• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଉରକେଲାର ମହିଳା ASI ଆଲିଶା ନରମି ଲୁଗୁନଙ୍କ କେମିତି ହେଲା ମୃତ୍ୟୁ ? ପୋଷ୍ଟମର୍ଟମ ରିପୋର୍ଟରୁ ଆସିଲା ବଡ଼ ଅପଡେଟ୍ । ଆଲିଶାଙ୍କ ମୃତ୍ୟୁ କୌଣସି ଆକ୍ରମଣ ପାଇଁ ହୋଇନି କିମ୍ବା ତାଙ୍କ ଦେହରେ ସେଭଳି କୌଣସି ଆକ୍ରମଣର ଚିହ୍ନବର୍ଣ୍ଣ ବି ନାହିଁ । ବରଂ ତାଙ୍କ ଶରୀରର ଅତ୍ୟଧିକ ହରମୋନ୍ କ୍ଷରଣ ଯୋଗୁ ନିଃଶ୍ୱାସ ପ୍ରଶ୍ୱାସରେ ତାଙ୍କର ସମସ୍ୟା ଦେଖାଦେଇଥିଲା ଏବଂ ମେଡ଼ିକାଲ୍ ନେବା ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ରାଉରକେଲା ଏସ୍.ପି ମିତ୍ରଭାନୁ ମହାପାତ୍ର । ତା’ସହ କହିଛନ୍ତି, ଆଲିଶା ଲୁଗୁନଙ୍କ ପୋଷ୍ଟ ମର୍ଟମ ରିପୋର୍ଟକୁ ଭୁବନେଶ୍ୱର ଏମ୍ସକୁ ପଠାଯାଇଥିଲା ।

ରାଉରକେଲା ଉଦିତନଗର ଥାନାର ମହିଳା ASI ଆଲିଶା ଲୁଗୁନଙ୍କ ମୃତ୍ୟୁ ପୂର୍ବର ଶେଷ ଭିଡ଼ିଓ ମଧ୍ୟ କିଛିଦିନ ତଳେ ଦେଖିବାକୁ ମିଳିଥିଲା । RMC ଛକ ନିକଟ ରିଂ ରୋଡରେ ସଡ଼କ ଦୁର୍ଘଟଣାସ୍ଥଳରେ ASI ପହଞ୍ଚିଥିବା ବେଳେ କେମିତି ପାଟିତୁଣ୍ଡ ହୋଇଥିଲା ତା’ର ଭିଡ଼ିଓ ସାମ୍ନାକୁ ଆସିଥିଲା । ସେ ଜଣେ ମହିଳାଙ୍କ ହାତ ଧରିଥିବାବେଳେ ତାଙ୍କୁ ଛଡ଼ାଇବା ପାଇଁ ଆଉ କିଛି ବ୍ୟକ୍ତି ଉଦ୍ୟମ କରୁଥିଲେ । କେବଳ ଉଦ୍ୟମ ନୁହଁ, ଟଣାଓଟରା ବି ଜାରି ରହିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ବସ୍ ଏବଂ କାର ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦେଖାଦେଇଥିଲା ଉତ୍ତେଜନା । କାର୍ ମାଲିକଙ୍କ ସଂପର୍କିୟ ପହଞ୍ଚି ବସର କାଚ ଭଙ୍ଗାରୁଜା କରିଥିଲେ । ଏହି ଘଟଣା ସଂପର୍କରେ ଖବର ପାଇ ପହଞ୍ଚିଥିଲେ ମହିଳା ASI ଆଲିଶା ଲୁଗୁନ୍ । ଆଉ ଜଣଙ୍କୁ ଧରିବା ପରେ ଆରମ୍ଭ ହୋଇଯାଇଥିଲା ପାଟିତୁଣ୍ଡ ।

ଗଣ୍ଡଗୋଳ ବେଳେ ବିଲକୁଲ୍ ସୁସ୍ଥ ଥିବା ଦେଖାଯାଉଥିଲେ ASI ଲୁଗୁନ୍ । କିନ୍ତୁ ଏହାର କିଛି ସମୟ ପରେ ଅସୁସ୍ଥ ହୋଇଥିବା ଦର୍ଶାଇ ତାଙ୍କୁ ନିଆଯାଇଥିଲା ରାଉରକେଲା ସରକାରୀ ମେଡ଼ିକାଲକୁ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉଦିତନଗର ପୋଲିସ ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।