ପ୍ରଥମେ ହତ୍ୟା କଲେ। ପ୍ରମାଣ ନଷ୍ଟ କରିବାକୁ ଯାଇ ସୁଟକେସ୍ରେ ମୃତଦେହ ଭର୍ତ୍ତି କରି ପୋଲ ତଳେ ଫିଙ୍ଗିଦେଲେ। ପୋଲିସ କବଳରୁ ବଞ୍ଚିବା ପାଇଁ କାର୍ ବିକି ଦେବା ସହ ମୋବାଇଲ୍ ଅଫ କରି ଦେଇଥିଲେ। ଏପରି ନାଟକୀୟ ଢଙ୍ଗରେ ହତ୍ୟାକାଣ୍ଡ ଘଟାଇଥିବା ଓଡ଼ିଆ ଦମ୍ପତିଙ୍କୁ ବାନ୍ଧିଛି ବେଙ୍ଗାଲୁରୁ ପୋଲିସ। ପୁଅର କେୟାର ଟେକର ଭାବେ ଥିବା ୧୫ବର୍ଷୀୟା ନାବାଳିକାକୁ ହତ୍ୟା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି।
ଗିରଫ ଦମ୍ପତି ହେଲେ ଅବିନାଶ ସାହୁ ଓ ତାଙ୍କ ପତ୍ନୀ ଅଶ୍ୱିନ ପାଟିଲ। ଉଭୟ ବେଙ୍ଗାଲୁରୁ ନିକଟ ବଙ୍ଗଳାପାଲ୍ଲେରେ ଥିବା ଏକ ଆଇଟି କମ୍ପାନୀରେ କାମ କରୁଥିଲେ। ମଙ୍ଗଳବାର ସେମାନଙ୍କ ପାଞ୍ଚ ବର୍ଷର ପୁଅର ଯତ୍ନ ନେଉଥିବା ୧୫ ବର୍ଷର ବାଳିକାକୁ ହତ୍ୟା ଅଭିଯୋଗରେ ପୋଲିସ ଏହି ଦମ୍ପତିଙ୍କୁ ଗିରଫ କରିଛି। ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ସାଲେମ ଜିଲ୍ଲାର ସାଙ୍କାରୀ ନିକଟରେ ଥିବା ଏକ ବ୍ରିଜ ତଳେ ପକାଇ ଦେଇଥିଲେ।
ପୋଲିସର ସୂଚନା ଅନୁଯାୟୀ, ସେପ୍ଟେମ୍ୱର ୨୭ରେ ଏହି ହତ୍ୟାକାଣ୍ଡ ଘଟିଥିଲା। ରାଜସ୍ଥାନର ସୁମାଇନା ନାମକ ନାବାଳିକା ସେମାନଙ୍କ ପୁଅର କେୟାର ଟେକର ଭାବରେ କାମ କରୁଥିଲା। ଘଟଣା ଦିନ ସୁମାଇନା ପୁଅର ଖାଦ୍ୟ ଖାଇଥିବା ଅଭିଯୋଗରେ ପତ୍ନୀ ଅଶ୍ୱିନ ତାଙ୍କୁ ପ୍ରବଳ ମାଡ ମାରିଥିଲେ। ଏପରିକି ବେଲଣା କାଠିରେ ତା ମୁଣ୍ଡକୁ ମାଡ ମାରି ଲହୁଲୁହାଣ କରିଥିଲେ। ତାକୁ ଡାକ୍ତରଖାନା ନେବା ପରିବର୍ତ୍ତେ ଘରେ ବନ୍ଦ କରି ରଖିଥିଲେ। ପରଦିନ ଝିଅଟିର ମୃତ୍ୟୁ ହୋଇଯାଇଥିଲା।
Also Read
ଏଥିରେ ଭୟଭୀତ ହୋଇ ଦମ୍ପତି ସୁଟକେସ୍ କିଣି ସେଥିରେ ମୃତଦେହକୁ ଲୁଚାଇ ରଖିଥିଲେ। ସେପ୍ଟେମ୍ବର ୨୯ରେ ବ୍ରିଜ ତଳେ ପଡ଼ିଥିବା ଏକ ପରିତ୍ୟକ୍ତ ସୁଟକେସ ବିଷୟରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରି ଘଟଣାର ପର୍ଦ୍ଦାଫାସ କରିଥିଲା।
ଡିଏସପିଙ୍କ ସୂଚନା ଅନୁସାରେ, ସେପ୍ଟେମ୍ବର ୨୭ରେ ବେଙ୍ଗାଲୁରୁର ଏକ ଦୋକାନରୁ ଜଣେ ବ୍ୟକ୍ତି ଏହି ସୁଟକେସକୁ କିଣିଥିଲେ। ସନ୍ଦିଗ୍ଧ ବ୍ୟକ୍ତି ବେଙ୍ଗାଲୁରୁର ବୋଲି ନିଶ୍ଚିତ କରିବା ପରେ ପୋଲିସ ହୋସୁର ଏବଂ ସଙ୍କରି ମଧ୍ୟରେ ଥିବା ସମସ୍ତ ଟୋଲ୍ ଗୋଟରୁ ସିସିଟିଭି ଫୁଟେଜ୍ ସ୍କାନ୍ କରି ସଙ୍କରି ପାର ହୋଇ ନ ଥିବା ଏକ କାର ଠାବ କରିଥିଲେ। କାରର ମାଲିକଙ୍କ ସହ ଯୋଗାଯୋଗ କରିବା ପରେ ପୋଲିସ ଜାଣିବାକୁ ପାଇଲା ଯେ ବେଙ୍ଗାଲୁରୁର ଏକ ଦମ୍ପତି ତାଙ୍କୁ ୧୦ ଦିନ ପୂର୍ବରୁ କାର ବିକ୍ରି କରିଥିଲେ।
ଅଧିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଦମ୍ପତି ବଙ୍ଗନାପାଲରେ ଥିବା ଏକ ଆଇଟି ଫାର୍ମରେ ଚାକିରି କରନ୍ତି। ଆଇଟି କମ୍ପାନୀରୁ ପୋଲିସ ଏହି ଦମ୍ପତିଙ୍କ ବିଷୟରେ ସୂଚନା ପାଇଥିଲା। ପୋଲିସ ସେମାନଙ୍କ ସହ ଯୋଗାଯୋଗ କରିବା ବେଳକୁ ସେମାନଙ୍କ ଫୋନ୍ ମଧ୍ୟ ବନ୍ଦ ଥିଲା। ପୋଲିସ ଟିମ୍ ଓଡିଶା ଆସି ମଙ୍ଗଳବାର ଦିନ ଏହି ଦମ୍ପତିଙ୍କୁ ଗିରଫ କରିଛି। ବୁଧବାର ଅଶ୍ୱିନ ଏବଂ ଅବିନାଶଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି।