• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନରହତ୍ୟାରେ ନୋ ବ୍ରେକ୍ । ମହିଳା ଓ ଶିଶୁ ବିରୋଧୀ ହେଉ କି ସାଇବର ଅପରାଧ ସବୁ ହୁ ହୁ ହୋଇ ବଢ଼ିଚାଲିଛି । ଦେଶ ଭଳି ଓଡ଼ିଶାରେ ବି ସ୍ଥିତି ଚିନ୍ତାଜନକ । ଏନସିଆରବି ରିପୋର୍ଟ କହୁଛି- ୨୦୨୧ ତୁଳନାରେ ୨୨ରେ ଦେଶରେ ମହିଳା ବିରୋଧୀ ଅପରାଧ ୪% ଓ ଶିଶୁ ବିରୋଧୀ ଅପରାଧ ୮.୭% ବଢ଼ିଛି । ଏଣେ ଓଡ଼ିଶାରେ ପ୍ରତି ଲକ୍ଷେ ଲୋକରେ ୩ ଜଣ ହତ୍ୟାର ଶିକାର ହେଉଛନ୍ତି । ଅନେକ ହତ୍ୟା ମାମଲାରେ ପେଷାଦାର ଅପରାଧୀଙ୍କ ଅପେକ୍ଷା ସାଧାରଣ ଲୋକଙ୍କ ବେଶୀ ସଂପୃକ୍ତି ସାମ୍ନାକୁ ଆସୁଥିବାରୁ ବଢ଼ିଛି ଚିନ୍ତା ।

ନର ହତ୍ୟା..ଶିଶୁ ବିରୋଧୀ ଅପରାଧ ଏବଂ ସାଇବର କ୍ରାଇମ୍ । ଦେଶ ହେଉ କି ରାଜ୍ୟ, ସବୁଠି ଘାଇଁ ଘାଇଁ ବଢି ଚାଲିଛି ଏ ସଂଖ୍ୟା । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ବା NCRBର କ୍ରାଇମ ଇନ୍ ଇଣ୍ଡିଆ ୨୦୨୨ ରିପୋର୍ଟରୁ ଆସିଛି ଏ ସମ୍ପର୍କିତ ଆଖି ତରାଟିଲା ଭଳି ତଥ୍ୟ । ରିପୋର୍ଟ କହୁଛି- ୨୦୨୧ ତୁଳନାରେ ୨୦୨୨ରେ ଦେଶରେ ମହିଳା ବିରୋଧୀ ଅପରାଧ ୪% ଓ ଶିଶୁ ବିରୋଧୀ ଅପରାଧ ୮.୭% ବଢ଼ିଛି । ମହିଳାଙ୍କୁ ଅସଦାଚରଣରେ ଓଡ଼ିଶା, ଦେଶରେ ୪ ନମ୍ବର ସ୍ଥାନରେ ଥିବାବେଳେ ମହିଳା ବିରୋଧୀ ଅପରାଧରେ ସାମାନ୍ୟ ହ୍ରାସ ପାଇ ସପ୍ତମ ସ୍ଥାନକୁ ଖସିଛି ।

୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ଟି ଅପରାଧିକ ମାମଲା ରୁଜୁ ହୋଇଥିଲା, ହେଲେ ୨୦୨୨ରେ ସେ ସଂଖ୍ୟା ୧ ଲକ୍ଷ ୭୮ ହଜାର ୧୯୦ରେ ପହଞ୍ଚିଛି । ଚଳିତବର୍ଷ ୭,୩୨୭ଟି ଅସଦାଚରଣ, ୧୪ଟି ଦୁଷ୍କର୍ମ ସହ ହତ୍ୟା ମାମଲା ରୁଜୁ ହୋଇଛି । ତେବେ ଗତବର୍ଷ ତୁଳନାରେ ରାଜ୍ୟରେ ଶିଶୁ ବିରୋଧୀ ଅପରାଧ ଢେର ବଢ଼ିଛି । ୨୦୨୧ରେ ୭, ୮୯୯ ଶିଶୁ ବିରୋଧୀ ଅପରାଧ ଥିଲାବେଳେ ୨୦୨୨ରେ ଏହା ୮,୨୪୦କୁ ବଢ଼ିଛି । ସେମିତି ୨୦୨୧ରେ ରାଜ୍ୟରେ ମହିଳା ବିରୋଧୀ ଅପରାଧ ସଂଖ୍ୟା ୩୧, ୩୫୨ ଥିଲା, ହେଲେ ୨୦୨୨ରେ ଏ ସଂଖ୍ୟା ୨୩, ୬୪୮କୁ ଖସିଛି ।

ଓଡ଼ିଶାରେ ନର ହତ୍ୟା ହାର କିନ୍ତୁ ଚିନ୍ତାଜନକ । NCRB ରିପୋର୍ଟ କହୁଛି ପ୍ରତି ୧ ଲକ୍ଷ ଲୋକରେ ବର୍ଷକୁ ୩ ଜଣ ହତ୍ୟାର ଶିକାର ହେଉଛନ୍ତି । ୨୦୨୨ରେ ରୁଜୁ ୧,୩୭୯ଟି ହତ୍ୟା ମାମଲାରେ ୧, ୪୦୨ ଜଣଙ୍କ ମୃତ୍ୟୁ ହୋଇଛି । ତା’ଭିତରୁ କେବଳ ଯୌତୁକ ଜନିତ ୨୬୩ଟି ମାମଲା ରହିଛି । ଅନେକ ହତ୍ୟା ମାମଲାରେ ପେଷାଦାର ଅପରାଧୀଙ୍କ ଅପେକ୍ଷା ସାଧାରଣ ଲୋକଙ୍କ ବେଶୀ ସଂପୃକ୍ତି ସାମ୍ନାକୁ ଆସୁଥିବାରୁ ବଢ଼ିଛି ଚିନ୍ତା ।

ସାମାନ୍ୟ ଘଟଣାରେ ବି ହେଉଛି ପ୍ରାଣଘାତୀ ଆକ୍ରମଣ । ସଦ୍ୟ ଘଟଣା ଦେଖିବାକୁ ମିଳିଥିଲା ନବରଙ୍ଗପୁରରେ । ଗତ ସପ୍ତାହରେ ମୈଦଲପୁର ଥାନା ଗୁଜମାପଦର ଗାଁରେ ପତ୍ନୀସହ କଳହରୁ ନିଜର ୨ବର୍ଷର ଶିଶୁପୁତ୍ରକୁ ଛୁରି ଭୁସି ନିର୍ଦ୍ଦୟ ବାପା ହତ୍ୟା କରିଥିଲା ବାପା । ପ୍ରତିବାଦ କରିବାରୁ ପଡ଼ୋଶୀ ବୃଦ୍ଧାଙ୍କୁ ବି ହତ୍ୟା କରିବାକୁ ପଛାଇନଥିଲା ଅଭିଯୁକ୍ତ । ତେବେ ଏଠି ପ୍ରଶ୍ନ- କାହିଁକି ବୃଦ୍ଧି ପାଉଛି ଏଭଳି ଭୟଙ୍କର ଟ୍ରେଣ୍ଡ ? ସାମାନ୍ୟ ଘଟଣାରେ କାହିଁକି ଉଗ୍ର ହୋଇଯାଉଛି ମଣିଷ ? ଶିଶୁ ଅଧିକାର କର୍ମୀ କହିଛନ୍ତି ଏଥି ପାଇଁ ଲୋଡ଼ା କେବଳ ମାନସିକତାରେ ପରିବର୍ତ୍ତନ ।

ତେବେ ଅତି ଉଦବେଗଜନକ ସ୍ଥିତି ସୃଷ୍ଟି କରିଛି ଦେଶରେ ହୁ ହୁ ବର୍ଦ୍ଧିତ ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ । ଗତବର୍ଷ ତୁଳନାରେ ସାଇବର ଅପରାଧ ୨୪.୪%, ଅର୍ଥନୈତିକ ୧୧.୧ % ଓ ଦୁର୍ନୀତି ୧୦.୫% ବଢ଼ିଛି । ସାଇବର ଠକ ନୂଆ ନୂଆ ଢଙ୍ଗରେ ସାଧାରଣ ଲୋକଙ୍କୁ ଶିକାର କରୁଥିବାରୁ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଏକ୍ସପର୍ଟ ।