• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଡ଼ାକଡ଼ି ହେଉଛି ପରିବହନ ନିୟମ । ଆଇନ୍ ଖିଲାପକାରୀଙ୍କ ଠାରୁ ଆଦାୟ ହେଉଛି ମୋଟା ଅଙ୍କର ଜୋରିମାନା । ହେଲେ ସରକାରୀ ଗାଡ଼ି ପାଇଁ ଯେମିତି ସବୁ ଆଇନ୍ କାନୁନ୍ ମାଫ୍ । ବିନା ଫିଟନେସ ଓ ବିନା ପରିମିଟ ଥିବା ଗାଡ଼ି ଗୁଡ଼ିକରେ ଓମଫେଡ କ୍ଷୀର ପରିବହନ ହେଉଥିବା ସାଂଘାତିକ ଅଭିଯୋଗ ଆସିଛି ।

ଗାଡ଼ି ନମ୍ବର OR-02AJ-7407, OR-02T-7243, OD-05K-0948 ର ଫିଟନେସ ଫେଲ୍ । ଏସବୁ ହେଉଛି ରାସ୍ତାରେ ଗଡୁଥିବା ଓମଫେଡ କ୍ଷୀର ପରିବହନ ଗାଡ଼ି । ପାଖାପାଖି ୪୦ରୁ ଉର୍ଦ୍ଧ୍ୱ ଓମଫେଡ କ୍ଷୀର ଗାଡି ଏଭଳି ବିନା ଫିଟନେସ ଓ ବିନା ପରମିଟରେ ଚାଲିଥିବା ସୂଚନା ମିଳିଛି । ସରକାରଙ୍କ ବାହାନ ଆପ୍ ଜରିଆରେ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ ।

କଟକ ବିଦ୍ୟାଧରପୁର ସ୍ଥିତ ଓମଫେଡ ଡାଏରୀ ପ୍ଲାଣ୍ଟରେ ଏଭଳି ବେଆଇନ ଭାବରେ ୪୦ ରୁ ଅଧିକ କ୍ଷୀର ପରିବହନ ଗାଡ଼ି ଚାଲିଥିବା ନେଇ ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ଓମଫେଡ ଗାଡ଼ି ଧକ୍କାରେ ବ୍ରାହ୍ମଣୀଗାଁର ଜଣଙ୍କ ମୃତ୍ୟୁ ହେବା ପରେ ଦୁର୍ଘଟଣା ଘଟାଇଥିବା ଗାଡ଼ିର ଇନସ୍ୟୁରାନସ ଓ ପରମିଟ ନଥିବା ଜଣାପଡିଥିଲା । ଏହା ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି, କାଗଜପତ୍ର ଠିକ୍ ନଥିବା ଆଉ ଦୁଇଟି ଓମଫେଡ ଗାଡିକୁ ବି ଜବତ୍ କରିଥିଲା ଗୋଡିସାହି ଫାଣ୍ଡି ପୋଲିସ ।

ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ । ଏଥିସହ ପୋଲିସ କେବଳ ମାମଲା କରିଦେଇ ହାତ ଟେକି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ।

ସୂଚନା ଅନୁସାରେ କଟକ ବିଦ୍ୟାଧରପୁର ସ୍ଥିତ ଓମଫେଡ ଡେରୀ ପ୍ଲାଣ୍ଟରେ ପାଖାପାଖି ୮୩ଟି ଛୋଟବଡ଼ ଗାଡ଼ି କ୍ଷୀର ପରିବହନରେ ନିୟୋଜିତ ଅଛନ୍ତି । ପୁରୀ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଓ ନୟାଗଡ଼ ଆଦି ଅଞ୍ଚଳକୁ ପ୍ରତିଦିନ ଏସବୁ କ୍ଷୀର ଗାଡ଼ି ଯାତାୟାତ କରୁଛି । ଏଥିମଧ୍ୟରୁ ୪୩ଟି ଗାଡ଼ିରେ କାହାର ଫିଟନେସ ନାହିଁ ତ କାହାର ପରମିଟ ନାହିଁ ଓ କାହାର ଇନସ୍ୟୁରାନସ ନଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି ।

ତଥ୍ୟ ସାମ୍ନାକୁ ଆସିବା ପରେ ଏଠି ପ୍ରଶ୍ନ ଉଠୁଛି, ଏଭଳି ବେଆଇନ ଚଳାଚଳ ପାଇଁ ଗାଡ଼ି ଗୁଡ଼ିକୁ କିଭଳି ଅନୁମତି ଦେଉଛି ଓମଫେଡ୍ ? ସରକାରଙ୍କ ଗାଡ଼ି ବୋଲି କ'ଣ ଆଇନ୍ ଅଲଗା ନା ସାତଖୁଣ ମାଫ୍ ? ଜାଣିଶୁଣି ଅନଫିଟ ହୋଇଯାଉଥିବା ଗାଡ଼ିକୁ କ୍ଷୀର ପରିବହନରେ ଲଗାଯାଉଛି କି ? କାରଣ ସାଧାରଣତଃ କ୍ଷୀର ଗାଡ଼ି ଜରୁରୀସେବା ପରିସରରେ ଆସୁଥିବାରୁ ସେଗୁଡ଼ିକୁ କେହି ଅଟକାନ୍ତି ନାହିଁ ।

ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ମତରେ, ଓଡ଼ିଶା ମୋଟର ଭେଇକିଲ ଆଇନ୍ ଅନୁସାରେ ସେ ସରକାରୀ ହେଉ କି ବେସରକାରୀ, ଗାଡ଼ିର କାଗଜପତ୍ର ଠିକ୍ ନଥିଲେ ତାହା ରାସ୍ତାରେ ଚାଲିବା ବେଆଇନ । ସେପଟେ ଏହି ଘଟଣା ପରେ ଆଉ ଦୁଇଟି ବେଆଇନ ଚାଲୁଥିବା ଗାଡ଼ିକୁ ଜବତ୍ କରାଯିବା ସହ ଗାଡ଼ି ମାଲିକଙ୍କ ନାଁ ରେ ମାମଲା ହୋଇଛି ଏବଂ ଓମଫେଡ କର୍ତ୍ତୁପକ୍ଷ ଓ ଆରଟିଓଙ୍କୁ ନୋଟିସ୍ କରାଯାଇଛି ବୋଲି କହିଛନ୍ତି କଟକ ଆଡିସନାଲ ଡିସିପି ।

ସେପଟେ ଓମଫେଡରେ ବ୍ୟବହୃତ ସମସ୍ତ ଗାଡିକୁ ତୁରନ୍ତ ଯାଞ୍ଚକରି କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ କଟକ ଆରଟିଓଙ୍କୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ପରିବହନ ଆୟୋଗର ଅତିରିକ୍ତ କମିଶନର । ତେବେ ଏନେଇ ଓମଫେଡ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।