/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748336068.jpg)
ବାପା ଦେଲେ ସୁପାରି
ଗୁରୁଗ୍ରାମରେ ଗୋଟିଏ ରାତି। କ୍ଲବ୍ ବାହାରେ ଛିଡ଼ାହୋଇଥାଏ ଝିଅଟି। ତାଙ୍କୁ ଦୁଇଜଣ ଯୁବକ ହଇରାଣ କରୁଥିଲେ। ଝିଅର ମୁହଁରେ ପ୍ରବଳ ରାଗ ଓ ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ଝିଅଟି ଅତିଷ୍ଠ ହୋଇ ଯେତେବେଳେ ଚିତ୍କାର କଲା, ଠିକ୍ ସେହି ସମୟରେ ଜଣେ ଯୁବକ ଦୌଡ଼ି ଆସିଥିଲେ ସିନେମା ଶୈଳୀରେ। ଏହି ଅସାମାଜିକ ଯୁବକଙ୍କୁ ପ୍ରତିରୋଧ କରିଥିଲେ। ପ୍ରତିରୋଧ କରିଥିବା ଯୁବକ ଥିଲେ ମନଜିତ ସିଂହ। ଏବଂ ସେଠାରେ ଛିଡ଼ାହୋଇଥିବା ଯୁବତୀ ଥିଲେ ଅଭିନେତ୍ରୀ ଏଞ୍ଜେଲ। ସେହି ରାତି ହିଁ ପରସ୍ପର ଭିତରେ ପ୍ରେମ ସମ୍ପର୍କ ତିଆରି କରିଥିଲା। ଏହା କୌଣସି ଫିଲ୍ମର ସଂଳାପ ନୁହେଁ। ରୂପେଲି ପରଦାରେ ଅଭିନୟ କରୁଥିବା ଅଭିନେତ୍ରୀ ଏଞ୍ଜେଲ ଗୁପ୍ତା ଏବଂ ଦିଲ୍ଲୀର ବାସିନ୍ଦା ମନଜିତ ସିଂହଙ୍କ କାହାଣୀ। ଅଭିନେତ୍ରୀଙ୍କ ସହିତ ସେଦିନ ଗୁରୁଗ୍ରାମରେ ଘଟିଥିବା ଏହି ଘଟଣା ତମାମ ଜୀବନର ମୋଡ଼ ବଦଳାଇ ଦେଇଥିଲା। ମନଜିତଙ୍କୁ ଜୀବନସାଥୀ ଭାବେ ପାଇବାକୁ ଯାଇ ଏହି ଅଭିନେତ୍ରୀ ମନଜିତଙ୍କ ପତ୍ନୀଙ୍କୁ ସୁପାରି ଦେଇ ହତ୍ୟା କରିବା ଘଟଣାରେ ଏବେ କୋର୍ଟ ୫ ଜଣଙ୍କୁ ଆଜୀବନ ସଜା ଶୁଣାଇଛନ୍ତି।
କାହାଣୀ ଏଇଠୁ ଆରମ୍ଭ
ଏହି କାହାଣୀଟି ଜଣେ ୨୬ ବର୍ଷୀୟା ଅଭିନେତ୍ରୀ ଆଞ୍ଜେଲ ଗୁପ୍ତା ଓରଫ ଶଶିପ୍ରଭାଙ୍କର। ଶଶିପ୍ରଭା ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା ବ୍ରିଟିଶ ବଂଶୋଦ୍ଭବ ଥିଲେ। ବାପା ଜଣେ ଭାରତୀୟ ଶିଳ୍ପପତି। ପୂର୍ବରୁ ଶଶିପ୍ରଭା ନାମରେ ପରିଚିତ ହେଉଥିବା ଏଞ୍ଜେଲ ବଲିଉଡରେ କାମ କରିବାକୁ ବଡ଼ ସ୍ବପ୍ନ ଦେଖିଥିଲେ। ଏହି ସ୍ବପ୍ନକୁ ପୁରା କରିବାକୁ ସେ ମୁମ୍ବାଇ ଚାଲିଯାଇଥିଲେ। ମଡେଲିଂ ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରେ 'ଏଞ୍ଜେଲ ଗୁପ୍ତା' ଭାବରେ ନିଜର ନାଁ କମାଇଥିଲେ। ସେ ନିଜକୁ ଜଣେ ଆନ୍ତର୍ଜାତୀୟ ମଡେଲ ଭାବରେ ତିଆରି କରିଥିଲେ। ଲଣ୍ଡନରେ କାମ କରିଛନ୍ତି। ୨୦ରୁ ଅଧିକ ଆଇଟମ୍ ଗୀତ ଏବଂ କିଛି ଫିଲ୍ମରେ ଛୋଟ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ଏହି କ୍ୟାରିଅର ତାଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇପାରିଲା ନାହିଁ। ଆର୍ଥିକ ସମସ୍ୟା ପାଇଁ ସବୁ ସ୍ବପ୍ନ ଭାଙ୍ଗିଗଲା। ସେ ଦିଲ୍ଲୀ ଫେରି ଆସିଲେ। ଦିଲ୍ଲୀରେ ରହିବା ବି ତାଙ୍କ ପାଇଁ କଷ୍ଟକର ଥିଲା।
କାହାର ହେବ ସୁହାଗ ସିନ୍ଦୁର?
ଦିଲ୍ଲୀରେ ତାଙ୍କ ବାପାଙ୍କ ସହିତ ରୁହନ୍ତି ଏଞ୍ଜେଲ ଗୁପ୍ତା। ୨୦୧୬ରେ ଦିନେ ଏକ ଶୂନଶାନ ରାତିରେ ଗୁରୁଗ୍ରାମର ଏକ କ୍ଲବ ବାହାରେ ଛିଡ଼ା ହୋଇଥାନ୍ତି। ସେ କାହାକୁ ଅପେକ୍ଷା କରିଥିଲେ। ଏହି ସମୟରେ ସେଠାରେ ଥିବା କିଛି ଅସାମାଜିକ ଯୁବକ ପହଞ୍ଚି କମେଣ୍ଟ ମାରିଥିଲେ। ଏଞ୍ଜେଲ ବିରକ୍ତ ହୋଇଥିଲେ। ବାରମ୍ବାର ସେମାନେ କମେଣ୍ଟ ମାରିବାରୁ ଏଞ୍ଜେଲ ବଡ଼ ପାଟିରେ ଚିତ୍କାର କରିବାକୁ ଲାଗିଲେ। ତାଙ୍କ ଚିତ୍କାର ଶୁଣି ୩୫ ବର୍ଷୀୟ ମନଜିତ ସିଂହ ସେଠାରେ ପହଞ୍ଚିଲେ। ମନଜିତ ସେହି ଯୁବକମାନଙ୍କୁ ଗାଳି କରି ସେଠାରୁ ଘଉଡ଼ାଇ ଦେଇଥିଲେ। ଶୂନଶାନ ରାତିର ଅନ୍ଧାରରେ ମନଜିତ ସିଂହଙ୍କ ଏଭଳି ବ୍ୟବହାର ଏଞ୍ଜେଲଙ୍କୁ ଭଲ ଲାଗିଥିଲା। ସେହି ଛୋଟିଆ ଘଟଣାରୁ ପରସ୍ପର ପ୍ରେମରେ ପଡ଼ିଗଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଲା। ପ୍ରେମ ଆହୁରି ଗଭୀର ହେବାକୁ ଲାଗିଲା। ମନଜିତ ପୂର୍ବରୁ ବିବାହିତ ଥିଲେ। ତାଙ୍କର ୧୬ ବର୍ଷର ଝିଅ ଥିଲା। ପତ୍ନୀ ସୁନୀତା ହରିୟାଣାର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ଯେତେବେଳେ ଏଞ୍ଜେଲ ଏହି ପ୍ରେମ ସମ୍ପର୍କକୁ ବିବାହରେ ପରିଣତ କରିବା ପାଇଁ କହିଥିଲେ ସୁନିତା ବିରୋଧ କରିଥିଲେ। ଏଞ୍ଜେଲଙ୍କ ସହିତ କୌଣସି ସମ୍ପର୍କ ନରଖିବାକୁ ପତ୍ନୀ ସୁନିତା ମନଜିତଙ୍କ ଉପରେ ଚାପ ପକାଇଥିଲେ।
ଝିଅର ଖୁସି ପାଇଁ ବାପା ଦେଲେ ସୁପାରି
ଏଞ୍ଜେଲଙ୍କ ଆଖିରେ କେବଳ ମନଜିତଙ୍କ ପ୍ରେମ ଦିଶୁଥିଲା। ସୁନିତାଙ୍କୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ ଏଞ୍ଜେଲ। ସେ ତାଙ୍କ ବାପା ରାଜୀବଙ୍କଠାରୁ ସାହାଯ୍ୟ ମାଗିଲେ। ରାଜୀବ ଝିଅର ଖୁସି ପାଇଁ ଡ୍ରାଇଭର ଦୀପକକୁ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ କଲେ। ଡ୍ରାଇଭର ମାଧ୍ୟମରେ ଦୁଇଜଣ ସୁପାରିଲ କିଲର ଯୋଗାଡ଼ ହେଲା। ସୁନିତାଙ୍କୁ ରାସ୍ତାରୁ ହଟାଇବାକୁ ୧୦ ଲକ୍ଷ ସ୍ଥିର ହୋଇଥିଲା। ୨୦୧୮ ଅକ୍ଟୋବର ୨୫ ରେ କରୱା ଚୌଥ ଦିନ ହତ୍ୟା କରିବାକୁ ପ୍ରଥମ ଉଦ୍ୟମ ହୋଇଥିଲା। କିନ୍ତୁ ସଫଳ ହେଲେନାହିଁ। ଏହା ପରେ ଅକ୍ଟୋବର ୨୯ ସକାଳେ ସୁନିତା ସ୍କୁଲକୁ ଯିବା ରାସ୍ତାରେ ସୁପାରି କିଲରମାନେ ତାଙ୍କୁ ହତ୍ୟା କରିଥିଲେ। ଦୂରରେ ରହି ମନଜିତ ସଙ୍କେତ ଦେବା ପରେ ତାଙ୍କୁ ହତ୍ୟା କରାଯାଇଥିଲା। ସିନେମା ଭଳି ଲାଗୁଛି ଏହି ହତ୍ୟାକାଣ୍ଡ। ଦରିଆପୁର ଥାନା ନିକଟରେ ଏଭଳି ହତ୍ୟାକାଣ୍ଡ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁନିତାଙ୍କ ମୋବାଇଲ୍ ଫୋନ୍ ଏବଂ ପର୍ସ ପାଇଥିଲା। ଏହି ହତ୍ୟା ପଛରେ ଡକାୟତି ନୁହେଁ ବରଂ ଅନ୍ୟ ଉଦ୍ଦେଶ୍ୟ ଥିବା ଆରମ୍ଭରୁ ସ୍ପଷ୍ଟ ହୋଇଥିଲା। ହତ୍ୟାକାଣ୍ଡର ଖିଅ ଯେତେ ଫିଟୁଥିଲା ଏଞ୍ଜେଲଙ୍କ ଯୋଜନା ସେତେ ସାମନାକୁ ଆସୁଥାଏ।
ଡାଏରି କହିଲା ସତ
ହତ୍ୟା ପଛରେ କାରଣ ଖୋଜୁଥିଲା ପୁଲିସ। କାରଣ ଖୋଜିଖୋଜି ସୁନିତାଙ୍କ ଘରେ ପହଞ୍ଚିଲା। ସେଠାରେ ଯାଞ୍ଚ ସମୟରେ ପୁଲିସକୁ ଏକ ଡାଏରି ମିଳିଥିଲା। ଏହି ଡାଏରି ସୁନିତା ହତ୍ୟା ମାମଲାର ସମ୍ପୂର୍ଣ୍ଣ ମାମଲାକୁ ପର୍ଦ୍ଦାଫାସ କରିଥିଲା। ପ୍ରକୃତରେ ସୁନିତା ତାଙ୍କ ସ୍ୱାମୀ ମନଜିତ ଏବଂ ଏଞ୍ଜେଲ ଗୁପ୍ତାଙ୍କ ପ୍ରେମ ବିଷୟରେ ଡାଏରିରେ ଲେଖିଥିଲେ। ମନଜିତଙ୍କ ବିଶ୍ୱାସଘାତକତା ଠାରୁ ଆରମ୍ଭ କରି ଏଞ୍ଜେଲଙ୍କ ଷଡ଼ଯନ୍ତ୍ର ସମ୍ପର୍କରେ ଲେଖା ଯାଇଥିଲା। ପୁଲିସ ଏହି ମାମଲାରେ ଏଞ୍ଜେଲ ଗୁପ୍ତା, ମନଜିତ ସିଂହ, ରାଜୀବ, ଦୀପକ ଏବଂ ଉଭୟ ସୁପାରି କିଲରଙ୍କୁ ଗିରଫ କରିଥିଲା।
ଶେଷରେ ସୁନୀତାଙ୍କ ଆତ୍ମାକୁ ନ୍ୟାୟ
ଦିଲ୍ଲୀର ରୋହିଣୀ କୋର୍ଟରେ ପୁଲିସ ସୁନିତା ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ସାତ ବର୍ଷ ଧରି ଏକ ଲମ୍ବା ଆଇନଗତ ପ୍ରକ୍ରିୟାରେ ୨୦୨୫ ଏପ୍ରିଲ ୨୮ ରେ ଦିଲ୍ଲୀର ରୋହିଣୀ କୋର୍ଟ ସୁନୀତା ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏବେ ଅଭିଯୁକ୍ତମାନେ ତିହାର ଜେଲର ଚାରି କାନ୍ଥ ଭିତରେ ଦିନ ରାତି ଏକ କରିଦେଇଛନ୍ତି। ସୁହାଗ ସିନ୍ଦୁର କାହାର ବି ହୋଇପାରିଲାନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)