Crime
ରାଜସ୍ଥାନ ଉଦୟପୁରରେ ଜଘନ୍ୟ ହତ୍ୟାକାଣ୍ଡ । ନୁପୂର ଶର୍ମା ସମର୍ଥନରେ ସୋସିଆଲ୍ ମିଡିଆ ପୋଷ୍ଟ କରିଥିବା ଜଣେ ଟେଲରକୁ ହତ୍ୟା କରି ତାର ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କଲେ ୨ ଦୁର୍ବୃତ୍ତ । ଟେଲର୍ ଜଣକ ଲୁଗା ସିଲେଇ ପାଇଁ ମାପ ନେଉଥିବା ବେଳେ ହତ୍ୟାକାରୀ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି ।
ଆଉ ଏକ ଭିଡିଓରେ ୨ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇବା ସହିତ ନୁପୂର ଶର୍ମା ସଂପର୍କିତ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଏହି ହତ୍ୟାକାଣ୍ଡ ସେମାନେ ଘଟାଇଥିବା ସ୍ୱୀକାର କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ସେମାନେ ଧମକ ଦେଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏହି ଘଟଣା ପରେ ଉଦୟପୁରରେ ଉତ୍ତେଜନା ପ୍ରକାଶ ପାଇଛି । ମାଲଦାସ ଷ୍ଟ୍ରିଟ୍ ଏରିଆରେ ଦୋକାନ ବଜାର ବନ୍ଦ ରହିବା ସହିତ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ତେଣେ ପୋଲିସ ହତ୍ୟାକାରୀଙ୍କୁ ଚିହ୍ନଟ କରିଥିବା କହିଛି । ସେମାନଙ୍କୁ ଖୋଜା ଚାଲିଥିବା ସୂଚନା ଦେଇଛନ୍ତି ଉଦୟପୁର ଏସ୍ପି । ୨୪ ଘଣ୍ଟା ପାଇଁ ଉଦୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ସେଠାକୁ ୬ଶହ ଅତିରିକ୍ତ ପୋଲିସ କର୍ମଚାରୀ ପଠାଯାଇଛି । ଅନ୍ୟପକ୍ଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)