ଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ : ସିବିଆଇ ତଦନ୍ତ ସୁପାରିଶ ପରେ ବଢ଼ିଲା ଛନକା

ନକଲି ସାର୍ଟିଫିକେଟ୍ ମାମଲାରେ ସିବିଆଇ ତଦନ୍ତ ସୁପାରିଶ ପରେ ଛନକା । ଯଦି ସିବିଆଇ ତଦନ୍ତ ହୁଏ, କେଉଁ କେଉଁ ବିଭାଗରେ ପଶିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ସେପଟେ ସିବିଆଇ ତଦନ୍ତ ପାଇଁ ଡାକ ବିଭାଗର ଅନୁରୋଧ ପରେ ତେଜିଛି ରାଜନୀତି ।

Fake certificate case

ନକଲି ସାର୍ଟିଫିକେଟକୁ ନେଇ ସାରା ରାଜ୍ୟରେ ହଇଚଇ । ସିବିଆଇ ତଦନ୍ତ ସୁପାରିଶ ପରେ ନେତାଙ୍କ ଛାତି ଧଡ୍ ଧଡ୍ । ଡାକ ବିଭାଗ ତଦନ୍ତ ଲିଙ୍କରେ ଅନ୍ୟ ବିଭାଗରେ ପଶିବ କି ସିବିଆଇ? ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ.. ସାରା ରାଜ୍ୟରେ ନକଲି ସାର୍ଟିଫିକେଟ୍ ଦେଇ ଚାକିରି ହାତେଇଛନ୍ତି ଅନେକ ଯୁବକ ଯୁବତୀ । ଆହୁରି ଅନେକ ଆଶାୟୀ ସେହି ଫେକ୍ ସାର୍ଟିଫିକେଟ୍ ଦେଇ ନୂଆ ଚାକିରି ପାଇଁ ଆବେଦନ ବି କରିଛନ୍ତି । ଜାଲ୍ ସାର୍ଟିଫିକେଟର ମାଳମାଳ ଅଭିଯୋଗ ପରେ ଚେତିଛି ଡାକ ବିଭାଗ।

ମାମଲାର ସିବିଆଇ ତଦନ୍ତ ପାଇଁ ମହାଡାକପାଳଙ୍କ ପକ୍ଷରୁ ସିବିଆଇଙ୍କୁ ଚିଠି ଲେଖାଯାଇଛି। ତେବେ ରାଜ୍ୟ ସରକାରଙ୍କ ବିନା ସୁପାରିଶରେ କେବଳ ଡାକ ବିଭାଗର ଅନୁରୋଧ କ୍ରମେ ତଦନ୍ତ କରିପାରିବ ତ ସିବିଆ ? ଯଦି ସିବିଆଇ ତଦନ୍ତ କରିବ, ତେବେ ଫେକ୍ ସାର୍ଟିଫିକେଟ୍ ଲିଙ୍କରେ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗରେ ପଶିପାରିବ ତ ? ଆଇନଜୀବୀ ଓ ପୂର୍ବତନ ପୋଲିସ ଡିଜିଙ୍କ ମତରେ ଡାକ ବିଭାଗ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବାରୁ ସିବିଆଇ ତଦନ୍ତ କରିପାରିବ ।

ଅଧିକ ପଢ଼ନ୍ତୁ: ଡାକ ଓ ଶିକ୍ଷା ବିଭାଗରେ ଜାଲ୍ ସାର୍ଟିଫିକେଟ୍ କାଣ୍ଡ, ସରକାରୀ କର୍ମଚାରୀଙ୍କ ଛାତି ଧଡ଼ଧଡ଼ 

ହେଲେ ରାଜ୍ୟ ସରକାରଙ୍କ କୌଣସି ବିଭାଗରେ ତଦନ୍ତ କରିବାକୁ ହେଲେ ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ପୂର୍ବତନ ପୋଲିସ୍ ଡିଜି କହିଥିବା ବେଳେ ଆଇନ୍ଜୀବୀ କିନ୍ତୁ ଭିନ୍ନମତର ରଖିଛନ୍ତି ।

ଏପଟେ ନକଲି ସାର୍ଟିଫିକେଟ୍ ମାମଲାରେ ଡାକ ବିଭାଗ ସିବିଆଇ ତଦନ୍ତ ସୁପାରିଶ କରିବା ପରେ ତେଜିଛି ରାଜନୀତି । ଜାଲ୍ ସାର୍ଟିଫିକେଟ୍ ରାକେଟର ମାଷ୍ଟରମାଇଣ୍ଡ ସହ ବିଜେଡି ନେତାଙ୍କ ଲିଙ୍କ୍ ଅଭିଯୋଗ କରି ବିଜେପି ସିବିଆଇ ତଦନ୍ତ ଦାବି କରିଛି । କଂଗ୍ରେସ ବି କହିଛି ମାମଲାର ନ୍ୟାୟିକ ତଦନ୍ତ ହେଉ ।

କେବଳ କେନ୍ଦ୍ର ସରକାରଙ୍କ ଡାକ ବିଭାଗ ନୁହେଁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ମଧ୍ୟ ବଡ଼ ଧରଣର ଜାଲ୍ ସାର୍ଟିଫିକେଟ୍ କାରବାର ହୋଇଥିବା ଅଭିଯୋଗ ହେଉଛି । ଏ ପ୍ରସଙ୍ଗରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ନକଲି ଶିକ୍ଷକ ନିଯୁକ୍ତି ଦେଇ ସରକାରୀ ଦଳ ସେମାନଙ୍କୁ ନିର୍ବାଚନରେ ବ୍ୟବହାର କରୁଥିବା ସାଘାଂତିକ ଅଭିଯୋଗ କରିଛି ଦଳ । ଏହାର ଜବାବ ରଖିଛି ବିଜେଡି। ନକଲି ସାର୍ଟିଫିକେଟ୍ ପ୍ରସଙ୍ଗକୁ ନେଇ ଏବେ ଅଡୁଆରେ ବିଜେଡି ସରକାର । ଆଗକୁ ଏହା ସରକାରଙ୍କ ତଣ୍ଟିରେ ବଡ଼ କଣ୍ଟା ହୋଇ ଲାଗିବ ବୋଲି ଚର୍ଚ୍ଚା ହେଉଛି ।