• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ସନ୍ଦେହ ଘେରରେ ନିଶା ନିବାରଣ କେନ୍ଦ୍ର । ନିଶା ଛଡ଼ାଇବା ପାଇଁ ସେଠାକୁ ଯାଉଥିବା ବ୍ୟକ୍ତିମାନଙ୍କ ସହ କିଭଳି ବ୍ୟବହାର ହେଉଛି, ସେଠାରେ କୌଣସି ନିର୍ଯାତନା ଦିଆଯାଉଛି କି, ତାକୁ ନେଇ ଉଠିଛି ପ୍ରଶ୍ନ । ମଦନିଶା ଛାଡ଼ିବାକୁ ଏଭଳି ଏକ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଭୁବନେଶ୍ୱର ଉପକଣ୍ଠ ଡୁମଡୁମାର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ପରେ, ତାଙ୍କୁ ମାଡ଼ ମରାଯାଇଥିବା ଏବଂ ହତ୍ୟା କରାଯାଇଥିବା ଅଭିଯୋଗ ଉଠିଛି । ଥାନାରେ ଏନେଇ ଅପମୃତ୍ୟୁ ମାମଲା ବି ହୋଇଛି । ଆଉ ତେଣେ ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଏକପ୍ରକାର ଉଜୁଡ଼ି ଯାଇଛି ମୃତକ ରାଜୀବ ଶ୍ରୀଚନ୍ଦନଙ୍କ ପରିବାର ।

ସପ୍ତାହେ ତଳେ ପୁଅ ଯାଇଥିଲା ନିଶା ଛାଡ଼ିବାକୁ । ପୁଅ ତ ଫେରିଲାନି, ଆସିଲା ତାର ମୃତ୍ୟୁ ଖବର । ବାହୁନି ବାହୁନି କାନ୍ଦୁଛି ରୋଗିଣା ମାଆ । ସମ୍ଭାଳିବା ସ୍ଥିତିରେ ନାହାନ୍ତି ଶତାୟୁ ଜେଜେମା । ମୃତକ ରାଜୀବ ଶ୍ରୀଚନ୍ଦନ ଖାଲି ଏଘରର ଏକମାତ୍ର ପୁଅ ନଥିଲେ, ବାପା ଓ ବଡ଼ଭାଇଙ୍କ ଦେହାନ୍ତ ପରେ ସେ ଥିଲେ ଏ ପରିବାରର ଏକମାତ୍ର ରୋଜଗାରିଆ, ଶଯ୍ୟାଶାୟୀ ମାଆ ଓ ଜେଜେମାଙ୍କ ଗୋଟିଏ ବୋଲି ସାହାରା ।

ହେଲେ ବିଡ଼ମ୍ବନା, ମଦ ନିଶା ନୁହେଁ, ପ୍ରାଣ ଛଡ଼ାଇନେଲା ନିଶା ନିବାରଣ କେନ୍ଦ୍ର । ଏଭଳି ଅଭିଯୋଗ କରିଛନ୍ତି ରାଜୀବଙ୍କ ବନ୍ଧୁ ଓ ସଂପର୍କୀୟ । ଅଭିଯୋଗ ଅନୁସାରେ, ଅର୍ଥ ବିଭାଗରେ ସେକ୍ସନ ଅଫିସର୍ ଥିବା ୩୬ ବର୍ଷୀୟ ରାଜୀବ ଶ୍ରୀଚନ୍ଦନ, ଗତ ୮ ଦିନ ତଳେ ଜଣେ ବନ୍ଧୁଙ୍କ ସହାୟତାରେ ଏହି ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ହେଲେ ଗତରାତିରେ ଖବର ଆସିଲା ଯେ ସେ ଅଚେତ ହୋଇଯାଇଛନ୍ତି । ଆଉ ତାଙ୍କ ସଂପର୍କୀୟମାନେ କ୍ୟାପିଟାଲ୍ ହସ୍ପିଟାଲରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ରାଜୀବଙ୍କ ଶରୀରରେ ବିଭିନ୍ନ ସନ୍ଦେହଜନକ ଦାଗ ଥିବା ଦେଖି, ତାଙ୍କୁ ନିଶାନିବାରଣ କେନ୍ଦ୍ରରେ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ନିଶା ନିବାରଣ କେନ୍ଦ୍ର ନିଷ୍ଠାର ନିଷ୍ଠା କେତେ ତାକୁ ନେଇ ଉପୁଜିଛି ସନ୍ଦେହ । ନିଷ୍ଠା ନାଁରେ ଏଠି ନିଷ୍ଠୁରତା ଚାଲୁନଥିଲା ତ ? ସତରେ କଣ ମାଡ଼ ଖାଇ ପ୍ରାଣ ହରାଇଛନ୍ତି ରାଜୀବ ଶ୍ରୀଚନ୍ଦନ ?

ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଥିବା ବେଳେ, ରାଜୀବ ଆଲ୍‌କହଲିକ୍ ଥିଲେ, ତାଙ୍କୁ ଭ୍ରମ ହେଉଥିଲା ଏବଂ ତାଙ୍କର ପୁରୁଣା ଯକୃତ ସମସ୍ୟା ଥିଲା ବୋଲି କୁହାଯାଇଛି । କେନ୍ଦ୍ରର କର୍ମଚାରୀ କହିଛନ୍ତି, ଗତକାଲି ସେ ଅଚେତ ହୋଇଯିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେଣେ ଖଣ୍ଡଗିରି ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ, ପୋଲିସ ନିଶା ନିବାରଣ କେନ୍ଦ୍ରର ସିସିଟିଭି ହାର୍ଡଡିସ୍କ ଜବତ କରିବା ସହିତ ସେଠାକାର କିଛି କର୍ମଚାରୀ ଓ ଅନ୍ତେବାସୀଙ୍କୁ ପଚରାଉଚରା କରିଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

ଆଗରୁ ବି ନିଶା ନିବାରଣ କେନ୍ଦ୍ରରୁ ନିର୍ଯାତନା ଅଭିଯୋଗ ଆସିଛି, ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ମାମଲା ବି ରୁଜୁ ହୋଇଛି । ତେବେ ଏଭଳି ଘଟଣା ଉପରେ କେବେ ଲାଗିବ ରୋକ୍ ? ସେଠାରେ ଗାଇଡ୍‌ଲାଇନ୍ ପାଳନ ହେଉଛି କି ନାହିଁ, ତାର ତଦାରଖ ପାଇଁ ଉତ୍ତରଦାୟୀ କିଏ ?