• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜଧାନୀର ଛାତି ଉପରେ ଆତଙ୍କରାଜ । ବିଚ୍ ରାସ୍ତାରେ ବେଧଡ଼କ ବୁଲୁଛି ଖଣ୍ଡା, କାତି । ହାତରେ ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ଆକ୍ରମଣ କରୁଛନ୍ତି ଦୁର୍ବୃତ୍ତ । ଯାହାକୁ ପାଇଲେ ତାକୁ ଅତି ନିର୍ଦ୍ଦୟ ଭାବେ ହାଣି ପକାଇଛନ୍ତି । ନା କାହାର ଭୟ ନା କାହାକୁ ଖାତିର । ସିସିଟିଭିରେ କଏଦ ଏହି ଦୃଶ୍ୟ ଗତକାଲି ରାତିର।

ରାଜଧାନୀର ଶିଶୁପାଳଗଡ଼ରେ ହାତରେ ମାରଣାସ୍ତ୍ର ଧରି ୩ଟି ବାଇକରେ ମାଡ଼ି ଆସୁଛନ୍ତି ୯ ଜଣ ଆସାମାଜିକ ଯୁବକ । ଆଉ, ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ଯୁବକଙ୍କୁ ଅତର୍କିତ ଆକ୍ରମଣ କରୁଛନ୍ତି । ନୃଶଂସତା ଏତେ ଭରି ରହିଛି ଯେ, ଯୁବକ ଜଣକ ଦୌଡି ପଳାଇବା ପରେ ତାଙ୍କ ଗାଡ଼ିକୁ ଖଣ୍ଡାରେ ହାଣି ପକାଉଛନ୍ତି । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆତଙ୍କ ଖେଳାଇଛନ୍ତି ସମଗ୍ର ଅଂଚଳରେ ।

ଆଜି ସକାଳେ ଦେଖିଆ ବେଳକୁ ଦୁର୍ବୃତ୍ତଙ୍କ ଆକ୍ରମଣରେ ନଷ୍ଟ ହୋଇଯାଇଛି ଏକାଧିକ ଗାଡି । ଶିଶୁପାଳଗଡ କ୍ଲବ ସାମନାରେ ବ୍ୟାପକ ଭଙ୍ଗାରୁଜା ବି ହୋଇଛି । ଦୁର୍ବୃତ୍ତଙ୍କ  ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ଅସାମାଜିକ ଯୁବକଙ୍କ ଆତଙ୍କରାଜକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ସେମାନଙ୍କ ଗିରଫ ଦାବିରେ ଗତକାଲି ରାତିରେ ଭୁବନେଶ୍ୱର-ପୁରୀ ରାସ୍ତାକୁ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ଦୁର୍ବୃତ୍ତଙ୍କ ନାଁରେ ପୂର୍ବରୁ ବି ଅନେକ ମାମଲା ରହିଥିବା ଜଣାପଡିଛି । ଏଭଳି ସ୍ଥିତିରେ ଭାଇରାଲ ହେଉଛି, ଗତକାଲି ଆତଙ୍କରାଜ ଖେଳାଇଥିବା ଦୁର୍ବୃତ୍ତଙ୍କ କିଛି ରିଲ୍ସ ଭିଡିଓ । ଯାହାକୁ ତଦନ୍ତ ପରିସରକୁ ନେଇଥିବା ପୋଲିସ କହୁଛି ।

ରାଜଧାନୀରେ ଆତଙ୍କରାଜର ଏଭଳି ଘଟଣା ନୂଆ ନୁହେଁ । କିଛି ଦିନ ତଳେ ବ୍ୟସ୍ତ ବହୁଳ ସହିଦ ନଗର ଅଂଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖୋଲାଖୋଲି ଗଣ୍ଡଗୋଳ ଓ ମାରପିଟ୍ ହୋଇଥିଲା । ଏପରିକି ମାରଣାସ୍ତ୍ର ଧରି ଉପସ୍ଥିତ ଲୋକଙ୍କୁ ଭୟଭୀତ କରାଇଥିଲେ ଦୁର୍ବୃତ୍ତ । ସେହିପରି ଡେଲଟା ଛକରେ ଜନ୍ମଦିନ ମନାଇବାକୁ ଯାଇ ଖଣ୍ଡାରେ କେକ୍ କାଟିବା ଏବଂ ପରେ ପୋଲିସ ଉପସ୍ଥିତିରେ ଗାଡି ଭଙ୍ଗାରୁଜା ହୋଇଥିଲା । ଏସବୁ ଘଟଣା ରାଜଧାନୀର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଚିହ୍ନ ଠିଆ କରିଛି ।

  • Reported by:
  • ATULYA BOUT