ପ୍ରେମୀ ଯୁଗଳ । ଉଭୟ ପୋଲିସ କର୍ମଚାରୀ, ପ୍ରେମ କରି ବାହା ହୋଇଛନ୍ତି । ଆଉ ଫୁରସତ ସମୟରେ ରୋମାଣ୍ଟିକ୍ ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ କନଷ୍ଟେବଲ ନୂପୁର ବିଶ୍ୱାଳ ଓ ତାଙ୍କ ସ୍ୱାମୀ କନଷ୍ଟେବଳ ଜ୍ୟୋତିରଂଜନ ପ୍ରଧାନ । ଏବେ କିନ୍ତୁ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରି ଅଭିଯୁକ୍ତ ହେଲା ପରେ ଫେରାର ଜ୍ୟୋତିରଂଜନ ।
କେମିତି ଥିଲା ସ୍ତ୍ରୀକୁ ହତ୍ୟା କରିବାର ସେ ମୁହୂର୍ତ୍ତ, ଚେତା ଫେରିଲା ପର ଗୋଟି ଗୋଟି କରି ଓଟିଭି ଆଗରେ ବଖାଣିଛନ୍ତି ଗୁରୁତର ଆହତ ହୋଇଥିବା ନୂପୁର ବିଶ୍ୱାଳ । ସେ କହିଛନ୍ତି, ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ, ସ୍କୁଟିରେ ମୁଁ , ମୋ ସ୍ୱାମୀ ଓ ଛୁଆ ଯାଇଥିଲୁ । ଘରକୁ ଫେରିବା ସମୟରେ ଜଂଗଲ ରାସ୍ତାରେ, ପରିସ୍ରା ଯିବା ବାହାନାରେ ଅଟକିଥିଲେ ଜ୍ୟୋତିରଂଜନ ।
ପରେ ଗାଡିର ଚେନ ମରାମତି ବାହାନାରେ କିଛି ସମୟ ରହିବା ପରେ ଏକ ଭାରୀ ତାଲାରେ ମୋ ମୁଣ୍ଡକୁ ଆଘାତ କରିଥିଲେ । ମୁଁ ପଚାରିଲି ମୋତେ କାହିଁକି ତାଲାରେ ମାରୁଛ । ଜ୍ୟୋତିରଂଜନ କହିଲେ, ମୁଁ ଆଉ ତୁମ ସହିତ ରହିବି ନାହିଁ । ତାପରେ ଜଂଗଲ ଭିତରକୁ ଟାଣି ନେବାକୁ ଉଦ୍ୟମ କଲା ବେଳେ, ଆଗରୁ ଛକି ବସିଥିବା ଜଗନ୍ନାଥ ପ୍ରଧାନ, ସ୍ୱାମୀକୁ ସାଥ ଦେଇଥିଲା ।
Also Read
ଅଧିକ ପଢ଼ନ୍ତୁ: ଜଣକୁ ହତ୍ୟା କଲେ କେମିତି ଲାଗେ… ଜାଣିବାକୁ କ୍ରିମିନୋଲୋଜି ଛାତ୍ରଙ୍କ ଭୟଙ୍କର କାଣ୍ଡ
ମୁଁ ପାଟି କରିବାରୁ ମୋ ମୁହଁ ବନ୍ଦ କରିଦେଇଥିଲେ । ଜଂଗଲ ଭିତରେ କେବଳ ମୁଣ୍ଡ ପଛପଟେ ନନଷ୍ଟପ ପଥରରେ ଛେଚିଲେ । ମୁଣ୍ଡରେ ବାର ବାର ପଥରରେ ଛେଚିଲା ପରେ, ନିଶ୍ୱାସ ପ୍ରଶ୍ୱାସ ଯାଞ୍ଚ କରୁଥିଲେ । ବଂଚିଥିବା ଜାଣି ଆହୁରି ପଥରରେ ଛେଚିଥିଲେ । ଏପରିକି ସହଯୋଗୀ ଜଗନ୍ନାଥକୁ ସ୍ୱାମୀ କହୁଥିଲେ, ମରିନାହିଁ ..ଆହୁରି ମାର ।
ସ୍ୱାମୀର ଏଭଳି ଜହ୍ଳାଦ ରୂପ ଦେଖି, ସ୍ତ୍ରୀ ନୁପୁର କହୁଛନ୍ତି, କାହିଁକି ମୋତେ ହତ୍ୟା କରିବାକୁ ଚାହୁଁଥିଲେ ମୁଁ ଜାଣିନାହିଁ । ସେ ଧରା ପଡିଲେ ହିଁ ଜଣାପଡିବ । କିନ୍ତୁ ନୂପୁରଙ୍କ ବାପା କହିଛନ୍ତି, ଘଟଣା ଗତ ଡିସେମ୍ବର ୮ ତାରିଖ ଘଟିଥିଲେ ବି ସପ୍ତାହେ ହେବ ଧରାପଡିନି ମୁଖ୍ୟ ଅଭିଯୁକ୍ତ ମୋ ଜ୍ୱାଇଁ ଜ୍ୟୋତିରଂଜନ ପ୍ରଧାନ ।
ତେଣୁ ପୂରା ପରିବାର ଭୟରେ ଅଛୁ । ସେ ଆମକୁ ବି ମାରିଦେବ । ତେଣୁ ତାକୁ ଶୀଘ୍ର ଗିରଫ କରି ଦଣ୍ଡବିଧାନ କରିବା ପାଇଁ ଏସ୍.ପିଙ୍କୁ ଗୁହାରି କରିଛନ୍ତି ନୂପୁରଙ୍କ ବାପା । ଫେରାର ପୋଲିସ କନଷ୍ଟବଲ ଜ୍ୟୋତିରଂଜନ ପ୍ରଧାନ ଓ ମହିଳା କନଷ୍ଟେବଳ ନୁପୁର ବିଶ୍ୱାଳଙ୍କ ଭିତରେ ପ୍ରେମ ହୋଇଥିଲା ।
ନୁପୁରଙ୍କ କହିବା କଥା, ୨୦୧୯ରୁ ସେ ଜ୍ୟୋତିରଜଂନଙ୍କ ସହିତ ସଂର୍ପକରେ ଥିଲେ । ୨୦୨୨ ଫେବୃୟାରୀ ୧୦ ତାରିଖ ଉଭୟ ପରିବାରଙ୍କ ସହମତିରେ ବିବାହ ହୋଇଥିଲେ । ବିବାହ ବେଳର ଫଟୋ ଓ ଭିଡିଓ ଦେଖିଲେ, ସବୁ ଠିକଠାକ ଥିବା ଜଣାପଡୁଛି । ପାଖାପାଖି ବର୍ଷକର ପୁଅଟିଏ ବି ଅଛି । ଉଭୟ ପରିବାର ଓ ନୁପୁର, ଘଟଣା ପଛର କୌଣସି କାରଣ କହିପାରୁନାହାନ୍ତି । ବୈବାହିକ ଜୀବନ ଠିକଠାକ ଥିବା ବେଳେ, କାହିଁକି ଜ୍ୟୋତିରଂଜନ, ସ୍ତ୍ରୀକୁ ମାରିବାକୁ ଚାହୁଁଥିଲେ, ତାହା ଏବେ ବଡ ମିଷ୍ଟ୍ରି ।
ପୁଅ ବୋହୂ ପାଖରେ ଜ୍ୟୋତିରଜଂନଙ୍କ ବାପା,ମାଁ ବି ରହୁଥିଲେ । ଅଭିଯୁକ୍ତ ଜ୍ୟୋତିରଂଜନ ପ୍ରଧାନଙ୍କ ବାପା ବି କହିଛନ୍ତି, ମୋ ବୋହୂ...ମୋ ଝିଅ ଭଳିଆ । ତେଣୁ କାହିଁକି ଏଭଳି ଘଟିଲା, ଆମେ ବି ଜାଣିପାରୁନାହୁଁ...। ଘଟଣା ଗତ ଡିସେମ୍ବର ୮ ତାରିଖ ଘଟିଥିବା ବେଳେ, ପୋଲିସ ତୁରନ୍ତ ଜ୍ୟୋତିରଂଜନଙ୍କ ସହଯୋଗୀ ଜଗନ୍ନାଥ ପ୍ରଧାନକୁ ଗିରଫ କରି କୋର୍ଟଚାଲାଣ କରିଥିଲା । କିନ୍ତୁ ସାତଦିନ ପରେ ବି, ଜ୍ୟୋତିରଂଜନକୁ ପୋଲିସ ଧରିପାରିନଥିବା ବେଳେ, ନିଲମ୍ବନ କରିଛନ୍ତି ବଲାଙ୍ଗିର ଏସ୍.ପି ।