• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କବରାପାଲି ପଂଚାୟତ ଆଗରେ ଚାପା ଉତ୍ତେଜନା

  • ପଞ୍ଚାୟତ ଅଫିସ ଘେରିଲେ ସ୍ଥାନୀୟ ବାସିନ୍ଦା

ସମ୍ବଲପୁର : ସମ୍ବଲପୁର ଯୁଜୁମୁରା ବ୍ଲକ କବରାପାଲି ଗ୍ରାମ ପଞ୍ଚାୟତରେ ଠିକା କାମ ପାଇଁ ପିସି କାରବାର ଓ ଅନିୟମିତତା ଅଭିଯୋଗରେ ପଞ୍ଚାୟତ ଅଫିସ ଘେରାଓ । ସ୍ଥାନୀୟ ଲୋକେ ପଞ୍ଚାୟତ ଅଫିସ ପରିସରରେ ଧାରଣା ଦେଇଥିବା ବେଳେ ଶନିବାର ବିଡିଓ ଘଟଣାସ୍ଥଳକୁ ଅଭିଯୋଗ ସମ୍ପର୍କରେ ବୁଝାବୁଝି କରିବାକୁ ଯାଇଥିଲେ । ହେଲେ ବିଡିଓଙ୍କୁ ମଧ୍ୟ ଘେରି ଯାଇଥିଲେ ଲୋକେ । ଖବରପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ସମସ୍ତ ଅଭିଯୋଗକୁ ସରପଞ୍ଚ ଖଣ୍ଡନ କରିଥିବା ବେଳେ ଠିକାଦାର ଠାରୁ ୧୫ ପ୍ରତିଶତ ପିସି ଦାବି କରୁଥିବାର ଏକ ଅଡିଓ ଭିଡିଓ ଭାଇରାଲ ହୋଇଛି ।

ଅଡିଓଟି କେତେ ଦିନ ତଳର ଯଦିଓ ଜଣାପଡିନି, ତେବେ ଏହି ଅଡିଓରେ ପିସିକୁ ନେଇ ଜଣେ ଠିକାଦାର ଓ ସରପଞ୍ଚଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଜଣାପଡୁଛି । ସେହିପରି ଅନ୍ୟ ଏକ ଭିଡିଓରେ ମଧ୍ୟ ସେହି ପିସି କଥାକୁ ନେଇ କଥା କଟାକଟି ହେଉଥିବା ଦେଖାଯାଉଛି । ଏପଟେ ସମ୍ବଲପୁର ଯୁଜୁମୁରା ବ୍ଲକ କବରାପାଲି ପଂଚାୟର ଆଗରେ ଚାପା ଉତ୍ତେଜନା । ଯୁଜୁମୁରା ବିଡିଓ ଆସି ପହଞ୍ଚିବା ପରେ ତାଙ୍କୁ ଘେରିଛନ୍ତି ଲୋକେ । ଅଭିଯୋଗ କରିଛନ୍ତି ସରପଂଚ ଓ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ବିରୋଧରେ । ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମିଶି ବିଭିନ୍ନ ପ୍ରକାର ଅନିୟମିତତା କରିଛନ୍ତି ବୋଲି ଅଭିଯୋଗ କରି ଘଟଣାର ତଦନ୍ତ ଓ କାଯର୍ୟାନୁଷ୍ଠାନ ଦାବିରେ ଅଡି ବସିଥିଲେ ସ୍ଥାନୀୟ ଲୋକେ ।

ଅନ୍ୟପଟେ ସଂପୃକ୍ତ ମହିଳା ସରପଞ୍ଚ ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିବା ସହ ଅଭିଯୋଗକାରୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ସେମାନେ ତାଙ୍କୁ ବେଆଇନ କାମ କରିବାକୁ ବାଧ୍ୟ କରୁଥିଲେ ଓ ସହଯୋଗ ନକରିବାରୁ ଏପରି ଯୋଜନାବଦ୍ଧ ଭାବେ ତାଙ୍କ ପଛରେ ଲାଗିଛନ୍ତି ବୋଲି କହିଛନ୍ତି ମହିଳା ସରପଞ୍ଚ । କୌଣସି କାମରେ ସେ ଦୁର୍ନୀତି କରି ନାହାନ୍ତି ବୋଲି କହିଛନ୍ତି । ଏପଟେ ବିଡିଓ ଉଭୟ ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀଙ୍କୁ ଡାକି ଆଲୋଚନା କରିଛନ୍ତି । ବିଡିଓ କହିଛନ୍ତି, ଅଭିଯୋଗର ତଦନ୍ତ ହେବ, ଯିଏ ଦୋଷୀ ଜଣାପଡିବ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ ଏବେ ପଞ୍ଚାୟତବାସୀ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ସେନେଇ ଅପେକ୍ଷାରେ ଅଛନ୍ତି ।

ସମ୍ବଲପୁରରୁ କ୍ୟାମେରାପର୍ସନ ରଞ୍ଜନଙ୍କ ସହ ସଂଜୟ କୁମାର ଜେନାଙ୍କ ରିପୋର୍ଟ