• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାୟଗଡ଼ାର ହୋଟେଲ୍ ସାଇ ଇଣ୍ଟରନ୍ୟାସନାଲରେ, କ୍ରାଇମ୍‌ବ୍ରାଞ୍ଚର ଘଣ୍ଟା ଘଣ୍ଟା ଧରି ଖୋଳତାଡ଼ । ଛାତଠୁ ଝରକା, ସବୁ ଜାଗାର ଟିକିନିଖି ମାପଚୁପ, ଫଟୋଗ୍ରାଫି ଓ ଭିଡିଓ ସୁଟିଂ । ଯେଉଁଠି ଝରକାପଟୁ ଖସିପଡ଼ି ପ୍ରାଣ ହରାଇଥିଲେ ଋଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ, ସେହି ସ୍ଥାନରେ ତନ୍ନ ତନ୍ନ କରି ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚ ଓ ଫରେନ୍‌ସିକର ୧୦ ଜଣିଆ ଟିମ୍ ପହଞ୍ଚି ଦିନସାରା ଛାନ୍‌ଭିନ୍ କରିଛନ୍ତି । ଚେଷ୍ଟା କରିଛନ୍ତି, ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭ୍‌ଙ୍କ ସନ୍ଦେହଜନକ ମୃତ୍ୟୁର ରହସ୍ୟ ଭେଦିବାକୁ । ଡିଏସ୍‌ପି ସରୋଜ କୁମାର ମହାନ୍ତଙ୍କ ନେତୃତ୍ୱରେ ୫ ଜଣ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ଏବଂ ଆଉ ୫ ଜଣ ଫରେନ୍‌ସିକ ଏକ୍ସପର୍ଟଙ୍କୁ ନେଇ ଗଠିତ ଟିମ୍ ପ୍ରଥମେ ରାୟଗଡ଼ା ଥାନାକୁ ଯାଇ ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାସ ଓ ଆଇଆଇଆସି ରଶ୍ମିରଂଜନ ପ୍ରଧାନଙ୍କୁ ଭେଟିଥିଲେ ।  ଏହାପରେ ଘଟଣା ଘଟିଥିବା ହୋଟେଲ୍‌କୁ ଯାଇ ତଦନ୍ତ ଆଗକୁ ବଢ଼ାଇଥିଲେ । ଏଥିସହ ମୃତକମାନଙ୍କ ପୋଷ୍ଟମର୍ଟମ କରିଥିବା ୪ଜଣ ଡାକ୍ତରଙ୍କୁ ବି ଡକାଇ ପଚରାଉଚରା କରିଛି କ୍ରାଇମ୍‌ବ୍ରାଞ୍ଚ । ଆଗକୁ ସାକ୍ଷୀମାନଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି ।

ତଦନ୍ତ ଯେତେ ଯେତେ ଆଗକୁ ବଢୁଛି, ସାମ୍ନାକୁ ଆସୁଛି ସେତେ ନୂଆ ନୂଆ ତଥ୍ୟ । ଜଣାପଡ଼ିଛି, ଦିଲ୍ଲୀରୁ ଓଡ଼ିଶା ଆସିବା ପରେ ପ୍ରଥମେ ଭୁବନେଶ୍ୱରରେ ଥିଲେ ସମ୍ପୃକ୍ତ ୪ ଋଷୀୟ ପର୍ଯ୍ୟଟକ । ଲିଙ୍ଗରାଜ ମନ୍ଦିର ନିକଟରେ ଉଠାଇଥିଲେ ଫଟୋ । ରାଜଧାନୀର ଦାମୀ ହୋଟେଲରେ ବୁକ୍ ହୋଇଥିଲା ୩ଟି ରୁମ୍ । ୨୧୨ ନମ୍ବର ରୁମ୍‌ରେ ଏକାଠି ରହୁଥିଲେ ଆଣ୍ଟୋଭ ଓ ଭ୍ଲାଦିମିର । ୨୩୦୫ରେ ନାଟାଲିଆ ଓ ମିଖାଇଲ୍ ରହୁଥିବା ବେଳେ, ୨୩୦୪ରେ ଥିଲେ ଟୁର୍ ଗାଇଡ୍ । ସମସ୍ତେ ଡିସେମ୍ବର ୧୯ ଦିନ ଗୋଟାଏରେ ଚେକ୍ ଇନ୍ କରି, ୨୦ ସକାଳ ୮ଟା ୧୧ରେ ଚେକ୍ ଆଉଟ୍ କରିଥିଲେ ।

ଭୁବନେଶ୍ୱରରୁ ସେମାନେ ଯାଇଥିଲେ କନ୍ଧମାଳ ଦାରିଙ୍ଗବାଡ଼ି । ସେଠାରେ କିରିକୁଟି ସ୍ଥିତ ପାନାସିଆ ଇକୋ ରିଟ୍ରିଟ୍‌ରେ ରାତି ବିତାଇଥିଲେ । ରିସର୍ଟ ମ୍ୟାନେଜର ଏନେଇ ମୁହଁ ଖୋଲିନଥିବା ବେଳେ, କର୍ମଚାରୀ କହିଛନ୍ତି ୪ ଜଣ ଯାକ ଅତ୍ୟଧିକ ନିଶାସକ୍ତ ଥିଲେ ଏବଂ ରାତି ସାରା ମଦ୍ୟପାନ କରିଥିଲେ । ୨୧ ସକାଳୁ ବ୍ରେଡ୍ ବଟର ଖାଇ ସଭିଏଁ ବାହାରି ଯାଇଥିଲେ ରାୟଗଡ଼ା ଅଭିମୁଖେ ।

କେବଳ ଋଷୀୟ ସାଂସଦ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁର କାରଣକୁ ନେଇ ନୁହେଁ, ଦୁହେଁ ଖ୍ରୀଷ୍ଟ ଧର୍ମାବଲମ୍ବୀ ହେବା ସତ୍ତ୍ୱେ ମୃତଦେହକୁ ପୋଲିସ ଦାହ ସଂସ୍କାର କରିବାକୁ ନେଇ ବି ଉପୁଜିଛି ସନ୍ଦେହ । ଏନେଇ ଚର୍ଚ୍ଚା ଜୋର ଧରିବା ପରେ, ନୂଆଦିଲ୍ଲୀରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ୍ ଟୁଇଟ୍ କରିଛନ୍ତି ଯେ, ୨ ଋଷୀୟଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଭାରତ ସରକାର ନେଉଥିବା ପଦକ୍ଷେପକୁ ଆମେ ପ୍ରଶଂସା କରୁଛୁ । ଋଷୀୟ ପରମ୍ପରା ଅନୁସାରେ, ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ଦାହ କରାଯାଇପାରିବ, କବର ମଧ୍ୟ ଦିଆଯାଇପାରିବ ।

ସେହିପରି କୋଲକାତା ସ୍ଥିତ ଋଷୀୟ କନ୍‌ସୁଲେଟ୍ ଜେନେରାଲ୍ ଜଣାଇଛନ୍ତି ଯେ, ୨ ମୃତକଙ୍କ ମରଶରୀରକୁ ଦାହ କରିବାକୁ ସେମାନଙ୍କ ନିକଟ ସଂପର୍କୀୟ ସ୍ପଷ୍ଟ ରୂପେ ସହମତି ଜଣାଇଥିଲେ ଏବଂ ଚିତାଭସ୍ମକୁ ଋଷିଆ ନେଇଯିବାକୁ କହିଥିଲେ ।