• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବୃଦ୍ଧ ବାପାକୁ ପୁଅର ବଳି ଉଦ୍ୟମ । ଘଟଣା ବିଶ୍ୱାସ ନହେଲା ଭଳି । ଘଟଣା ସଭ୍ୟ ସମାଜକୁ ଚକିତ କଲା ଭଳି । ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ବେଲପଡ଼ା ଗାଁରୁ । ପିତୃଦ୍ରୋହୀ ପୁଅ ଲିଙ୍ଗରାଜ ଭୋଇ, ଯାହାକୁ ଏବେ ବାନ୍ଧିଛି ପୋଲିସ୍ । ପୋଲିସ୍ ସୂଚନା ଅନୁସାରେ କିଛିଦିନ ହେଲା ଲିଙ୍ଗରାଜକୁ ଭୂ-ସମ୍ପତ୍ତି ହାସଲ ଲୋଭ ସହ ରାତାରାତି ଧନୀ ହେବା ନିଶା ଘାରିଥିଲା ।

ଏଥିପାଇଁ ସେ ପାଖ ଗାଁ ରାଜପୁରର ତାନ୍ତ୍ରିକ ଚିତ୍ରସେନ ରଣାକୁ ଭେଟିଥିଲା । ମଣିଷ ବଳିଦେଲେ ମନସ୍କାମନା ପୂରଣ ହେବ ବୋଲି ଲିଙ୍ଗରାଜକୁ ତାନ୍ତ୍ରିକ ଚିତ୍ରସେନ ମନ୍ତ୍ରଣା ଦେବା ପରେ, ଘରେ ଏକ ପୂଜାର ଆୟୋଜନ କରିଥିଲା ଲିଙ୍ଗରାଜ । ଘରେ ଏକ ପୂଜାସ୍ଥଳ ପ୍ରସ୍ତୁତି କରାଯାଇଥିଲା । ଯେଉଁଠି ତନ୍ତ୍ରପୂଜା ଶେଷ ହେବା ପରେ ନିଜ ୭୦ବର୍ଷର ବାପା ବଳଦେବ ଭୋଇଙ୍କୁ ବଳି ଦେବାକୁ ସ୍ଥିର କରିଥିଲା ପୁଅ ଲିଙ୍ଗରାଜ ।

ଏମିତିକି ପୂଜା ଚାଲିଥିବାବେଳେ ଘରକୁ ବଳଦେବଙ୍କୁ ଖାଇବାକୁ ଡାକି ନେଇ ହଠାତ୍ ତାଙ୍କ ବେକରେ ଏକ ଫୁଲମାଳ ପକାଇବା ସହ ନୂଆ ଲୁଗା ବି ପିନ୍ଧାଇଥିଲା । କିନ୍ତୁ ଗାଁ ଲୋକେ ଏକଥା ଜାଣି ତୁରନ୍ତ ଜୟପାଟଣା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ବଳିପୂଜା ଭଣ୍ଡୁର କରିବା ସହ ବଳଦେବଙ୍କୁ ଉଦ୍ଧାର କରିଥିଲା । ତେବେ ଲିଙ୍ଗରାଜକୁ କାବୁ କରିବାକୁ ଉଦ୍ୟମ ବେଳେ ସେ ବଳିରେ ବ୍ୟବହାର କରିବାକୁ ଆଣିଥିବା ଏକ ଟାଙ୍ଗିଆରେ ପୋଲିସକୁ ଆକ୍ରମଣ କରିଥିଲା । ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ମେଡିକାଲ ନିଆଯାଇଛି । ସେପଟେ ଅଭିଯୁକ୍ତ ଲିଙ୍ଗରାଜ ଓ ତାନ୍ତ୍ରିକ ଚିତ୍ରସେନକୁ ଗିରଫ କରିଛି ପୋଲିସ । ଲିଙ୍ଗରାଜର ମାନସିକ ବିକୃତି ଥିବା ପୋଲିସ ସନ୍ଦେହ କରୁଛି ।

ସଂପତ୍ତି ଲୋଭ ହେଉ କି ପ୍ରତିପତି ହାସଲ ଲକ୍ଷ୍ୟ, ରାଜ୍ୟରେ ନରବଳିର ଅନେକ ନଜିର ରହିଛି । ୨୮-୫-୨୦୨୦ ମହାମାରୀ କରୋନା ଦୂର କରିବାକୁ କଟକ ଜିଲ୍ଲା ନରସିଂହପୁର ବନ୍ଧହୁଡ଼ା ବ୍ରାହ୍ମଣୀଦେଇ ମନ୍ଦିରରେ ଜଣେ ବ୍ୟକ୍ତିଙ୍କୁ ଧାରୁଆ କଟୁରୀରେ ହାଣି ମୁଣ୍ଡଗଣ୍ଡି ଦି ଗଡ଼ କରି ଦେଇଥିଲା ପୂଜକ ।

ସେହିପରି ୪-୨-୨୦୨୦ରେ ବଲାଙ୍ଗିର ଦେଓଗାଁ ସିଲଟକଣୀ ଗାଁରେ ବାବୁଲାଲ ବଗର୍ତ୍ତି ନାମକ ୧୧ବର୍ଷ ବାଳକକୁ ବଳି ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ପିଲାଟି ନିଖୋଜ ହେବାର ୧୦ଦିନ ପରେ ତାର ମୃତଦେହ ମିଳିଥିଲା । ତେଣୁ ଏଠି ପ୍ରଶ୍ନ, କାହିଁକି ଦିନକୁ ଦିନ ବଢୁଛି ଏଭଳି ରୁଗ୍‌ଣ ମାନସିକତା ? ତେବେ ନରବଳି କାରଣରୁ ପୂର୍ବରୁ ବହୁ ନିଷ୍ପାପ ଶିଶୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଥିବାବେଳେ ଏବେ ବୃଦ୍ଧଙ୍କୁ କରାଗଲାଣି ଟାର୍ଗେଟ୍ ? ତେଣେ ହେତୁବାଦୀଙ୍କ ମତରେ ଏସବୁ କେବଳ କୁସଂସ୍କାର ଛଡ଼ା ଅନ୍ୟ କିଛି ନୁହେଁ ।