• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାକିରି କରୁ କରୁ ଚୋରି ! ନା ମ ଚୋରି ନୁହେଁ ଲାଞ୍ଚ । ସରକାରୀ ଚାକିରି ଆରମ୍ଭ ହେଉ ହେଉ ଲାଞ୍ଚ ନେଲେ ଅଧିକାରୀ । ହେଲେ ଦୁର୍ଭାଗ୍ୟବଶତଃ ଧରାପଡ଼ିଗଲେ । ଆପଣ ଭାବୁଥିବେ ଏଥିରେ ନୂଆ କଥା କ’ଣ ? ଆଜ୍ଞା ନୂଆ କଥା କିଛି ନୁହେଁ, କାରଣ ଅନେକ ସରକାରୀ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ୁଛନ୍ତି । ଆଉ ଚାକିରି ବି ହରାଉଛନ୍ତି ।

ଏଠାରେ ଗୁରୁତ୍ୱର କଥା ହେଲା, ଯେଉଁ ଅଧିକାରୀଙ୍କୁ ଆଣ୍ଟି କରପ୍‌ସନ୍‌ ବ୍ୟୁରୋ ଲାଞ୍ଚ ନେବା ବେଳେ ଧରିଛି, ସେହି ଅଧିକାରୀ ନୂଆ ନୂଆ ଚାକିରି କରିଛନ୍ତି । ଆଉ ତାହା ପୁଣି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଭଳି ବଡ଼ ପଦବୀରେ । ଉଚ୍ଚ ଶିକ୍ଷା ଲାଭ କରି ସେ ସିଧାସଳଖ ଏହି ପଦବୀରେ ବସିଛନ୍ତି । ତା’ଠାରୁ ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚାକିରି ହେବା ପରେ ଏହା ତାଙ୍କର ପ୍ରଥମ ପୋଷ୍ଟିଂ । ଆଉ ଚାକିରି କରିବାର ମାତ୍ର ୮ ମାସ ଭିତରେ ସେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ।

ଏହି ଅଧିକାରୀ ଜଣକ ହେଉଛନ୍ତି ଜଣେ ମହିଳା । ତାଙ୍କର ନାଁ ମିଥାଲି ଶର୍ମା । ଝାଡ଼ଖଣ୍ଡ କୋଡେରମାରେ ଗତ ୮ ମାସ ହେବ ତାଙ୍କର ପୋଷ୍ଟିଂ ହୋଇଥିଲା । ତାଙ୍କୁ ଜୁଲାଇ ୭ ତାରିଖ ଦିନ ହଜାରିବାଗ ଆଣ୍ଟି କରପ୍‌ସନ୍‌ ବ୍ୟୁରୋ ପ୍ରମାଣ ସହ ଗିରଫ କରିଛି । ସେ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ।

ସବୁଠାରୁ ଚକିତ କରିଦେବା ଭଳି ଘଟଣା ହେଲା, ମାଡାମ ଲାଞ୍ଚ ନେବାର ପୁରା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଅନେକ ଦିଗରୁ ସମାଲୋଚନା କରାଯାଉଛି । ଅନେକ ତାଙ୍କର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କୋଡେରମା ବ୍ୟାପାର ସହଯୋଗ ସମିତିକୁ ମାଡାମ ସରପ୍ରାଇଜ୍‌ ଭିଜିଟ୍‌ କରିଥିଲେ । ସେଠାରେ କ’ଣ ଚାଲିଛି ସେନେଇ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ସେ ଜାଣିବାକୁ ପାଇଥିଲେ ଯେ ଏଠାରେ ସବୁକିଛି ଠିକ୍‌ ଚାଲିନି । ତେଣୁ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଧମକ ଦେଲେ । କିନ୍ତୁ ଅନ୍ୟପଟେ ଏହି କଥା ଲୁଚାଇବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମଧ୍ୟ ମାଗିଲେ ।

ଯାହାଫଳରେ ଉକ୍ତ ସଂସ୍ଥାର ଜଣେ କର୍ମଚାରୀ ରାମେଶ୍ୱର ପ୍ରସାଦ ଯାଦବ, ଭିତିରି ଭାବେ ACB ଡିଜିଙ୍କ ନିକଟରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ACBର ଏକ ଟିମ୍‌ ମାଡାମ୍‌ଙ୍କୁ ଧରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା । ଜୁଲାଇ ୭ ତାରିଖ ଦିନ ମାଡାମ ୨୦ ହଜାରରୁ ପ୍ରଥମ କିସ୍ତି ଦଶ ହଜାର ଲାଞ୍ଚ ଟଙ୍କା ନେବା ବେଳେ ପ୍ରମାଣ ସହ ଧରାପଡ଼ିଥିଲେ ।