/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698765890.jpg)
Note Exchange
ନୋଟବନ୍ଦୀ ବେଳ ଦୃଶ୍ୟର ଏକ ପ୍ରକାର ପୁନରାବୃତ୍ତି। ମଜୁରୀ ଦେଇ ଚାଲିଛି ୨ ହଜାର ଟଙ୍କିଆ ନୋଟ୍ ବଦଳ। କଳାଧନକୁ ଧଳା କରିବାକୁ ମୋହରା ସାଜିଛନ୍ତି ଗରିବ ଖଟିଖିଆ। ପୂର୍ବରୁ ୨ ହଜାର ଟଙ୍କିଆ ନୋଟ୍ ବଦଳ ଲାଗି ବାରମ୍ବାର ଡେଡଲାଇନ୍ ଦିଆଯାଇଥିଲା। ତେବେ ସେତେବେଳ ନକରି ଏବେ ରିଜର୍ଭ ବ୍ୟାଙ୍କରେ ନୋଟ୍ ବଦଳ ପାଇଁ କାହିଁକି ଲମ୍ବା ଲାଇନ୍ ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ।
ଟଙ୍କା କାହାର, ଲାଇନ୍ ଦେଇଛି କିଏ ? ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଭୁବନେଶ୍ୱର RBI ଆଗରେ ଲାଇନ୍ ଲଗାଇଥିବା କିଛି ଲୋକଙ୍କ କଥାରୁ ଉଠିଛି ଏମିତି ପ୍ରଶ୍ନ। କଳାଧନକୁ ଧଳା କରିବା ଓ ସରକାରଙ୍କୁ ଚୁନ ଲଗାଇବାକୁ ଅସାଧୁ ଗୋଷ୍ଠୀ ଗରିବଙ୍କୁ ମୋହରା କରିଥିବା ଏମାନଙ୍କ କଥାରୁ ସ୍ପଷ୍ଟ ଜଣାପଡୁଛି। କାରଣ RBIରେ ବଦଳ ହେଉଥିବା ବଡ଼ ନୋଟ୍ର ଅସଲ ମାଲିକ ଲାଇନରେ ଛିଡ଼ା ହୋଇଥିବା ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ନୁହନ୍ତି।
ମୂଲ ନେଇ ଏମାନେ ଆଉ କାହାର ଟଙ୍କା ବଦଳାଇବାକୁ ଆସିଛନ୍ତି। ୨୦ ହଜାର ଟଙ୍କାର ନୋଟ୍ ବଦଳି କଲେ ମଜୁରୀ ମିଳୁଛି ୩ ଶହ। ଆଶ୍ଚର୍ଯ୍ୟର କଥା ହେଉଛି ଟଙ୍କାର ଅସଲ ମାଲିକ କିଏ ବଦଳ କରିବା ଠିଆ ହୋଇଥିବା ଲୋକ ତାହା ଜାଣିନି। ମଜୁରୀ ଛିଡିବା ପରେ ଆଧାର କାର୍ଡ ଜମା ରଖି କେବଳ ଲାଇନ ଦେଉଛନ୍ତି। ମଧ୍ୟସ୍ଥିଠୁ ଟଙ୍କା ନେଇ ବଦଳ କରିବା ପରେ ମଜୁରୀ ନେଇ ଫେରୁଛନ୍ତି ନୋଟ୍ ବଦଳ ପାଇଁ ଆସିଥିବା ଲୋକେ।
ତେବେ ନୋଟ୍ ବଦଳ କରିବାକୁ ଆସିଥିବା ଜଣେ ବ୍ୟକ୍ତି, ସେ ଭୁବନେଶ୍ୱରର କପଡ଼ା ବ୍ୟବସାୟ ପ୍ରତିଷ୍ଠାନ କଳା ମନ୍ଦିରର ଟଙ୍କା ବଦଳାଇବାକୁ ଆସିଥିବା କହିଥିଲେ। ମାତ୍ର କଳାମନ୍ଦିର କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି।
ମେ’ ୧୯ରୁ ଅକ୍ଟୋବର ୭ ତାରିଖ ଯାଏଁ ଦେଶର ସମସ୍ତ ବ୍ୟାଙ୍କ ଶାଖାରେ ୨ ହଜାର ଟଙ୍କିଆ ନୋଟ୍ ବଦଳ ଓ ଜମା ପାଇଁ ସମୟ ଦେଇଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହାପରେ ଏବେ କେବଳ RBIର ଆଞ୍ଚଳିକ କାର୍ଯ୍ୟାଳୟରେ ହିଁ ନୋଟ୍ ବଦଳ ହେଉଛି। ଏବେ RBI ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟରେ ଦୈନିକ ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍ ଫେରୁଛି। ସେଥିରୁ ମାତ୍ର ୫ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି, ଅବଶିଷ୍ଟ ୯୫ ଭାଗ ତତ୍କାଳ ବଦଳାଇ ନେଉଛନ୍ତି ଲୋକେ।
ମଜୁରି ନେଇ ନୋଟ୍ ବଦଳ ଅଭିଯୋଗକୁ ନେଇ ଆରବିଆଇ ଆଂଚଳିକ ନିର୍ଦ୍ଦେଶକ କହିଛନ୍ତି, ରିଜର୍ଭ ବ୍ୟାଙ୍କର କାମ ନୋଟ୍ ବଦଳାଇବା, କାହାର ଟଙ୍କା ତାହା ଜାଣିବା ନୁହେଁ। ଟଙ୍କା ଜମାକରୁଥିବା ଲୋକଙ୍କ ସିସିଟିଭି ଫୁଟେଜ ଓ ତଥ୍ୟ ରହୁଛି, ତଦନ୍ତକାରୀ ସଂସ୍ଥା ଚାହିଁଲେ, ପରେ ଏହାର ତଦନ୍ତ କରିପାରିବେ।
ବଡ଼ ନୋଟ ବଦଳ ପାଇଁ ଲୋକଙ୍କ ପାଖରେ ରହିଛି ତିନୋଟି ବିକଳ୍ପ
- କୌଣସି ଏକ ପରିଚୟପତ୍ର ଦାଖଲ କରି ଖୋଲାଯାଇଥିବା ସ୍ୱତନ୍ତ୍ର କାଉଣ୍ଟରରୁ ଲୋକେ ଥରକେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବଡ଼ ନୋଟ ବଦଳାଇ ପାରିବେ ।
- ଏହାଛଡ଼ା ଆରବିଆଇ କାର୍ଯ୍ୟାଳୟରେ ରଖାଯାଇଥିବା ସ୍ୱତନ୍ତ୍ର ବକ୍ସରେ ବନ୍ଦ ଲଫାପାରେ ୨ ହଜାର ଟଙ୍କିଆ ନୋଟ ଓ ନିଜ ବ୍ୟାଙ୍କ ତଥ୍ୟ ଦାଖଲ କଲେ, ସପ୍ତାହକ ଭିତରେ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଯିବ ।
- ଏମିତିକି ଭାରତୀୟ ଡାକ ଜରିଆରେ ଆରବିଆଇକୁ ବଡ଼ ନୋଟ୍ ପଠାଇ ଲୋକେ ନିଜ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)