• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁଗଲ ମ୍ୟାପ୍‌ ସାହାଯ୍ୟରେ ଚୋରି । ସ୍ମାର୍ଟ ଯୁଗରେ ସ୍ମାର୍ଟ ତରିକା ଆପଣାଉଥିଲେ ଚୋର । ଗୋରଖପୁରର ସାହଜନୱାନରେ ଚୋରିର ଏପରି ଏକ ନିଆରା ମାମଲା ସାମ୍ନାକୁ ଆସିଛି । ଚୋରମାନେ କେବଳ ମନ୍ଦିରରୁ ବଡ଼ ବଡ଼ ଘଣ୍ଟି ଚୋରି କରୁଥିଲେ । ବିଶେଷ କଥା ହେଉଛି ସେମାନେ ଗୁଗୁଲ୍ ମ୍ୟାପ୍ ମାଧ୍ୟମରେ ମନ୍ଦିରକୁ ଟାର୍ଗେଟ କରୁଥିଲେ । ଚୋରି ପାଇଁ ଗାଁ ବାହାରେ ଥିବା ମନ୍ଦିରକୁ ହିଁ ବାଛୁଥିଲେ । ପୋଲିସ ସୂଚନା ଅନୁସାରେ ଚୋରମାନେ ପାଠୁଆ ହୋଇନଥିଲେ ହେଁ କିନ୍ତୁ ଇଣ୍ଟରନେଟ୍ ବିଷୟରେ ତାଙ୍କର ପ୍ରଗାଢ଼ ଜ୍ଞାନ ଥିଲା । ଆଉ ଏହି ଜ୍ଞାନକୁ ଉପଯୋଗ କରି ସେମାନେ ଚୋରି କରୁଥିଲେ ।

ସବୁଦିନ ପରି ଶନିବାର ବିଳମ୍ବିତ ରାତିରେ ମଧ୍ୟ ଏକ ମନ୍ଦିର ଉପରେ ଥିଲା ଚୋରଙ୍କ ନଜର । ସାଜନୱାନର ପାଲି ବ୍ଲକ ଅବସ୍ଥିତ ଚଣ୍ଡୀ ମନ୍ଦିରକୁ ଘଣ୍ଟି ଚୋରି ପାଇଁ ପହଞ୍ଚିଥିଲେ। ଚୋରମାନେ ମନ୍ଦିରରୁ ୮ଟି ବଡ଼ ବଡ଼ ଘଣ୍ଟି କାଟି ମୋଟରସାଇକେଲରେ ନେବାକୁ ଲୋଡ୍ କରିଥିଲେ । ହେଲେ ପାଟ୍ରୋଲିଂ ବେଳେ ବାଇକ୍ ଆରୋହୀଙ୍କୁ ଅଟକାଇଥିଲା ପୋଲିସ୍ । ଆଉ ଧରାପଡ଼ିବା ଭୟରେ ସମସ୍ତେ ଫେରାର ମାରିଥିଲେ ।

ସନ୍ଦେହରେ ପୋଲିସ ମଧ୍ୟ ସେମାନଙ୍କୁ ଗୋଡ଼ାଇ ଧରିଥିଲା। ପରେ ସେମାନଙ୍କ ଠାରୁ ୮ଟି ଘଣ୍ଟି, ରେଞ୍ଚି, ଶାବଳ ଆଦି ଉଦ୍ଧାର କରାଯିବା ସହ ସେମାନଙ୍କୁ ଗିରଫ କରାଯାଇଛି । ସେମାନେ ସନ୍ଥ କବୀରନଗର ଜିଲ୍ଲାର ବାସିନ୍ଦା ବ୍ରିଜେଶ ଏବଂ ଧରମବୀର ବୋଲି ଜଣାପଡିଛି। ତେବେ ଏହି ଚୋରି ଘଟଣାରେ ଦୁଇ ନାବାଳକ ମଧ୍ୟ ସାମିଲ ଥିବା ଜଣାପଡ଼ିଛି ।

ପୋଲିସ୍‌ ସୂଚନା ଅନୁସାରେ, ଚୋରମାନେ ପ୍ରଥମେ ଗୁଗଲ ମ୍ୟାପ୍‌ ସାହାଯ୍ୟରେ ମନ୍ଦିରର ଲୋକେସନ୍‌ ଖୋଜୁଥିଲେ । କେଉଁ କେଉଁ ମନ୍ଦିର ଗାଁ ବାହାରେ ଅଛି ପ୍ରଥମେ ଦେଖୁଥିଲେ । ଫଳରେ ଚୋରି କଲେ ଧରାପଡ଼ିବା ଭୟ କମ୍‌ ରହୁଥିଲା । ଆଉ ତା’ପରେ ଚୋରି କରିବା ପାଇଁ ବାହାରି ପଡ଼ୁଥିଲେ ।

ତେବେ ଗିରଫ ପରେ ଚୋରଙ୍କ ଠାରୁ କିଲୋଗ୍ରାମ ଏବଂ ଅବଶିଷ୍ଟ ୭-୭ କିଲୋଗ୍ରାମର ୪୦ଟି ଘଣ୍ଟି ଉଦ୍ଧାର କରାଯାଇଛି, ଯାହାର ମୂଲ୍ୟ ଏକ ଲକ୍ଷରୁ ଅଧିକ । ଚୋରି ହୋଇଥିବା ଘଣ୍ଟି ଗୁଡ଼ିକ ସନ୍ କବୀର ନଗରର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରୁଥିଲେ, ବର୍ତ୍ତମାନ ତାଙ୍କୁ ମଧ୍ୟ ଧରିବା ପାଇଁ ଏକ ଟିମ୍ ନିୟୋଜିତ କରାଯାଇଛି ।