• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଲେଜ ଦୁଲୁକୁଛି ନୂଆ ଓଡ଼ିଶା କାର୍ଯ୍ୟକ୍ରମରେ । ଆଉ ତା ସହ କଲେଜଗୁଡିକରେ ଦୁର୍ନୀତିର ଛିଟା ବି ଧୀରେ ଧୀରେ ଗଭୀର ହେବାରେ ଲାଗିଛି । କାରଣ ଉଚ୍ଚଶିକ୍ଷା ବିଭାଗ ପାଖରେ ଏବେ କଲେଜରେ ଦୁର୍ନୀତି ନେଇ ଫର୍ଦ୍ଦ ଫର୍ଦ୍ଦ ଅଭିଯୋଗ । ଏପରିକି କ୍ୟାଂପସରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ବି ହୋଇଛି । ଯାହାକୁ ନେଇ ବିଭାଗ ଉଦବେଗ ପ୍ରକାଶ କରିବା ସହ ଅଭିଯୋଗର ସତ୍ୟାସତ୍ୟ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି ।

କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ ! ଅଭିଯୋଗ ପହଞ୍ଚିଲା ଉଚ୍ଚଶିକ୍ଷା ବିଭାଗ ପାଖରେ । ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସରକାର । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନସ କଲେଜରୁ । ରାତି ସମୟରେ କଲେଜରେ ସେକ୍ସ ରାକେଟ ଚାଲୁଥିବା ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

ଉଚ୍ଚଶିକ୍ଷା ବିଭାଗ ଦେଇଥିବା ନିର୍ଦ୍ଦେଶ ଚିଠିର ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ ଗତ ଦୁଇ ବର୍ଷ ହେବ ଏଭଳି କାରବାର କ୍ୟାମ୍ପସରେ ଚାଲୁଛି । ଖାଲି ସେତିକି ନୁହେଁ କଲେଜରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବି ଅଭିଯୋଗ ହୋଇଛି । ଶିକ୍ଷାର ମନ୍ଦିରରୁ ସାଂଘାତିକ ଅଭିଯୋଗ ଆସିବା ପରେ ପ୍ରକାଶ ପାଇଛି ତତ୍ପରତା । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ପାଇବା ପରେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ଅଧିକାରୀ ଫିଜିକାଲ ଭେରିଫିକେସନ ଓ ପିଲାଙ୍କ ସହ ଆଲୋଚନା କରି ବିଭାଗକୁ ରିପୋର୍ଟ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅନ୍ୟପଟେ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ସବୁ ତଦନ୍ତକୁ ସ୍ୱାଗତ କରିବେ ବୋଲି କଲେଜ ଅଧ୍ୟକ୍ଷା କହିଛନ୍ତି ।

କେବଳ ଗଞ୍ଜାମ ନୁହେଁ ସାରା ରାଜ୍ୟରୁ ଅଧ୍ୟାପକଙ୍କ ବିରୋଧରେ ଏବେ ମାଳ ମାଳ ଅଭିଯୋଗ ଉଚ୍ଚଶିକ୍ଷା ବିଭାଗ ପାଖରେ ପହଞ୍ଚିଛି । ଯାହା ଉପରେ ତଦନ୍ତ କରିବାକୁ ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର ଜୋନର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ବିଭାଗ ନିର୍ଦ୍ଦେଶ ଦେଇଛି । କେଉଁଠି ଖେଳ ସାମଗ୍ରୀ କିଣାରେ ଦୁର୍ନୀତି ତ ଆଉ କେଉଁଠି ପିଲାଙ୍କ ଟେବୁଲ ଚେୟାର କିଣାରେ ଅର୍ଥ ହେରଫେର ଭଳି ଅସଂଖ୍ୟ ଅଭିଯୋଗ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଦୁର୍ନୀତି ସହ କେତେବେଳେ କଲେଜ ଅଧ୍ୟକ୍ଷ ତ ଆଉ କେତେବେଳେ ଅଧ୍ୟାପକଙ୍କ ସମ୍ପୃକ୍ତି ଅଭିଯୋଗ । ବିଭିନ୍ନ ସୂତ୍ରରୁ ଅଭିଯୋଗ ଆସିବା ପରେ ସ୍ବଚ୍ଛତା ପାଇଁ ବିଭାଗ ଏବେ ତନାଘନା ଆରମ୍ଭ କରିଛି । ସେପଟେ କଲେଜ କ୍ୟାମ୍ପସରେ ଦୁର୍ନୀତିର ଲମ୍ବା ତାଲିକାକୁ ନେଇ ଶିକ୍ଷାବିତ ଚିନ୍ତାପ୍ରକଟ କରିଛନ୍ତି ।

ଗୋଟିଏ ପଟେ କଲେଜରେ ନୂଆ ଓଡିଶା କାର୍ଯ୍ୟକ୍ରମ ଚାଲୁଛି ଆଉ ଠିକ୍ ତାସହ ତାଳ ଦେଇ ଦୁର୍ନୀତିର ଚିଠା ବି ଲମ୍ବୁଛି । ଏଭଳି ସ୍ଥଳେ ବିଭାଗ ପାଖକୁ ଆସିଥିବା ଅଭିଯୋଗ ଗୁଡିକର କେତେ ନିରପେକ୍ଷତାର ସହ ତଦନ୍ତ ହେଉଛି ତାକୁ ଅପେକ୍ଷା ।

  • Reported by:
  • ASHOK BRAHMA , JAGDISH DAS , Manoj Muni