• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଟିଏ ଲାଇକ୍‌ କରନ୍ତୁ ୫୦ ଟଙ୍କା ପାଆନ୍ତୁ । ଏଭଲି ଜାଲରେ ମୁର୍ଖ ତ ଫସନ୍ତି ପାଠୁଆ ବି ଫସନ୍ତି । ଖାଲି ପାଠୁଆ ନୁହେଁ, ବଡ଼ ବଡ଼ ମଲ୍ଟିନାସନାଲ କମ୍ପାନୀରେ ଚାକିରି କରୁଥିବା ସାହେବମାନେ ବି ଏହି ୫୦ ଟଙ୍କା ଲୋଭରେ ପଡ଼ନ୍ତି । ଆଉ ଲକ୍ଷ ଲକ୍ଷ ଟଙ୍କା ହରାନ୍ତି । ତେବେ ଆମ କଥା ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥିବ । ଆଉ ଆପଣ ଦ୍ୱନ୍ଦ୍ୱରେ ପଡ଼ୁଥିବେ । ହେଲେ ଆମେ ଯାହା କୁହୁଛୁ ସମ୍ପୂର୍ଣ୍ଣ ସତ । 

ସାଇବର ଠକଙ୍କ ନୂଆ ଚାଲ୍‌ । ଗୋଟିଏ ଲାଇକ୍‌ କରନ୍ତୁ ଆଉ ୫୦ ଟଙ୍କା ପାଆନ୍ତୁ । ଏଭଳି ଚାଲ୍‌ରେ ଫଶିଛନ୍ତି MNCର ଜଣେ DGM । ଉଚ୍ଚଶିକ୍ଷିତ ହେବା ସହ ମୋଟା ଅଙ୍କର ରୋଜଗାର କରିଥାନ୍ତି ଏହି ଡିଜିଏମ୍ । ହେଲେ ମାତ୍ର ୫୦ଟଙ୍କା ଲୋଭରେ ହରାଇଛନ୍ତି ୩୯ ଲକ୍ଷ ଟଙ୍କା ।

ତେବେ ପୁରା ଘଟଣାଟି ହେଲା, ମୋବାଇଲ ସ୍କ୍ରଲ କରୁ କରୁ ‘ଘର ବସି ରୋଜଗାର କରନ୍ତୁ’ ଭଳି କିଛି ବିଜ୍ଞାପନ ସାମ୍ନାକୁ ଆସିଲା । ଏହା କ’ଣ ବୋଲି ଜାଣିବା ପାଇଁ ଡିଜିଏମ୍ ବାବୁ ସେଥିରେ କ୍ଲିକ୍‌ କଲେ । ପରେ ଗୋଟିଏ ପରେ ଗୋଟିଏ ଷ୍ଟେପ୍ ଆଗକୁ ଚାଲିଲେ । ଏମିତି ଆଗକୁ ଯିବା ପରେ ଶେଷରେ ତାଙ୍କୁ କୁହାଗଲା ଗୋଟିଏ ଲାଇକ କରିବେ ଆଉ ୫୦ ଟଙ୍କା ପାଇବେ । ଖାଲି ସେତିକି ନୁହେଁ ଲାଇକ୍ କରିଛନ୍ତି ବୋଲି ତାର ପ୍ରମାଣ ସ୍ୱରୂପ ସ୍କ୍ରିନ୍‌ ସଟ୍ ମଧ୍ୟ ଦେବେ । 

ଉକ୍ତ ଫ୍ରଡ୍‌ ସଂସ୍ଥା ପକ୍ଷରୁ ଯାହା ଯାହା କୁହାଗଲା, ଠିକ୍‌ ସେମିତି କରିବାକୁ ଲାଗିଲେ ଡିଜିଏମ୍ । ଏମିତିକି ଗୋଟିଏ ଲାଇକ୍‌କୁ ୫୦ ଟଙ୍କା ହିସାବରେ ତାଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ଆସିଲା । ଯାହାଫଳରେ ତାଙ୍କର ଲୋଭ ମଧ୍ୟ ବଢ଼ିଲା । ଧିରେ ଧିରେ ସେ ଏଥିପାଇଁ ଅଧିକ ସମୟ ଦେବାକୁ ଲାଗିଲେ । ଆଉ ଅଧିକ ସଂଖ୍ୟାରେ ଲାଇକ୍‌ କରି ଟଙ୍କା ବି ପାଇଲେ । ଏହାପରେ ଡିଜିଏମ୍ ବାବୁ ନିଜ ବନ୍ଧୁ ପରିଜନଙ୍କୁ ବି ଏନେଇ ସୂଚନା ଦେଲେ । ତାପରେ ପରିବାରର ଅନ୍ୟ ସଦସ୍ୟ ବି ଏଭଳି କରି କିଛି କିଛି ଟଙ୍କା ପାଇବାକୁ ଲାଗିଲେ । 

ହେଲେ ଏହାରି ଭିତରେ ଡିଜିଏମ୍‌ ବାବୁଙ୍କୁ ଉକ୍ତ ଫ୍ରଡ୍‌ ସଂସ୍ଥା ଅନେକ ଲୋଭ ଦେଖାଇ ତଥା ବିଭିନ୍ନ ସ୍କିମ୍‌ କଥା କହି ଥର ଥର କରି ମୋଟା ଅଙ୍କର ଟଙ୍କା ନେଇ ସାରିଛି । ଯେମିତିକି ଆପଣଙ୍କର ଆକାଉଣ୍ଟକୁ ୧୦ ଲକ୍ଷ ପଠାଯିବ କିନ୍ତୁ ତା ପୂର୍ବରୁ ଆପଣଙ୍କୁ ୩ ଲକ୍ଷ ଟଙ୍କା ଦେବାକୁ ହେବ । ଏଭଳି ବିଭିନ୍ନ କଥା କହି ଉକ୍ତ ଡିଜିଏମ୍‌ଙ୍କଠାରୁ ଠକ ସଂସ୍ଥା ପ୍ରାୟ ୩୯ ଲକ୍ଷ ଟଙ୍କା ହଡ଼ପ କରିଛି ।

ଏହି ଘଟଣା ଗତ ଏପ୍ରିଲ ମାସରେ ଘଟିଛି । ପୁଣେ ପିମ୍ପରି ସହରରେ ଏଭଳି ଅନଲାଇନ୍ ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି । ୨୦୨୩ରେ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ଏଭଳି ୧୬ଟି କେସ୍‌ ସାଇବର ପୋଲିସ ପାଖକୁ ଆସିଛି । ଯେଉଁଥିରେ ସାଧାରଣ ଲୋକ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଛନ୍ତି ।