• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜଣେ ମହିଳା ହୋମଗାର୍ଡଙ୍କୁ ଘରୋଇ କାମରେ ନିୟୋଜିତ କରି ନିର୍ଯାତନା ଦେବା ଅଭିଯୋଗ ମହଙ୍ଗା ପଡିଛି ଉତ୍ତର କେନ୍ଦ୍ରାଂଚଳ ଡିଆଇଜି ବ୍ରିଜେଶ ରାୟଙ୍କୁ । ଅଭିଯୋଗ ପରେ ତୁରନ୍ତ ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ସେପଟେ ଘଟଣା ନେଇ NHRCରେ ଏତଲା ଦିଆଯାଇଥିବା ବେଳେ ରାଜ୍ୟ ମାନବାଧିକାର କମିଶନ ମଧ୍ୟ ନିଜ ଆଡୁ ମାମଲା ରୁଜୁ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାରି ଭିତରେ ଅଭିଯୋଗ ଆଣିଥିବା ମହିଳା ହୋମଗାର୍ଡ ନିଜର ଦୁଇଟି ଗୋଡ ହରାଇ ନ୍ୟାୟ ଅପେକ୍ଷାରେ ଅଛନ୍ତି ।

ମହଙ୍ଗା ପଡ଼ିଲା ମହିଳା ହୋମଗାର୍ଡଙ୍କ ନିର୍ଯାତନା ଅଭିଯୋଗ । ଉତ୍ତର କେନ୍ଦ୍ରାଞ୍ଚଳ DIG ବ୍ରିଜେଶ ରାଏଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଜଣେ ମହିଳା ହୋମଗାର୍ଡଙ୍କୁ ଘରୋଇ କାମରେ ନିଯୁକ୍ତ କରିବା ଏବଂ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ ମହଙ୍ଗା ପଡିଛି ଉତ୍ତର କେନ୍ଦ୍ରାଂଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ।

ଡିଆଇଜିଙ୍କ ପତ୍ନୀ ଆୟୁଷୀ ରାୟଙ୍କ ନାଁରେ ସଂପୃକ୍ତ ମହିଳା ହୋମଗାର୍ଡ ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ଡିଆଇଜିଙ୍କ ଉପରେ ତୁରନ୍ତ ହୋଇଛି  କାର୍ଯ୍ୟାନୁଷ୍ଠାନ । ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତାଙ୍କୁ ପୋଲିସ ହେଡ୍ କ୍ୱାର୍ଟରକୁ ବଦଳି କରାଯାଇଛି ।

ଡିଆଇଜିଙ୍କ ପତ୍ନୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିବା ୪୭ ବର୍ଷୀୟ ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁ । ହସପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସୈରିନ୍ଦ୍ରୀ । ତାଙ୍କର ଦୁଇଟି ଗୋଡ଼ କଟିଯାଇଛି । ଜୀବନ ହାରିବାକୁ ଟ୍ରେନ ଆଗକୁ ଡେଇଁ ପଡିଥିଲେ ସୈରିନ୍ଦ୍ରୀ । ସୌଭାଗ୍ୟବସତଃ ଜୀବନ ବଂଚିଗଲା, ହେଲେ ସବୁ ଦିନ ପାଇଁ ଦିବ୍ୟାଙ୍ଗ ପାଲଟିଗଲେ ।

ସୈରିନ୍ଦ୍ରୀଙ୍କ ସଙ୍ଗୀନ ଅଭିଯୋଗ ହେଉଛି, ଡିଆଇଜି ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ । ଘରେ ଡିଆଇଜିଙ୍କ ଦୁଇ ପିଲାଙ୍କ ସବୁ କାମ କରାଉଥିଲେ । ଏଥିସହ ଲୁଗା ସଫା କରିବା, ବାଥରୁମ୍ ଧୋଇବା ଏବଂ ବାସନ ଧୋଇବା ସହ ଘରର ସମସ୍ତ କାମ କରିବାକୁ ବାଧ୍ୟ କରୁଥିଲେ ।

କେବଳ ସେତିକି ନୁହେଁ, ଡିଆଇଜିଙ୍କ ପତ୍ନୀ ନିଇତି ମାଲିସ କରିବାକୁ କହୁଥିଲେ ଏବଂ ନକଲେ ମାଡ଼ ମାରିବା ସହ ଚାକିରିରୁ ବିଦା କରିବାକୁ ଧମକ ବି ଦେଉଥିବା ଅଭିଯୋଗ କରିଛନ୍ତି ମହିଳା ହୋମଗାର୍ଡ । ଏଥିରେ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଡିଆଇଜି ବ୍ରିଜେଶ ରାଏଙ୍କ ପତ୍ନୀଙ୍କ ନିର୍ଯାତନା ସଂପର୍କରେ ଗତ ୧୩ ତାରିଖରେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ସୈରିନ୍ଦ୍ରୀ । ଏଥିସହ ଅଭିଯୋଗର ନକଲ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, 5T ସଚିବଙ୍କ ସହ ଅନ୍ୟମାନଙ୍କୁ ପଠାଇଛନ୍ତି ।

ତେବେ ନିର୍ଯାତନା ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି ଡିଆଇଜି ବ୍ରିଜେଶ କୁମାର ରାୟ । କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନଥିଲେ ବି  ଓଟିଭିକୁ କହିଛନ୍ତି ଯେ, ମହିଳା ହୋମଗାର୍ଡଙ୍କୁ କୌଣସି ନିର୍ଯାତନା ଦିଆଯାଇନାହିଁ । ତାଙ୍କୁ ଏନେଇ କେହି ପ୍ରବର୍ତ୍ତାଇ ଥିବା ଡିଆଇଜି କହିଛନ୍ତି । ସେପଟେ  ଘଟଣାରେ ଜାତୀୟ ମାନବାଧିକାର କମିଶନରେ ଏତଲା ଦାୟର ହୋଇଛି । ମାନବାଧିକାର କର୍ମ ଜୟନ୍ତ ଦାସଙ୍କ ପକ୍ଷରୁ NHRCରେ ଏତଲା ଦିଆଯାଇଥିବା ବେଳେ ଡିଆଇଜି ଓ ତାଙ୍କ ପତ୍ନୀଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ କରାଯାଇଛି ।

ଏପଟେ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ଘଟଣାର ତଦନ୍ତ କରି ସେପଟେମ୍ବର ୧୫ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ଦାସ ଗତ ୧୯ ବର୍ଷ ହେଲା ଅନୁଗୁଳ ଜିଲ୍ଲାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ତେବେ ୭ ମାସ ତଳେ ନୂଆ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ଘରେ ତାଙ୍କୁ ନିୟୋଜିତ କରାଯାଇଥିଲା ।