Advertisment

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ହଟିନି ରାଗିଂ ବ୍ୟାଧି ! ହଷ୍ଟେଲରୁ ବିଦା ହେବେ ୪ ଅନ୍ତେବାସୀ

ହଷ୍ଟେଲରୁ ବିଦା ହେବାକୁ ଯାଉଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୪ ଛାତ୍ର । ପିଜି ଦ୍ୱିତୀୟ ବର୍ଷର ଏହି ୪ ଛାତ୍ରଙ୍କ ସମେତ ମୋଟ ୧୭ ଜଣଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ।

author-image
Sujit kumar Swain
undefined

Ragging Incident

ଫ୍ରେସରଙ୍କୁ ରାଗିଂ କରି ହଷ୍ଟେଲରୁ ବିଦା ହେବାକୁ ଯାଉଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୪ ଛାତ୍ର । ପିଜି ଦ୍ୱିତୀୟ ବର୍ଷର ଏହି ୪ ଛାତ୍ରଙ୍କ ସମେତ ମୋଟ ୧୭ ଜଣଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ରାଗିଂ ଭଳି ଏକ ସଂଗୀନ ଘଟଣାକୁ ନେଇ ଭଞ୍ଜବିହାରକୁ ପୁଣିଥରେ ବଦନାମ ହେବାକୁ ପଡ଼ିଛି । ତେବେ ତମାମ୍ ଆଇନକାନୁନ, ସଚେତନତା ଓ ଆକ୍ସନ ସତ୍ତ୍ୱେ କ୍ୟାଂପସକୁ କାହିଁକି ରାଗିଂ ରୋଗରୁ ମୁକ୍ତ କରିହେଉନି, ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଶିକ୍ଷାବିତ ରାଗିଂକୁ ଏକ ସାମାଜିକ ସମସ୍ୟା ଓ ମାନସିକ ବିକୃତି ବୋଲି କହିଛନ୍ତି।

Advertisment

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ହଟିନି ରାଗିଂ ବ୍ୟାଧି !  ରାଗିଂ କରି ହଷ୍ଟେଲରୁ ବିଦା ହେବାକୁ ଯାଉଛନ୍ତି ୪ ଅନ୍ତେବାସୀ । ୧୭ ସିନିୟର ଛାତ୍ରଙ୍କ ଉପରେ ଭିସିଙ୍କ କଡ଼ା ଆକ୍ସନ୍ । ସୂଚନା ଅନୁସାରେ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫ ନମ୍ୱର ଛାତ୍ରାବାସରେ ରାଗିଂର ଶିକାର ହୋଇଥିବା ନେଇ, ଜଣେ ପ୍ରଥମ ବର୍ଷର ଛାତ୍ର ସିଧାସଳଖ ୟୁଜିସିକୁ ଲିଖିତ ଅଭିଯୋଗ ପଠାଇଥିଲେ । ଗତମାସ ୨୧ ତାରିଖ ରାତିରେ ତାଙ୍କୁ ଅନ୍ୟ ହଷ୍ଟେଲର କିଛି ଦ୍ୱିତୀୟ ବର୍ଷର ଛାତ୍ର ମାନସିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ । ସେହି ଆଧାରରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଥିଲେ ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ-ୟୁଜିସି । ଏହାପରେ ୧୨ ଜଣିଆ ଆଣ୍ଟି ରାଗିଂ କମିଟି ଦ୍ୱାରା ଘଟଣାର ପୁଙ୍ଖନାପୁଙ୍ଖ ତଦନ୍ତ କରି ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।

ହଷ୍ଟେଲରେ ସିସିଟିଭି ଫୁଟେଜ ଯାଞ୍ଚ, ଅନ୍ତେବାସୀଙ୍କୁ ପଚରାଉଚରା ଏବଂ ଅଭିଯୋଗ ଆସିଥିବା ସିନିୟର ଛାତ୍ରଙ୍କୁ ଜେରା ପରେ; ୧୭ ଛାତ୍ରଙ୍କ ବିରୋଧରେ ହୋଇଛି ଆକ୍ସନ। ନାଗାବଳୀ, ଋଷିକୁଲ୍ୟା ଓ ବଂଶଧାରା ହଷ୍ଟେଲରେ ରହୁଥିବା ତୃତୀୟ ସେମିଷ୍ଟାରର ୪ ଛାତ୍ରଙ୍କୁ ସପ୍ତାହେ ଭିତରେ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ୧୩ ଜଣଙ୍କୁ ହଜାରେ ଟଙ୍କା ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି। ଏନେଇ ସବିଶେଷ ରିପୋର୍ଟ ୟୁଜିସିକୁ ପଠାଯାଇଥିବା କହିଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି।

Advertisment

ରାସ୍ତାକଡ଼, କାନ୍ଥବାଡ଼, ସବୁଠି ଲାଗିଛି 'ନୋ ରାଗିଂ ପୋଷ୍ଟର । ହେଲେ ରାଗିଂ ମୁକ୍ତ କ୍ୟାଂପସ ପାଇଁ ଏତିକି ଯେ ଯଥେଷ୍ଟ ନୁହେଁ , ତାହା ପୁଣି ଥରେ ପ୍ରମାଣିତ ହୋଇଛି । ଏହି ଘଟଣା ପରେ, ଆହୁରି କେତେକ ଦିଗକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶ୍ୱବିଦ୍ୟାଳୟରେ ଆଣ୍ଟି ରାଗିଂ ସେଲ୍ ଥାଉ ଥାଉ, ରାଗିଂର ଶିକାର ଛାତ୍ରଜଣକ ସିଧାସଳଖ ୟୁଜିସିରେ କାହିଁକି ଅଭିଯୋଗ କଲେ ? ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଉଚିତ କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ତାଙ୍କର ଭରସା ନଥିଲା; ନା ସେ ଏକଥା ପୂର୍ବରୁ ଜଣାଇଥିଲେ ବି ଘଟଣାକୁ ଚାପି ଦେବାକୁ ଚେଷ୍ଟା ହୋଇଥିଲା ? ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ, ଭିସି କହିଛନ୍ତି- ରାଗିଂ ରୋକିବା ପାଇଁ ନୂଆ ଓ ପୁରୁଣା ଛାତ୍ରଙ୍କୁ ଭିନ୍ନ ଭିନ୍ନ ହଷ୍ଟେଲରେ ରଖାଯାଉଛି। ପ୍ରତ୍ୟେକ ଛାତ୍ରାବାସକୁ ସୁପରିଣ୍ଟେଣ୍ଡେଣ୍ଟ ଓ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟମାନେ ସନ୍ଧ୍ୟାବେଳେ ରାଉଣ୍ଡରେ ଯାଉଛନ୍ତି । ଏଥିସହ ୨ ଜଣ ସିକ୍ୟୁରିଟି ଗାର୍ଡ ଓ ସିସି କ୍ୟାମେରା ବ୍ୟବସ୍ଥା କରାଯାଇଛି।

ରାଗିଂ ମୁକ୍ତ କ୍ୟାମ୍ପସ ଲକ୍ଷ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ରହିଛି ସରକାରୀ ନିୟମ। ଆଣ୍ଟି ରାଗିଂ ସେଲ୍ ଗଠନ, ଆଣ୍ଟି ରାଗିଂ ସ୍କ୍ୱାଡର ସର୍ପ୍ରାଇଜ୍ ରେଡ୍, ଆଣ୍ଟି ରାଗିଂ ହେଲ୍ପଲାଇନ ଆଦି ସହ ନାମଲେଖା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆଫିଡେଭିଟର ବି ପ୍ରାବଧାନ ରହିଛି । ହେଲେ ନିୟମ ଗୋଟିଏ ବାଟରେ, ବାସ୍ତବତା ଆଉ ଗୋଟିଏ ବାଟରେ। ଶିକ୍ଷାବିତଙ୍କ ମତରେ, ରାଗିଂ ଏକ ସାମାଜିକ ସମସ୍ୟା। ତେଣୁ ଏହାକୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଅପେକ୍ଷା ସଚେତନତା ସୃଷ୍ଟି ଅଧିକ ଜରୁରୀ। ବ୍ରହ୍ମପୁର ୟୁନିରର୍ସିଟି ପୂର୍ବତନ କୁଳପତି କହିଛନ୍ତି ଶିକ୍ଷାବର୍ଷ ଆରମ୍ଭର ପ୍ରଥମ ୨-୩ ମାସରେ ହିଁ ଅଧିକ ରାଗିଂ ଘଟଣା ସାମ୍ନାକୁ ଆସୁଥିବାରୁ, ଏସମୟରେ କର୍ତ୍ତୃପକ୍ଷଙ୍କୁ ଅଧିକ ଆଲର୍ଟ ରହିବା ଉଚିତ୍।

ଏକ ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୨୦-୨୧ ଶିକ୍ଷାବର୍ଷରେ ୩୯ଟି ରାଗିଂ କେସ୍ ଓ ୨୦୨୧-୨୨ରେ ୨୧ଟି ରାଗିଂ ଅଭିଯୋଗ ଆସିଥିଲା। ସର୍ବାଧିକ ରାଗିଂ ଅଭିଯୋଗ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ତାଲିକାରେ ତୃତୀୟ ସ୍ଥାନରେ ଥିଲା।

Ragging Berhampur University
Advertisment
Advertisment