିକଣା ହୋଟେଲରୁ ସିଧା ଜେଲର ଚାରି କାନ୍ଥ ।

ସମ୍ବଲପୁରରୁ ସଂଜୟ କୁମାର ଜେନା ଓଟିଭି