• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜଧାନୀ ଦିଲ୍ଲୀର ଆଉ ଏକ ସ୍କୁଲରେ ବୋମା ମାଡ଼ ହେବା ନେଇ ଧମକ ଆସିଛି । ଇମେଲ୍ ଜରିଆରେ ଏକ ଧମକ ପୂର୍ଣ୍ଣ ମେସେଜ୍‌ ଆସିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଦିଲ୍ଲୀର ଅନ୍ୟ ଏକ ବିଦ୍ୟାଳୟରେ ବୋମା ବିସ୍ଫୋରଣ ହେବା ନେଇ ଧମକ ଆସିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଯାଞ୍ଚ ମଧ୍ୟ କରିଥିଲା ହେଲେ କୌଣସି ବିସ୍ଫୋରକ ଜିନିଷ ପାଇନଥିଲା । ହେଲେ ବର୍ତ୍ତମାନ ପୁଣିଥରେ ଦିଲ୍ଲୀର ଆଉ ଏକ ସ୍କୁଲରେ ବୋମା ବିସ୍ଫୋରଣ ହେବା ନେଇ ଧମକ ଆସିଛି ।

ସୂଚନା ଅନୁସାରେ, ଆଜି ସକାଳ ୬ଟା ୪୫ ମିନିଟ୍‌ ବେଳେ ଦିଲ୍ଲୀ ସାକେତ ପୁଷ୍ପ ବିହାରର ଅମୃତା ପବ୍ଲିକ୍ ସ୍କୁଲରେ ଏକ ବୋମା ବିସ୍ଫୋରଣ ହେବା ନେଇ ମେଲ୍‌ ଆସିଥିଲା । ଇମେଲରେ ଏହି ଖବର ଆସିବା ପରେ ପୋଲିସ ଏବଂ ଅନ୍ୟ ସନ୍ଧାନକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ଦକ୍ଷିଣ ଜିଲ୍ଲା ଡିସିପି ଚନ୍ଦନ ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମେଲ ପାଇବା ପରେ ବିଦ୍ୟାଳୟରେ ଯାଞ୍ଚ କରାଯାଇଥିଲା । ସମସ୍ତ ଜାଗାରେ ତନତନ କରି ଖୋଜିଥିଲେ ଟିମ୍‌ । ହେଲେ ଯାଞ୍ଚ ସମୟରେ ପୋଲିସକୁ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ ।

କେଉଁଠାରୁ ଏବଂ କାହା ଦ୍ୱାରା ଏହି ମେଲ୍ ଆସିଛି ତାହା ଅନୁସନ୍ଧାନ କରାଯାଉଛି । ପୂର୍ବରୁ ଡିଫେନ୍ସ କଲୋନୀ ଏବଂ ଡିପିଏସ୍ ମଥୁରା ରୋଡରେ ରହିଥିବା ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲରେ ବୋମା ମାଡ଼ କରାଯିବା ନେଇ ଦୁଇଥର ସୂଚନା ମିଳିଥିଲା । ଏପ୍ରିଲ ୨୬ରେ, ଦିଲ୍ଲୀ ପବ୍ଲିକ ସ୍କୁଲକୁ ଇ-ମେଲ ମାଧ୍ୟମରେ ବୋମା ଧମକ ଦିଆଯାଥିବାବେଳେ ପୋଲିସ ଏହାର ତଦନ୍ତ କରିଥିଲା । ହେଲେ ବର୍ତ୍ତମାନ ବୋମାକୁ ନେଇ ଆସିଥିବା ଖବର ଅନୁସାରେ ବୋମାର କୌଣସି ସନ୍ଧାନ ମିଳିନାହିଁ ।

ସେହିପରି ଏପ୍ରିଲ ୧୨ ତାରିଖରେ ଦକ୍ଷିଣ ଦିଲ୍ଲୀର ଡିଫେନ୍ସ କଲୋନୀ ପୋଲିସ ଷ୍ଟେସନ ଅଧୀନରେ ଥିବା ସାଦିକ ନଗରରେ ଥିବା ସ୍କୁଲରେ ବୋମା ବିସ୍ଫୋରଣ ହେବାନେଇ ଖବର ଆସିଥିଲା । ବୋମା ବିସ୍ଫୋରଣର ଧମକ ଆସିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କ କରାଯାଇଥିଲା । ସ୍କୁଲରୁ ପିଲାମାନଙ୍କୁ ନେଇଯିବାକୁ ପିଲାମାନଙ୍କ ପରିବାରକୁ ଖବର ଦିଆଯାଇଥିଲା । ହ୍ୱାଟସଆପ୍‌ ଜରିଆରେ ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କ ଅଭିଭାବକଙ୍କୁ ଜଣାଇଥିବାବେଳେ ସ୍କୁଲ ବାହାରେ ଜନସମାଗମ ହୋଇଥିଲା ।