ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ଅସୁରକ୍ଷିତ ହେବାରେ ଲାଗିଛି। କେତେବେଳେ ସକାଳୁ ସକାଳୁ ଲୋକଙ୍କୁ ଗୋଡ଼ାଇ ହାଣିଲେଣି ତ ଆଉ କେତେବେଳେ ସନ୍ଧ୍ୟାବେଳେ ଲୁଟ୍ ହେଲାଣି। ଏଭଳି ଅପରାଧିକ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଅପରାଧୀଙ୍କୁ ଚେକ୍ମେଟ୍ ଦେବାକୁ ପୋଲିସ୍ ବିଫଳ। ପାଟ୍ରୋଲିଂ ହେଉଥିଲେ ମଧ୍ୟ ପୋଲିସ୍କୁ ଚ୍ୟାଲେଞ୍ଜ କରି ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବାରେ ଲାଗିଛନ୍ତି। ଏବେ ରାଜଧାନୀରେ ମୁଖାପିନ୍ଧା ଚେନ୍ ଲୁଟେରା ମାତିଛନ୍ତି। ଯାହାକୁ ନେଇ ରାଜଧାନୀବାସୀ ଆହୁରି ଭୟଭୀତ ହୋଇପଡ଼ିଛନ୍ତି।
ସୂଚନା ଅନୁସାରେ, ଗତ ସୋମବାର ସନ୍ଧ୍ୟା ବେଳେ ପଲାସପଲ୍ଲୀ ଅଞ୍ଚଳରେ ଜଣେ ମହିଳାଙ୍କ ଠାରୁ ଲୁଟେରାମାନେ ଚେନ୍ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗଳି ରାସ୍ତାରେ ମହିଳା ଜଣଙ୍କ ଚାଲି ଚାଲି ଯାଉଥିବା ବେଳେ ମୁଖା ପିନ୍ଧା ଜଣେ ଲୁଟେରା ତାଙ୍କୁ ଫଲୋ କରି ବେକରୁ ଚେନ୍ ଛିଣ୍ଡାଇ ନେଇଥିଲେ। ଏହାପରେ କିଛି ଦୂରରେ କଳା ପଲ୍ସର ଧରି ଛିଡ଼ା ହୋଇଥିବା ଅନ୍ୟ ଜଣେ ଲୁଟେରାଙ୍କ ସହ ସମ୍ପୃକ୍ତ ଲୁଟେରା ଫେରାର ହୋଇଯାଇଥିଲେ।
#ଝାମ୍ପିନେଲେ_ସୁନା_ଚେନ୍
— ଓଟିଭି (@otvkhabar) April 12, 2023
ରାଜଧାନୀରେ ପୁଣି ମାତିଲେ ଚେନ୍ ଲୁଟେରା । କଳା ପଲସର୍ରେ ଆସିଲେ, ସୁନା ଚେନ୍ ଝାମ୍ପିନେଲେ । ସାମ୍ନାକୁ ଆସିଲା ଲୁଟ୍ ବେଳର ସିସିଟିଭି ଭିଜୁଆଲ । #Loot #Bhubaneswar #OTV pic.twitter.com/lLB4JG2Q1c
ଲୁଟ୍ର ଶିକାର ହୋଇଥିବା ମହିଳା ଘଟଣା ସମ୍ପର୍କରେ ଏୟାରପୋର୍ଟ ଥାନାରେ ଅଭିଯୋଗ ପରେ ପୋଲିସ୍ ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ କରୁଛି।
- Reported by:
- ALOK MOHANTY