Odia album artist Ruchismita Guru found dead under mysterious circumstances
ରହସ୍ୟ ଘେରରେ ବଲାଙ୍ଗିର ରେ ଯୁବ ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁ। ଗତକାଲି ରାତିରେ ରହସ୍ୟଜନକ ଭାବେ ବଲାଙ୍ଗିର ଜିଲ୍ଲା ସୁଦପଡ଼ାର ଏକ ଘରୁ ରୁଚିସ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ଉଦ୍ଧାର କରି ପୋଲିସ୍ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି। ଏହା ଆତ୍ମହତ୍ୟା ନା ଆଉ କିଛି ସେନେଇ ବଲାଙ୍ଗିର ଟାଉନ ପୋଲିସ୍ ତନାଘନା ଆରମ୍ଭ କରିଛି।
କେଉଁ କାରଣ ପାଇଁ ରୁଚିସ୍ମିତା ଏଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ନି। ହେଲେ ଏହାରି ଭିତରେ ଅନେକ କଥା ସାମ୍ନାକୁ ଆସିଛି। ଆଳୁ ପରଟା ତିଆରିକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେଇ ଘଟଣାରୁ ହିଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି। ଏହା ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ରୁଚିସ୍ମିତାଙ୍କ ମା’ କହିଥିବା ବେଳେ ରୁଚିସ୍ମିତା ଡିପ୍ରେସନରେ ଥିଲେ ବୋଲି ତାଙ୍କ ବାପା କହିଛନ୍ତି।
ରୁଚିସ୍ମିତାଙ୍କ ମା’ଙ୍କ କହିବା ଅନୁସାରେ, ଆଳୁ ପରଟା ତିଆରି କରିବା ନେଇ ଝିଅ ସହ ବଚସା ହୋଇଥିଲା। ଖାଇବା ତୁରନ୍ତ କରିବା ପାଇଁ ଝିଅକୁ କହିଥିଲି। ହେଲେ ଝିଅ ବିଳମ୍ବରେ କରିବା କହିବାରୁ ଯୁକ୍ତିତର୍କ ହୋଇଥିଲା। ଫଳରେ ଏଥିରେ ରାଗିଯାଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ମା’ କହିଛନ୍ତି। ସେପଟେ ରୁଚିସ୍ମିତାଙ୍କ ବାପା କହିଛନ୍ତି, ‘ରୁଚିସ୍ମିତା ପୂର୍ବରୁ ଡିପ୍ରେସନରେ ଥିଲେ। ଏଥିପାଇଁ ସେ ସେ ଚିକିତ୍ସା ମଧ୍ୟ ହେଉଥିଲେ। ହେଲେ ଏହି ଡିପ୍ରେସନ ଲାଗି ରହିଥିଲା। କରୋନା ସମୟରେ ପ୍ରୋଗ୍ରାମ କରିପାରୁ ନଥିବାରୁ ସେ ଚିନ୍ତାରେ ଥିଲେ। ଏବେ ଧୀରେ ଧୀରେ ରୁଚିସ୍ମିତା ପ୍ରୋଗ୍ରାମ ସବୁ କରୁଥିଲେ। ପ୍ରୋଗ୍ରାମ ନକରିଲେ କିମ୍ବା ଗୀତ ନବୋଲିଳେ ମଝିରେ ମଝିରେ ସେ ଡିପ୍ରେସନକୁ ଚାଲି ଯାଏ ବୋଲି ରୁଚିସ୍ମିତାଙ୍କ ବାପା କହିଛନ୍ତି।
ସୂଚନାଥାଉ କି, ରୁଚିସ୍ମିତା କିଛି ଆଲବମରେ ଅଭିନୟ କରିବା ସହ ଭକ୍ତି ସଙ୍ଗୀତ କଣ୍ଠଶିଳ୍ପୀ ଭାବେ ମଧ୍ୟ ପରିଚୟ ସୃଷ୍ଟି କରିଥିଲେ। ସେ ବିଭିନ୍ନ ଷ୍ଟେଜ ଶୋ’ ମଧ୍ୟ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1679888883.jpg)