• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୨୦୨୩ରେ ଓଡ଼ିଶା ପୋଲିସ୍ ପାଇଁ ଚ୍ୟାଲେଞ୍ଜ୍ ହେବ କି ସାଇବର ଅପରାଧ ? ରାଜ୍ୟରେ ଗଲା କିଛି ବର୍ଷ ଧରି ବଢୁଥିବା ସାଇବର କ୍ରାଇମକୁ ନେଇ ବଢ଼ିଛି ରାଜ୍ୟବାସୀଙ୍କ ଚିନ୍ତା । ଓଡ଼ିଶା ପୋଲିସର ତଥ୍ୟ କହୁଛି, ଗଲା ୩ ବର୍ଷରେ ସାଇବର ଲୁଟେରା ସାଢ଼େ ୫ ହଜାରରୁ ଅଧିକ ଅପରାଧ ଘଟାଇ ପାଖାପାଖି ୧୦୦ କୋଟି ଟଙ୍କା ଠକି ନେଇଛନ୍ତି । ଉଦବେଗର ବିଷୟ, ମାତ୍ର ୧ ପ୍ରତିଶତ ମାମଲାରେ ପୋଲିସକୁ ସଫଳତା ମିଳିଛି । ଆଉ ଆଗକୁ ଏ ସମସ୍ୟା ଆହୁରି ଗମ୍ଭୀର ହେବାକୁ ଯାଉଥିବାରୁ ତାକୁ ମୁକାବିଲା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି ପୋଲିସ ବିଭାଗ । ସେପଟେ ସାଇବର ଠକେଇର ମୁକାବିଲା ପାଇଁ ଜନସଚେତନତା ହିଁ ସବୁଠୁ ବଡ଼ ଅସ୍ତ୍ର ବୋଲି କହିଛନ୍ତି ସାଇବର ଏକ୍ସପର୍ଟ... ।

୨୦୧୯-୨୦ରେ ୧ ହଜାର ୪୭୫

୨୦୨୦-୨୧ରେ ୧ ହଜାର ୯୩୧

୨୦୨୨-୨୨ରେ ୨ ହଜାର ୩୭

ରାଜ୍ୟରେ ସାଇବର କ୍ରାଇମର ଏ ଉପର ମୁହାଁ ଟ୍ରେଣ୍ଡ୍ ପରେ ଚିନ୍ତାରେ ଓଡ଼ିଶା ପୋଲିସ । ରାଜ୍ୟ ପୋଲିସର ତଥ୍ୟ କହୁଛି ,ଗତ ୩ ବର୍ଷରେ ଅନଲାଇନ୍ ଠକ ବିଭିନ୍ନ ଉପାୟରେ ବିଛାଇଥିବା ଜାଲରେ ପଡିଛନ୍ତି ୫ ହଜାର ୪୪୩ ଜଣ ପୋଲିସ । ନିକଟରେ ଏତେ ସଂଖ୍ୟାରେ ମାମଲା ପଞ୍ଜୀକୃତ ହୋଇଥିଲେ ବି ବାସ୍ତବ ସଂଖ୍ୟା ୟା ଠାରୁ ଆହୁରି ଅଧିକ ହୋଇଥିବା ଅନୁମାନ କରାଯାଉଛି । ରାଜ୍ୟ ପୋଲିସ ନିକଟରେ ପଞ୍ଜୀକୃତ ମାମଲା ଅନୁସାରେ ଗଲା ୩ ବର୍ଷରେ ପ୍ରାୟ ସାଢ଼େ ୫ ହଜାର ସାଇବର ଅପରାଧ ମାମଲା ସଂଘଟିତ ହୋଇଛି । ଏହା ଜରିଆରେ ୯୧ କୋଟି ୬୫ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ସାଇବର ଲୁଟେରା । ଆଉ ପୋଲିସ ଏ ଠକେଇ ରାଶି ଭିତରୁ ମାତ୍ର ୧ କୋଟି ୩୭ ଲକ୍ଷ ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଛି । ସଫଳତାର ଏ ନଗଣ୍ୟତା ଲୋକଙ୍କ ମନରେ ଭୟ ବଢାଉଥିବାରୁ ଓଡ଼ିଶା ପୋଲିସ ପାଇଁ ସୃଷ୍ଟି କରିଛି ନୂଆ ଚ୍ୟାଲେଞ୍ଜ୍ ।

ଏପଟେ ସାଇବର ଏକ୍ସପର୍ଟଙ୍କ ମତରେ ଆମ ଦେଶରେ ପ୍ରତି ୧୦ ସେକେଣ୍ଡରେ ଘଟୁଛି ଗୋଟିଏ ସାଇବର ଠକେଇ । ସମାନୁପାତରେ ଓଡ଼ିଶାରେ ବି ବଢି ଚାଲିଛି । ଏ ଧରଣର ଅପରାଧ ସାଇବର ଅପରାଧୀମାନେ ଦୈନିକ ନୂଆ ନୂଆ ତରିକାରେ ଠକେଇ କରୁଥିବାରୁ ଏହାକୁ ରୋକିବାକୁ ଅପରାଧ ପରେ ନୁହେଁ, ବରଂ ପୂର୍ବରୁ ପୋଲିସ ପାଖରେ ସୂଚନା ପହଞ୍ଚିବା ଆବଶ୍ୟକ ବୋଲି କହିଛନ୍ତି ସାଇବର ଏକ୍ସପର୍ଟ । ସେମାନଙ୍କ ମତରେ ସାଇବର ଠକ ଦେଉଥିବା ଲୋଭନୀୟ ଅଫର ସମ୍ପର୍କରେ ଆଗୁଆ ପୋଲିସକୁ ଜଣାଇବାକୁ ଏକ ହେଲପ୍ ଲାଇନ୍ ନମ୍ବର କାର୍ଯ୍ୟକାରୀ ହେବା ଦରକାର... ।

ୟା ଭିତରେ ନିଯୁକ୍ତି ଆଶାୟୀଙ୍କୁ ଚୂନ ଲଗାଇ ଅନଲାଇନରେ ଟଙ୍କା ଲୁଟୁଥିବା ଦେଶର ସବୁଠୁ ବଡ଼ ସାଇବର ଫ୍ରଡ୍ ମାମଲାର ମୁଖ୍ୟ ଅଭିଯୁକ୍ତ ଉତ୍ତର ପ୍ରଦେଶର ଆଲିଗଡ଼ର ଜାଫର ମହମ୍ମଦକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ୍ EOW । ଜାଫର ୫୦ ହଜାରରୁ ଅଧିକ ଚାକିରି ଆଶାୟୀଙ୍କଠୁ କୋଟିଏ ଟଙ୍କା ଠକିଥିବାରୁ ତା ଅପରାଧ ନେଟଓ୍ୱର୍କର ରହସ୍ୟ ଭେଦ ପାଇଁ ଯୋଜନା କରୁଛି ଓଡ଼ିଶା ପୋଲିସ୍ ।