• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅର୍ଚ୍ଚନା ନାଗଫାଶକୁ ନେଇ ତମ୍ବିତୋଫାନ ଯେତିକି, ତାକୁ ନେଇ ରାଜ୍ୟ ରାଜନୀତି ବି ସେତିକି ସରଗରମ । ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟଭିଚାରକୁ ଘଣ୍ଟ ଘୋଡ଼ାଇବା ଅଭିଯୋଗରେ ଆଜି ପୋଲିସ କମିଶନର ଅଫିସ୍ ଆଗରେ ଗର୍ଜିଛି ବିଜେପି । ଦଳ ଦେଇଛି ୨୪ ଘଂଟିଆ ଅହୋରାତ୍ର ଧାରଣା । ସେପଟେ ବର୍ତ୍ତମାନ ଝାରପଡ଼ା ଜେଲ୍‌ରେ ଅଛନ୍ତି ନାଗ ଦଂପତ୍ତି । ତେବେ ଜେଲ୍ ଭିତରେ ଉଭୟଙ୍କୁ ୧୫ ମିନିଟ ଭେଟିବାକୁ ଅନୁମତି ମିଳିବ ବୋଲି କହିଛନ୍ତି ଜେଲ୍ ଡିଆଇଜି ।

ଅର୍ଚ୍ଚନା ହନିଟ୍ରାପରେ ନେତାଙ୍କ ସଂପୃକ୍ତି ନେଇ ତେଜିଲା ରାଜନୀତି । ପୋଲିସ କମିଶନରଙ୍କ ଅଫିସ ସାମ୍ନାରେ ବିଜେପିର ହଲ୍ଲାବୋଲ । ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟଭିଚାରକୁ ଘଂଟ ଘୋଡାଇବା ଓ ତଦନ୍ତ ବାଟବଣା ପ୍ରତିବାଦରେ ସତ୍ୟାଗ୍ରହ ସହ ସରକାରଙ୍କୁ ଶାଣିତ ଆକ୍ରମଣ ।

୨୪ ଘଂଟା ଧରି ଧାରଣାରେ ବସିବେ ବିଜେପି ନେତା ଓ କର୍ମୀ । ଦଳ ଦେଇଛି ଅହୋରାତ୍ର ଧାରଣା । ବିଜେପିର ଦାବି, ଅର୍ଚ୍ଚନା ନାଗ ଫାଶରେ ଫଶିଥିବା ନେତାଙ୍କ ନାଁ ପ୍ରକାଶ କରାଯାଉ । ମନ୍ତ୍ରୀ ଓ ବିଧାୟକଙ୍କ ସଂପୃକ୍ତି ନେଇ ତଦନ୍ତ ସହ ରାଜ୍ୟବାସୀଙ୍କ ସାମ୍ନାକୁ ଅଣାଯାଉ । ଅର୍ଚ୍ଚନା-ଜଗବନ୍ଧୁ କଳା ସାମ୍ରାଜ୍ୟର ଗୁମର କେବଳ ସେତିକି ନୁହେଁ, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମନ୍ତ୍ରୀ ସମୀର ଦାଶଙ୍କୁ ଜେରା କରିବାକୁ ତେଜିଛି ଦାବି ।

 

ଏପଟେ ଅର୍ଚ୍ଚନା ନାଗ ଗିରଫ ହେବାର ୧୫ ଦିନ ପରେ ପୋଲିସ ବାନ୍ଧିଛି ତା ସ୍ୱାମୀ ତଥା କଳାସାମ୍ରାଜ୍ୟର ପାର୍ଟନର ଜଗବନ୍ଧୁକୁ । ଜବତ କରିଛି ଦୁଇ ଦୁଇଟି ଡାଏରୀ, ୪ଟି ଦାମୀ ମୋବାଇଲ ଓ ଲାପଟପ୍ । ଜବତ ସାମଗ୍ରୀ ପରୀକ୍ଷା ପାଇଁ ଫୋରେନ୍ସିକ୍ ଲ୍ୟାବ୍‌କୁ ପଠାଯାଇଛି । ଗୋଟିଏ ଡାଏରୀ ୨୦୧୯ର ଏବଂ ଆଉ ଗୋଟିଏ ୨୦୨୦ ମସିହାର ବୋଲି କୁହାଯାଉଛି । 

ଏହି ଦୁଇ ଡାଏରୀରେ ରହିଛି ହାଇପ୍ରୋଫାଇଲ୍ ନେତା, ମନ୍ତ୍ରୀ ଓ ବିଧାୟକଙ୍କ କଳା ଚିଠା । ଅର୍ଚ୍ଚନାଙ୍କ ଘରକୁ କିଏ କିଏ ଆସୁଥିଲେ, କିଏ କେତେ ଟଙ୍କା ଦେଇଛନ୍ତି, କେଉଁଠୁ କେତେ ଟଙ୍କା ଆସିଛି, ଏସବୁର ଟିକନିଖି ହିସାବ ରହିଛି ଡାଏରୀରେ । ତେବେ ପୋଲିସ୍ ଏହାକୁ ଆଧାର କରି କାହାକୁ ଧରୁଛି, ତାକୁ ନେଇ ଏବେ ଚର୍ଚ୍ଚା ।

ସେପଟେ ବର୍ତ୍ତମାନ ଝାରପଡା ଜେଲରେ ଅଛନ୍ତି ହାଇପ୍ରୋଫାଇଲ୍ ସେକ୍ସ ସ୍କାଣ୍ଡାଲର ଚର୍ଚ୍ଚିତ ଦମ୍ପତି । ଜେଲ୍ ଡିଆଇଜିଙ୍କ ସୂଚନା ଅନୁଯାୟୀ, ଜେଲ ଭିତରେ କଡା ସୁରକ୍ଷା ମଧ୍ୟରେ ଅଛନ୍ତି ଅର୍ଚ୍ଚନା ଏବଂ ଜଗବନ୍ଧୁ । ଜେଲ୍ ମାନୁଆଲ ଅନୁଯାୟୀ ସପ୍ତାହକୁ ଗୋଟିଏ ଥର ଉଭୟଙ୍କ ମଧ୍ୟରେ ଦେଖା ହେବାର ବ୍ୟବସ୍ଥା ରହିଛି । ରବିବାର ମାତ୍ର ୧୫ ମିନିଟ୍ ପାଇଁ କଥାବାର୍ତ୍ତା ହୋଇପାରିବେ । ସ୍ୱାମୀ-ସ୍ତ୍ରୀ ଏହି ସମୟରେ ଜେଲର କିଛି ମହିଳା ୱାର୍ଡର ଓ ଜେଲ୍ କର୍ମଚାରୀ ବି ଉପସ୍ଥିତ ରହିବେ ।

ଏହାରି ଭିତରେ ପ୍ରଶ୍ନ ଉଠୁଛି, ନାଗ-ଚାନ୍ଦ ଦମ୍ପତିଙ୍କ କ୍ରାଇମ ସିଣ୍ଡିକେଟ୍‌ର ସହଯୋଗୀ ଖଗେଶ୍ୱର ପାତ୍ର ଏବେ କେଉଁଠି ? କାହିଁକି ତାଙ୍କୁ ଗିରଫ କରାଯାଇନି ?
(ରିପୋର୍ଟ- କଟକରୁ ଗୌତମ ପଣ୍ଡା, ଭୁବନେଶ୍ୱରରୁ ହରିହର ଚାନ୍ଦ ଓ ଆଲୋକ ମହାନ୍ତି)