ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନୂଆ ଫର୍ଦ୍ଦ; ଶୁଣାଣିରେ ରୋକ, ପତ୍ନୀଙ୍କୁ ଆଶ୍ୱସ୍ତି

ପିଟିସନର ଶୁଣାଣି କରି ତଳ କୋର୍ଟରେ ଶୁଣାଣି ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ACF Soumyaranjan Death Case

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ । ଏହି ମାମଲାର ଶୁଣାଣିରେ ଲାଗିଛି ରୋକ୍ । ପାରଳାଖେମୁଣ୍ଡି କୋର୍ଟଙ୍କ ଶୁଣାଣି ଉପରେ ହାଇକୋର୍ଟ ଲଗାଇଛନ୍ତି ସ୍ଥଗିତାଦେଶ । ମାମଲାରେ ନିୟମିତ ହାଜିରାକୁ ଚ୍ୟାଲେଂଜ କରି ମୃତ ସୌମ୍ୟଙ୍କ ପତ୍ନୀ ପିଟିସନ ଦାଖଲ କରିଥିଲେ ।  ତେବେ ଚାକିରି କରୁଥିବାରୁ ନିୟମିତ ହାଜର ହୋଇପାରିବେନି ବୋଲି କହିଥିଲେ ପତ୍ନୀ । ପାରଳାଖେମୁଣ୍ଡିରେ ତାଙ୍କ ପିଟିସନ ଖାରଜ ହେବାରୁ ହାଇକୋର୍ଟ ଆସିଥିଲେ ପତ୍ନୀ । ପିଟିସନର ଶୁଣାଣି କରି ତଳ କୋର୍ଟରେ ଶୁଣାଣି ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ,୨୦୨୧ ଜୁଲାଇ ୧୨ ତାରିଖ ରାତି ପ୍ରାୟ ୯ଟା ସମୟରେ ସୌମ୍ୟରଞ୍ଜନ, ପାରଳାଖେମୁଣ୍ଡି ସ୍ଥିତ ନିଜ ସରକାରୀ ବାସଭବନରେ ନିଆଁ ଲାଗି ୯୦% ପୋଡ଼ି ଯାଇଥିଲେ। ପରେ ୧୩ ତାରିଖରେ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ମୃତ୍ୟୁର ପ୍ରାୟ ଦେଢ଼ ବର୍ଷ ବିତିଯାଇଥିଲେ ବି ଏହାର ରହସ୍ୟ ଉପରୁ ପରଦା ହଟିପାରି ନାହିଁ । ଘନ ଘନ ତଦନ୍ତ ପରେ ବି ହତ୍ୟା ସମ୍ପର୍କରେ ମିଳିନାହିଁ ପ୍ରମାଣ । 

ତେବେ କେମିତି ହେଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ଏହା ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା କରାଯାଇଛି ତା’ହେଲେ ଅଭିଯୁକ୍ତ କିଏ ? ଆଉ ଯଦି ସୌମ୍ୟ ଆତ୍ମହତ୍ୟା କରିଛନ୍ତି ତା’ହେଲେ ଏହା ପଛର କାରଣ କ’ଣ ? ସୌମ୍ୟଙ୍କ ମୃତ୍ୟୁକୁ ଦେଢ଼ ବର୍ଷ ବିତିଥିଲେ ବି ଏଭଳି ଅନେକ ପ୍ରଶ୍ନର ଉତ୍ତର ଏଯାଏଁ ମିଳିପାରିନି । ଏପରିକି ସୌମ୍ୟଙ୍କ ମୃତ୍ୟୁ ରହସ୍ୟର କୌଣସି କାରଣ ଏଯାଏଁ ତଦନ୍ତକାରୀ ଟିମ୍ ପାଇପାରିନାହିଁ।