• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀ ଉପକଣ୍ଠ ପରେ ଏବେ ପିପିଲିରେ ମାତିଛନ୍ତି ମୂର୍ତ୍ତି ଚୋର । ପିପିଲି ଥାନା ସମ୍ପୁର ପଞ୍ଚାୟତ ରାଜତଇ ସିଦ୍ଧେଶ୍ୱରୀ ମନ୍ଦିରରୁ ୧୦ଟି ମୂର୍ତ୍ତି ଚୋରି ହୋଇଥିବା ଅଭିୟୋଗ ହୋଇଛି । ସେମଧ୍ୟରୁ ୫ଟି ନୂଆ ମୂର୍ତ୍ତି ଥିବାବେଳେ, ୫ଟି ଅଷ୍ଟଧାତୁରେ ତିଆରି ମୂର୍ତ୍ତି ରହିଥିବାର ସୂଚନା ମିଳିଛି ।

ଚୋରି ନେଇ ପିପିଲି ଥାନାରେ ଏତଲା ଦେଇଛନ୍ତି ପୂଜକ ଓ ଗ୍ରାମବାସୀ । ଚୋରି ମୂର୍ତ୍ତିର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ । ଘଟଣାସ୍ଥଳରେ ପିପିଲି ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଘଟଣାସ୍ଥଳରୁ ଗୋଟିଏ ଭଙ୍ଗା ଯାଇଥିବା କୋଲପ ଜବତ କରାଯାଇଛି । କିଛି ଦିନ ତଳେ କଣାସ ବୈଦନାଥପାଟଣାର ବୈଦ୍ୟନାଥ ମନ୍ଦିର ଓ ସତ୍ୟବାଦୀ ସମଶରପୁରର ଗୋପୀନାଥ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିଲା । ଉଭୟ ଘଟଣାରେ ପୋଲିସର ହାତ ଖାଲିଥିବା ବେଳେ, ପୁଣି ମୂର୍ତ୍ତି ଚୋରି କରି ପୋଲିସକୁ ଚାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ ।

ରାଜ୍ୟରେ ସାଂଘାତିକ ଭାବେ ବଢ଼ି ଚାଲିଛି ମୂଲ୍ୟବାନ ତଥା ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରି । ଗୋଟିଏ ପରେ ଗୋଟିଏ ମନ୍ଦିରରେ କଳାକନା ବୁଲାଉଛନ୍ତି ଦୁର୍ବୃତ୍ତ । ଗତ ମାର୍ଚ୍ଚ ମାସରେ ପୁରୀ ବୀରନରସିଂହପୁରର ଏକ ମନ୍ଦିରରୁ ୫ ମୂର୍ତ୍ତି ଚୋରି ହେବା ପରେ ଗତ ୮ ତାରିଖ ରାତିରେ ରାଜଧାନୀ ଉପକଣ୍ଠ ଟଙ୍କପାଣି ମନ୍ଦିରରୁ ଚୋରି ହୋଇଛି ୮ଟି ମୂଲ୍ୟବାନ ମୂର୍ତ୍ତି । ବାଲିଅନ୍ତା ଥାନା ଅଞ୍ଚଳରେ ତ ଗତ ୬ମାସରେ ୫ ମନ୍ଦିରରୁ ହରଣଚାଳ ହେଲାଣି ୩୯ରୁ ଅଧିକ ମୂର୍ତ୍ତି । ଯାହାକି ପୋଲିସର ନିଦ ହଜାଇଥିବା ବେଳେ ଭକ୍ତଙ୍କ ମନରେ ବିଦ୍ୱେଷ ସୃଷ୍ଟି କରିଛି ।