• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ସାମ୍ନାକୁ ଆସିଲା ପୋଲିସ ବାବୁଙ୍କ ଗୁଣ୍ଡାଗିରି । ବହେ ଛେଚିଲେ, ପୁଣି ଛାଡ଼ିବା ପାଇଁ ପଇସା ବି ନେଲେ । ପୋଲିସ ନିଜର ପରିଧି ବାହାରକୁ ଯାଇ ଜଣେ ଡ୍ରାଇଭର ସହ ଏଭଳି ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିଛି । ଏବେ ସାରା ରାଜ୍ୟରେ କରୋନା କଟକଣା ସହ ନାଇଟ୍‌ କର୍ଫ୍ୟୁ ରହିଛି । ବିଭିନ୍ନ ଛକ ବଜାରରେ ପୋଲିସ ପକ୍ଷରୁ ବ୍ଲକିଂ କରାଯାଇଛି । ଏହାସହ ପ୍ରତ୍ୟେକ ଗାଡ଼ିକୁ ଚେକିଂ ମଧ୍ୟ କରୁଛି ପୋଲିସ ।

ତେବେ ଏମିତି ଚେକିଂ ଚାଲିଥିଲା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ପୁରୁଣା କଟକ ଅଞ୍ଚଳରେ । ଏହି ସମୟରେ ପୋଲିସ ହାବୁଡ଼ରେ ପଡ଼ିଥିଲା ଏକ ପରିବା ବୋଝେଇ ଗାଡ଼ି । ଗାଡ଼ିଟି ପରିବା ଦେବା ପାଇଁ ବିଳାସପୁରରୁ କଟକ ଚୌଦ୍ୱାର ଯାଉଥିଲା । ହେଲେ ଦୁର୍ଭାଗ୍ୟ ବଶତଃ ପଡ଼ିଥିଲା ପୋଲିସ ହାବୁଡ଼ରେ । ଆଉ ସେଠି ପୋଲିସ ଚେକିଂ ଆଳରେ ଗାଡ଼ି ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଥିଲା । ଏମିତିକି ପୋଲିସ ମାଡ଼ରେ ଡ୍ରାଇଭର ଜଣକ ଲହୁଲୁହାଣ ହୋଇପଡ଼ିଥିଲେ । ପୋଲିସର ନିସ୍ତୁକ ମାଡ଼ ପରେ ଡ୍ରାଇଭର ଜଣକ ଅତ୍ୟନ୍ତ ଅସହାୟ ଅନୁଭବ କରିବା ସହ ଭୋ ଭୋ ହୋଇ ସେଠାରେ କାନ୍ଦିଥିଲେ । ତଥାପି ପୋଲିସ ତାଙ୍କୁ ସହଜରେ ଛାଡ଼ି ନଥିଲା । ବହେ ଛେଚିବା ସହ ଗରିବ ଡ୍ରାଇଭରଠାରୁ ଏକ ହଜାର ଟଙ୍କା ଜୋରିମାନା ମଧ୍ୟ ଆଦାୟ କରିଥିଲା ପୋଲିସ ।

ଏହି ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ । ସବୁଠୁ ବଡ଼ କଥା ହେଲା ମାଡ଼ ଖାଇ ଲହୁଲୁହାଣ ହୋଇଥିବା ଡ୍ରାଇଭର ଜଣକ ଭୟରେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରୁନାହାନ୍ତି । କାରଣ ତାଙ୍କର ଭୟ ରହିଛି ଯେ, ପୋଲିସ ନିକଟରେ ଯଦି ଅଭିଯୋଗ କରିବେ ତେବେ ପୋଲିସ ତାଙ୍କୁ ହଇରାଣ କରିବା ପାଇଁ ଓଲଟା ଦଫା ଲଗାଇବ । ଏହାସହ ଫଲ୍ସ କେସ୍‌ କରି ତାଙ୍କୁ ପୁଣି ଧରିବ । 

ଏନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେବାରେ ଲାଗିଛି । ତେବେ ପୋଲିସର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତା ଉପରେ ଏବେ ସମସ୍ତଙ୍କ ନଜର ।