ମହଙ୍ଗା ପଡ଼ିଲା ପର ଧନରେ କୁବେର ହେବାର ନିଶା; ବନ୍ଧା ହେଲେ କୋଟିପତି ବାବୁ

ବନ୍ଧା ହେଲେ କୋଟିପତି ଯନ୍ତ୍ରୀ। R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

କୁବେର ଯନ୍ତ୍ରୀ ଗିରଫ

ବନ୍ଧା ହେଲେ କୋଟିପତି ଯନ୍ତ୍ରୀ। R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗତକାଲି ତାରାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ । ଆଉ ତାଙ୍କର ସଂପତ୍ତି ଦେଖି ତାଜୁବ୍ ହୋଇଥିଲେ ଭିଜିଲାନ୍ସ ଅଧିକାରୀ ।

ପର ଧନରେ କୁବେର ହେବାର ନିଶା ଘାରିଥିବା ଆଉ ଜଣେ ବାବୁ ହେଲେ R & B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର । ବାବୁ ଯେତିକି ଉପୁରି ଆୟ କରୁଥିଲେ, ତା’ଆଗରେ ଦରମା କିଛି ବି ନୁହଁ । ଯେଉଁ ବାଟଦେଇ ବାବୁ ଅମାପ ସମ୍ପତ୍ତି ଠୁଳ କରି ବିଳାସମୟ ଜୀବନ ଜୀଉଁଥିଲେ, ତାହା ଦେଖି ସମସ୍ତେ ତାଟକା । ଗତକାଲି ଚଢାଉ ବେଳେ ତାଙ୍କର ସମ୍ପତ୍ତି ସମସ୍ତଙ୍କୁ ଚକିତ କରିଛି।

ଅଧିକ ପଢ଼ନ୍ତୁ: ମ୍ୟୁନିସିପାଲ ଅଧିକାରୀଙ୍କ ଘରେ ରେଡ୍; କାର୍ଟୁନ ବକ୍ସରୁ ମିଳିଲା ନଗଦ ୩ କୋଟି ଟଙ୍କା...

ତାଙ୍କ ଘରୁ ମିଳିଥିଲା ଦେଢ଼ କେଜିର ସୁନା ଅଳଙ୍କାର, ସୁନା ବିସ୍କୁଟ୍ କଏନ ସହ ୬ଟି ରୂପାଥାଳି। କେବଳ ସେତିକି ନୁହେଁ ଭଳିକି ଭଳି ଚେନ୍ ସହ ସୁନା ଓ ହୀରାର ହାର ବି ରହିଥିଲା । ଅଢ଼େଇ ଲକ୍ଷରୁ ଆରମ୍ଭ କରି ସର୍ବାଧିକ ୧୩ ଲକ୍ଷ ଯାଏଁ ପ୍ରାୟ ୨୦ଟି ହାତଘଣ୍ଟା ମିଳିଥିଲା । ତାରାପ୍ରସାଦଙ୍କ ନୟାପଲ୍ଲୀ ଆପାର୍ଟମେଣ୍ଟରେ ଥିଲା ବିଳାସମୟ ମର୍ସିଡିଜ୍ ସି କ୍ଲାସ୍ କାର୍ । ଯାହାର ମୂଲ୍ୟ ପ୍ରାୟ ଦେଢ଼ କୋଟି । ଏଭଳି ଆଉ ଏକ ଦାମୀ କାର୍ ବି ମିଳିଥିଲା ।

ସେ ୧୪ ଥର ବିଦେଶ ବୁଲିଛନ୍ତି । USAଠୁ ଆରମ୍ଭ କରି ୟୁଏଇ, କାନାଡା, ମେକ୍ସିକୋ, ସିଙ୍ଗାପୁର ଭଳି ଦେଶ ବୁଲି ଅୟସ କରିଛନ୍ତି। ନୟାପଲ୍ଲୀ ଅର୍ପଣ ଫ୍ଲାଟକୁ ଛାଡ଼ିଦେଲେ ଭୁବନେଶ୍ୱର କସମୋପଲିସରେ ୨ଟି, ଫାଲକନ୍ କ୍ରେଷ୍ଟ ଓ କଟକ-ଭୁବନେଶ୍ୱର ରୋଡରେ ଥିବା ଗ୍ରାଣ୍ଡ ଆୱାସରେ ଗୋଟିଏ ଲେଖାଏଁ, ଆସୋଟେକରେ ୨ଟି ଫ୍ଲାଟ୍ ରହିଛି । ସେହିପରି ଝାରସଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ୩ଟି ଫ୍ଲାଟ, ଭୁବନେଶ୍ୱର, କଟକ ଓ ଜଟଣୀରେ ମୋଟ୍ ୭ଟି ଦାମୀ ପ୍ଲଟର ସନ୍ଧାନ ପାଇଛି ଭିଜିଲାନ୍ସ ।

୨ କୋଟି ୭୦ ଲକ୍ଷର ବ୍ୟାଙ୍କ ଜମା, ନଗଦ ୬ ଲକ୍ଷ ଟଙ୍କା ସହ ଲକର, ବୀମା ଓ ଫିକ୍ସଡ ଡିପୋଜିଟର ବି ରହିଛି । ଝିଅର ମେଡିକାଲ ଶିକ୍ଷା ପାଇଁ ତାରା ୮୦ ଲକ୍ଷ ଖର୍ଚ୍ଚ କରିଥିବା ତଥ୍ୟ ପାଇଥିଲା ଭିଜିଲାନସ । ତେବେ ସଠିକ୍‌ ଭାବେ ହିସାବ ନଦେଇ ପାରିବାରୁ ତାରାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ୧୯୮୪ରେ ପୂର୍ତ୍ତ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ ତାରାପ୍ରସାଦ । ୨୦୨୩ ଜୁନରେ R & B ବିଭାଗର ମୁଖ୍ୟଯନ୍ତ୍ରୀ ପଦରୁ ଅବସର ନେଇଥିଲେ । କୁହାଯାଉଛି, ତତ୍କାଳୀନ ବିଜେଡି ସରକାରର ଗୁଡ୍ ବୁକରେ ଥିବା ତାରାଙ୍କ ପାଇଁ ୬ ମାସ କାଳ R & B ବିଭାଗର ମୁଖ୍ୟଯନ୍ତ୍ରୀ ପଦ ଖାଲି ରହିଥିଲା ।