• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୁରକ୍ଷାକର୍ମୀଙ୍କ ପାଇଁ ଫାଶ ବସିଥିଲା, ହେଲେ ପଡ଼ିଗଲେ ସାମ୍ବାଦିକ । କଳାହାଣ୍ଡି କର୍ଲାଖୁଣ୍ଟାରେ ମାଓବାଦୀଙ୍କ ବ୍ୟାନର, ପୋଷ୍ଟର ସମ୍ପର୍କରେ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ପ୍ରାଣହାନୀ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୃତ ସାମ୍ବାଦିକଙ୍କ ନାଁ ରୋହିତ ବିଶ୍ୱାଳ, ସେ ଏକ ପ୍ରମୁଖ ଦୈନିକ ଖବରକାଗଜରେ କାମ କରୁଥିବାର ସୂଚନା ମିଳିଛି । ମୃତଦେହ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ତନାଘନା ଆରମ୍ଭ ହୋଇଛି । ଘଟଣାକୁ ଓଡ଼ିଶା ସାମ୍ବାଦିକ ସଂଘ ଅତ୍ୟନ୍ତ ଦୁଃଖଦ ବୋଲି ବର୍ଣ୍ଣନା କରିବା ସହ ରୋହିତଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସରକାରଙ୍କ ନିକଟରେ ଦାବି ରଖିଛି ।

ଖବର ସଂଗ୍ରହ ପାଇଁ ଯାଇ ଖବର ପାଲଟିଗଲେ ସାମ୍ବାଦିକ। ଲାଲବାହିନୀର ଲ୍ୟାଣ୍ଡମାଇନ୍ ବ୍ଲାଷ୍ଟରେ ଆଖି ବୁଜିଲେ ଖବରଦାତା । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରେ । ଦିନ ପ୍ରାୟ ସାଢ଼େ ୧୧ଟା ଏମ୍. ରାମପୁର ଥାନା କର୍ଲାଖୁଣ୍ଟା ଦୁଲେନ ବ୍ରିଜ ପାଖରେ ମାଓବାଦୀ ଲଗାଇଥିବା ପୋଷ୍ଟର ଓ ବ୍ୟାନର ସମ୍ପର୍କରେ ଖବର ସଂଗ୍ରହ ଏକ ପ୍ରମୁଖ ଦୈନିକ ଓଡିଆ ସମ୍ବାଦପତ୍ରର ସ୍ଥାନୀୟ ରିପୋର୍ଟର ପାଇଁ ଯାଇଥିଲେ । ରୋହିତ ବିଶ୍ୱାଳ ମୋଟର ସାଇକେଲରେ ଆସି ପୋଷ୍ଟର ପଢ଼ିବାକୁ ଗଛ ପାଖକୁ ଯାଇଥିଲେ ।

ପୋଷ୍ଟରରେ ଛୋଟ ଛୋଟ ଅକ୍ଷରରେ କଣ ସବୁ ଲେଖାଅଛି ତାହା ପଢ଼ିବାକୁ ଓ ଫଟୋ ଉଠାଇବାକୁ ଗଛର ଅତି ନିକଟତର ହେବାବେଳେ ପୂର୍ବରୁ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ଉପରେ ଗୋଡ଼ ପଡ଼ିଯାଇଥିଲା । ଆଖି ପିଛୁଳାକେ ଘଟିଥିଲା ବିସ୍ଫୋରଣ । କ୍ଷତବିକ୍ଷତ ହୋଇ ଛିଟିକି ପଡିଥିଲେ ରୋହିତ । ଗଛରେ ଲାଗିଥିବା ପୋଷ୍ଟରରେ ସିପିଆଇ ମାଓବାଦୀ କେକେବିଏନ୍ ଡିଭିଜନାଲ କମିଟି ଲେଖାଥିଲା, ଯେଉଁଥିରେ ନିର୍ବାଚନ ବର୍ଜନ ଲାଗି ଲୋକଙ୍କୁ ଆହ୍ୱାନ ଦିଆଯାଇଛି ।

 

ଏଥିସହ ସିଆରପିଏଫ୍ ଓ ବିଏସଏଫ୍ କ୍ୟାମ୍ପ ସଂପୃକ୍ତ ଅଞ୍ଚଳରୁ ଉଠାଇ ନିଆଯିବାକୁ ଦାବି କରାଯାଇଛି । ଏଣେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକ ରୋହିତଙ୍କ ଗାଁ ଓ ଘରେ ସୃଷ୍ଟି ହୋଇଛି ଅତ୍ୟନ୍ତ ଶୋକାକୁଳ ପରିବେଶ । ମୃତ ରୋହିତଙ୍କ ଭାଇ ଅଭିଯୋଗ କରିଛନ୍ତି-ଲ୍ୟାଣ୍ଡମାଇନ୍ ଖଞ୍ଜାଯାଇଥିବା ସମ୍ପର୍କରେ ପୋଲିସକୁ ବହୁ ଆଗରୁ ସୂଚନା ଦିଆଯାଇଥିଲେ ବି ପୋଲିସ ଏହାକୁ ନିଷ୍କ୍ରିୟ କରିବାରେ ବିଳମ୍ବ କରିବାରୁ ତାଙ୍କ ଭାଇଙ୍କ ମୃତ୍ୟୁ ଘଟିଲା । ସେପଟେ କଳାହାଣ୍ଡି ଏସ୍ପି ଶ୍ରବଣ ବିବେକ ଏମ୍ କହିଛନ୍ତି ଯେ SOP ଅନୁଯାୟୀ ନିଆଯାଉଛି ପଦକ୍ଷେପ ନିଆଯାଉଛି ।

ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ, ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ କାହିଁକି ହେଲା ବ୍ଲାଷ୍ଟ? କାହିଁକି ସେଠି ଖଞ୍ଜା ଯାଇଥିଲା ଲ୍ୟାଣ୍ଡମାଇନ୍ ? ବିଶେଷଜ୍ଞଙ୍କ ମତରେ ଯେହେତୁ ପୋଷ୍ଟର ଲାଗିଥିବା ସ୍ଥାନକୁ ସୁରକ୍ଷାକର୍ମୀମାନେ ଯାଆନ୍ତି ଓ ପୋଷ୍ଟର ଚିରିବା ସହ ବ୍ୟାନର ଖୋଲିଥାନ୍ତି, ତେଣୁ ସେମାନଙ୍କୁ ଟାର୍ଗେଟ୍ କରି ଲାଲବାହିନୀ ଲ୍ୟାଣ୍ଡମାଇନ୍ ଖଞ୍ଜିଥାଇ ପାରନ୍ତି । ଯେହେତୁ ଏଭଳି ଘଟଣା ଆଗରୁ କେବେ ଘଟିନାହିଁ, ତେଣୁ ଜଣେ ସାମ୍ବାଦିକ ହିସାବରେ ରୋହିତ ବିଶ୍ୱାଳ ପୋଷ୍ଟର ଲାଗିଥିବା ଗଛର ଅତି ନିକଟକୁ ଯାଇ ଖବର ସଂଗ୍ରହ କରିବାବେଳେ ସୁରକ୍ଷାକର୍ମୀଙ୍କ ପାଇଁ ମାଓବାଦୀ ଲଗାଇଥିବା ମୃତ୍ୟୁଫାଶରେ ପଡ଼ିଗଲେ ।

ରାଜ୍ୟ ସାମ୍ବାଦିକ ସଂଘ ଏଭଳି ଘଟଣାକୁ ଅତି ଦୁଃଖଦ ବୋଲି ବର୍ଣ୍ଣନା କରିବା ସହ ରୋହିତଙ୍କ ପରିବାରକୁ ଯଥେଷ୍ଟ ସହାୟତା ପ୍ରଦାନ ପାଇଁ ସରକାରଙ୍କ ପାଖରେ ଦାବି ରଖିଛି । ତାସହ ମାଓବାଦୀଙ୍କ ଉପସ୍ଥିତି କମୁଥିବା ନେଇ ସରକାର ଯାହା କହୁଛନ୍ତି, ତାହା ଆଦୌ ଠିକ୍ ନୁହେଁ ବୋଲି କହିଛନ୍ତି ।

ସାମ୍ବାଦିକ ହୁଅନ୍ତୁ କି ସାଧାରଣ ଲୋକ ଏମାନେ ବି ଲାଲବାହିନୀଙ୍କ ଶିକାର ହେବା ନୂଆ ନୁହେଁ । ୨୦୧୦ ନଭେମ୍ବର ୨୭ରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ନିକଟରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉ଼ଡିଥିଲା ଏକ ଆମ୍ବୁଲାନ୍ସ, ଯେଉଁଥିରେ ୫ ନିରୀହ ଲୋକଙ୍କ ପ୍ରାଣ ଚାଲି ଯାଇଥିଲା । ଯାହାଙ୍କ ମଧ୍ୟରେ ଥିଲେ ୨ ମହିଳାଙ୍କ ସମେତ ଜଣେ ୩ବର୍ଷର ଶିଶୁ ମଧ୍ୟ ଥିଲେ । ୩୦ ଅକ୍ଟୋବର ୨୦୧୮ ଛତିଶଗଡ଼ ଦାନ୍ତେଓ୍ୱାଡାରେ ମାଓବାଦୀଙ୍କ ଗୁଳିରେ ଟଳି ପଡ଼ିଥିଲେ ଦୂରଦର୍ଶନରେ କାର୍ଯ୍ୟରତ ବଲାଙ୍ଗିର ଘୁଷୁରାମୁଣ୍ଡାର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ । ନିର୍ବାଚନ ଖବର ସଂଗ୍ରହ ପାଇଁ ପ୍ରାୟ ୪୦ଜଣ ଜଓ୍ୱାନଙ୍କ ସହ ଯାଇଥିବା ଡିଡିନ୍ୟୁଜ୍ ଟିମ୍‌ରେ ଥିଲେ ଅଚ୍ୟୁତାନନ୍ଦ ।

ରିପୋର୍ଟର- ଭବାନୀପାଟଣାରୁ ରାଜକୁମାର ସିଂଦେଓଙ୍କ ସହ ବଲାଙ୍ଗିରରୁ ମନୋରଞ୍ଜନ ଯୋଶୀ