• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଚୋରଙ୍କ ଚରାଭୂଇଁ ପାଲଟିଛି କି ରାଜଧାନୀ । କମିଶନରେଟ୍ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ୍ ପରେ ଲୁଟ୍ କରିଚାଲିଛନ୍ତି ଲୁଟେରା । ଆଉ ଟାର୍ଗେଟରେ ରହିଛି ଭୁବନେଶ୍ୱରର ସୁରକ୍ଷିତ କୁହାଯାଉଥିବା ଆପାର୍ଟମେଣ୍ଟ । ଗତକାଲି ଗାଡ଼କଣ ଅଂଚଳରେ ଥିବା ସ୍ପେଶ୍ ଟାଉନ୍ ଆପାର୍ଟମେଣ୍ଟର ୫ଟି ଫ୍ଲାଟରେ କଳାକନା ବୁଲାଇଛନ୍ତି ଲୁଟେରା । ଏ ଗ୍ୟାଙ୍ଗ୍ କେଉଁଠାରୁ ଆସିଛନ୍ତି ? ଆମ ରାଜ୍ୟର ନା ରାଜ୍ୟ ବାହାରର ? ପୋଲିସ୍ ଏହାର ଟେର୍ ପାଉନଥିବା ବେଳେ ପ୍ରଶ୍ନ ଉଠିଛି , କେତେ ସୁରକ୍ଷିତ ରାଜଧାନୀର ଆପାର୍ଟମେଣ୍ଟ ।

ଆପାର୍ଟମେଣ୍ଟ ବାସିନ୍ଦାଙ୍କ ମୁହଁରେ ରାଗ ଆଉ ଆକ୍ରୋଶ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ସେମାନଙ୍କ ଧନ ଆଉ ଜୀବନକୁ କିଏ ଦେବ ସୁରକ୍ଷା ? ଆଉ ଏହି ପ୍ରଶ୍ନ ପଚାରୁଛନ୍ତି ଆପାର୍ଟମେଣ୍ଟ ବାସିନ୍ଦା । କାରଣ, ଗତକାଲି ରାତିରେ ପାଂଚ ପାଂଚଟି ଫ୍ଲାଟରେ ପଶି କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ଭୁବନେଶ୍ୱର ଗାଡକଣ ଅଞ୍ଚଳର ସ୍ପେଶ୍ ଟାଉନ୍ ଆପାର୍ଟମେଣ୍ଟରୁ ହୋଇଛି ସିରିଜ୍ ଲୁଟ୍ । ଆପାର୍ଟମେଣ୍ଟର ୫ଟି ବ୍ଲକର ୫ଟି ଫ୍ଲାଟକୁ ଟାର୍ଗେଟ୍ କରିଛନ୍ତି ଲୁଟେରା ।

ଘରେ କେହି ନଥିବାର ସୁଯୋଗ ନେଇ ଆଲମିରା ଭାଙ୍ଗି ସୁନା ଗହଣା ଓ ଟଙ୍କା ଧରି ଚମ୍ପଟ ମାରିଛନ୍ତି । ସବୁ ଘରର ମୁଖ୍ୟ କବାଟ ତାଲା ଭାଙ୍ଗି ବେଧଡକ ପଶିଛନ୍ତି ଚୋର। ଫ୍ରିଜରୁ ଡ୍ରାଏ ଫ୍ରୁଟସ ଖାଇଛନ୍ତି, ଫ୍ରୁଟି ବି ପିଇଛନ୍ତି । ତାପରେ ବେଶ୍ ଆରାମରେ ଲୁଟ୍ କରି ଫେରାର ମାରିଛନ୍ତି ।

ଚୋରି ସମୟର ନା ସିସିଟିଭି ଫୁଟେଜ୍ ଅଛି ନା ଚୋରଙ୍କୁ କିଏ ଦେଖିଛନ୍ତି । ରାତି ପାହିବା ପରେ ଘର ଖାଲି ଦେଖି ମାଲିକ ପୋଲିସରେ ଅଭିଯୋଗ କରିଥିଲେ । ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ଆରମ୍ଭ ହୋଇଥିଲେ ବି ଏଯାଏଁ ପୋଲିସ ହାତ ଖାଲି ।

୧୪ ଅକ୍ଟୋବର ୨୦୨୩, ଚନ୍ଦକା ଥାନା ଅନ୍ଧାରୁଆର ଏମ.ଜେ ଉଡ୍ ଆପାର୍ଟମେଣ୍ଟରୁ ଲୁଟ୍ । ଘରେ କେହି ନଥିବାବେଳେ କଳାକନା ବୁଲାଇଲେ ଦୁବୃର୍ତ୍ତ । ୧୬ ଅକ୍ଟୋବର ୨୦୨୩, ଇନଫୋସିଟି ଥାନା ରାଜବାଟିକା ଆପାର୍ଟମେଣ୍ଟରୁ ଲୁଟ୍ । ୪ଟି ଫ୍ଲାଟରୁ ଲୁଟିନେଲେ କୋଟିଏରୁ ଅଧିକ ସମ୍ପତି । ୪ ନଭେମ୍ବର ୨୦୨୩ ଭରତପୁର ଥାନା ଶ୍ରୀକ୍ଷେତ୍ର ରେସିଡେନ୍ସିରେ ଚୋରି । ୩ଟି ଫ୍ଲାଟରେ ଦୁବୃର୍ତ୍ତ ବୁଲାଇଲେ କଳାକନା ।

ଗତ ରବିବାର ମଞ୍ଚେଶ୍ୱର ରେଲୱେ କଲୋନୀ B 15/2 କ୍ୱାର୍ଟର୍ସରେ ପଶି ଟଙ୍କା ଓ ସୁନା ଲୁଟି ନେଇଛନ୍ତି ୩ ଲୁଟେରା । ଯାହାର ଚିତ୍ର କଏଦ ହୋଇଛି ସିସିଟିଭିରେ । ରାଜଧାନୀରେ କିଛି ଦିନ ହେଲା ସିରିଜ୍ ଲୁଟ୍ ଜାରି ରହିଥିବା ବେଳେ କମିଶନରେଟ୍ ପୋଲିସ ଯେମିତି ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି ।

  • Reported by:
  • ARACHANA SATPATHY