• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀରେ ବ୍ୟବସାୟୀଙ୍କ ନିଦ ହଜାଇଲେଣି ଚୋର । ରାସ୍ତା ଘାଟରୁ ଆରମ୍ଭ କରି ଗଳିକନ୍ଦି ଯାଏଁ ସବୁଠି ମାତିଛନ୍ତି ଲୁଟେରା । ଆଖି ପିଛୁଳାକେ ଗାଏବ କରି ଦେଉଛନ୍ତି କଷ୍ଟ ଅର୍ଜିତ ସମ୍ପତି । ମେଡିସିନ୍ ଦୋକାନରୁ ଅଭିନବ ଢଙ୍ଗରେ ଲୁଟ୍ ଘଟଣା ମନରୁ ନଯାଉଣୁ ପୁଣି ପଟିଆ ଶ୍ରୀବିହାର ଅଞ୍ଚଳର ଦୁଇଟି ଦୋକାନରୁ ଲୁଟି ନେଇଛନ୍ତି ଲୁଟେରା । ସେହିପରି ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ସୁନା ଦୋକାନୀଙ୍କ ଦୋକାନରୁ ସୁନା ଅଳଙ୍କାର ଲୁଟ୍ ଘଟଣାରୁ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ।

ବେଶ କିଛି ଦିନ ହେବ ରାଜଧାନୀରେ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା । ବିଭିନ୍ନ ଦୋକାନକୁ ଟାର୍ଗେଟ୍ କରୁଥିବାର ଦେଖିବାକୁ ମିଳୁଛି । ଟିକେ ସୁଯୋଗ ପାଇଲେ କଳାକନା ବୁଲାଇ ଦେଉଛନ୍ତି ଲୁଟେରା । ଆଖି ପିଛୁଳାକେ ଲୁଟ୍ କରି ଫେରାର୍ ହୋଇଯାଉଛନ୍ତି । ମେଡିସିନ୍ ଦୋକାନରୁ ଚୋରି ଘଟଣା ମନରୁ ନଲିଭୁଣୁ ପୁଣି ଏକ ସୁନା ଦୋକାନରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ଆସିଛି । ସୁନା ଦୋକାନରୁ ଗହଣା ଭର୍ତ୍ତି ବ୍ୟାଗ ନେଇ ଛୁ ମାରିଛନ୍ତି ଦୁଇ ଲୁଟେରା ଜଣକ ।

ଗହଣା ଭର୍ତ୍ତି ବ୍ୟାଗ ଧରି ଆଖିପିଛୁଳାକେ ଏକ ବାଇକରେ ବସି ଫେରାର ହୋଇଯାଇଥିବାର ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି । ଭୁବନେଶ୍ୱର ଲଷ୍ମୀସାଗର ଅଞ୍ଚଳର ବସନ୍ତ ଆଚାରୀ ନାମକ ଜଣେ ଗହଣା ଦୋକାନୀ ସକାଳ ପ୍ରାୟ ୮ଟାରେ ଦୋକାନ ଖୋଲିଥିଲେ । ୧୫ କେଜି ରୁପା, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ବ୍ୟାଗ୍ ଦୋକାନରେ ରଖି କବାଟ ଦେଇ ଠାକୁର ପୂଜା ପାଇଁ ନିକଟସ୍ଥ ପାଇପରୁ ପାଣି ଆଣିବାକୁ ଯାଇଥିଲା ବେଳେ ଦୋକାନ ଭିତରୁ ବ୍ୟାଗ ଧରି ଛୁ ମାରିଲେ ମୁଖା ପିନ୍ଧା ଲୁଟେରା । ଗତ ଦୁଇ ଦିନ ତଳେ ଘଟିଥବା ଏହି ଘଟଣାର ସିସିଟିଭି ଭିଜୁଆଲ ଏବେ ସାମନାକୁ ଆସିଛି । ଏନେଇ ଗହଣା ଦୋକାନୀ ଲକ୍ଷ୍ମୀ ସାଗର ଥାନାରେ ଅଭିଯୋଗ କରିଛନ୍ତି । ଏପଟେ ରାଜଧାନୀରୁ ଘନ ଘନ ଚୋରିକୁ ନେଇ ଉଦବେଗ ପ୍ରକାଶ ପାଇଛି ।

ସେପଟେ ପଟିଆ ଶ୍ରୀବିହାର ଅଞ୍ଚଳରେ ସିରିଜ ଲୁଟ୍ ଏବେ ଚିନ୍ତାର ବିଷୟ ପାଲଟିଛି । ଲଗାତର ନିଶାଡି ମାନେ ଚଳାଇଛନ୍ତି ଲୁଟ୍ । ଗତକାଲି ରାତିରେ ଏକ ଗ୍ରୋସେରୀ ଦୋକାନ କାନ୍ଥ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ କ୍ୟାସ୍ କାଉଣ୍ଟରରୁ ଟଙ୍କା ଲୁଟିନେଇଥିବାର ଅଭିଯୋଗ ହୋଇଛି । ଦୁଇ ଦିନ ତଳେ ସମାନ ଢଙ୍ଗରେ ସମାନ ସ୍ଥାନରୁ ଏକ ପୂଜା ସାମଗ୍ରୀ ଦୋକାନରୁ ୧୫ ହଜାର ଟଙ୍କା ଲୁଟି ନେଇଥିଲେ ଲୁଟେରା । ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ କିଛି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚାର ମଧ୍ୟ କରିଥିଲା । ହେଲେ ଚୋର ଏପର୍ଯ୍ୟନ୍ତ ଧରାପଡିନାହାନ୍ତି ।

ତେବେ ଏନେଇ ପୋଲିସ କମିଶନର ସୋମ୍ୟରଞ୍ଜନ ପ୍ରିୟଦର୍ଶୀ କହିଛନ୍ତି ଯେ, ଏପରି ଅନେକ ଲୁଟ ହେବା ପରେ ଏବେ ପୋଲିସ ପାଇଁ ଏହା ଚାଲେଞ୍ଜ ପାଲଟିଛି । ପୋଲିସ ସମସ୍ତ ଘଟଣାର କଡାକଡି ଭାବେ ତଦନ୍ତ ମଧ୍ୟ କରୁଛି ଏବଂ ଖୁବ ଶୀଘ୍ର ଲୁଟେରା ଧରାପଡିବେ ବୋଲି ସେ କହିଛନ୍ତି ।