/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706706308.jpg)
Odisha vigilance
ପୁଣି ଅଡ଼ୁଆରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ୍ ଦାଖଲ କରିଛି ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚାର୍ଜଫ୍ରେମ ଦାଖଲ କରିଥିବା ସୂଚନା ମିଳିଛି । ବିଧାୟକଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଚାର୍ଜଫ୍ରେମ୍ ଦାଖଲ ହୋଇଛି ।
ପୂର୍ବରୁ ୨୦୨୩ ଏପ୍ରିଲ୍ ୨୨ ତାରିଖରେ ମଧ୍ୟ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ସ୍ପେଶାଲ କୋର୍ଟ ଭିଜିଲାନ୍ସରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ । ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଚାର୍ଜସିଟରେ ଉଲ୍ଲେଖ ରହିଥିଲା ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବାରେ ପତ୍ନୀ ସହଯୋଗ କରିଥିବାରୁ ତାଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲନ୍ସ ଟିମ୍ । ପୂର୍ବରୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଏହି ସମ୍ପତ୍ତିର ଯାଞ୍ଚ କରିଥିଲା ଭିଜିଲାନ୍ସ । ଯାଞ୍ଚ ବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଗତବର୍ଷ ଜୁନ୍ ୯ ତାରଖରେ ଚାର୍ଜସିଟ୍ ଦାଖଲ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ ।
ପୂର୍ବରୁ ଜାଲିଆତି ତଥା ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଆଦାୟ ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା । ସେ ତାଙ୍କ ଭାବି ଜ୍ୱାଇଁ ପ୍ରଦୀପ ପାଠକଙ୍କ ସହ ମିଶି ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ । ଗିରଫ ହେବା ପରେ ତାଙ୍କୁ ଶାସକ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବହିଷ୍କାର କରିଥିଲା ।
କିଛି ମାସ ଜେଲ୍ରେ ରହିବା ପରେ ସେ ଜାମିନ୍ ପାଇଥିଲେ । ତେବେ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିବା ପରେ ସେ ଜୁନ ୧୨, ୨୦୨୧ରେ ଭୁବନେଶ୍ୱରର ଝାରପଡ଼ା ଜେଲରୁ ମୁକ୍ତ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)