• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ଅନଲାଇନ୍‌ରେ ମୁଖ୍ୟତଃ ୩ ପ୍ରକାରର ଠକେଇ ଅଧିକ ହେଉଛି । OLXରେ ଜିନିଷ ବିକ୍ରି, ନ୍ୟୁଡ୍‌ କଲ୍ ଏବଂ ବିଦ୍ୟୁତ ବିଲ୍ ପୈଠ ନାଁରେ ଠକେଇ । ଏଥିରୁ ସବୁଠୁ ଅଧିକ ହେଉଛି ନ୍ୟୁଡ୍‌ କଲ୍ ଠକେଇ । ତେବେ ଲୋକଲଜ୍ଜା ଭୟରେ ଅଧିକାଂଶ ପୀଡ଼ିତ ଥାନାକୁ ଆସୁନାହାନ୍ତି । ସତର୍କ ରହିବା ସହ ନ୍ୟୁଡ୍ କଲ୍ ଠକେଇର ଶିକାର ହୋଇଥିଲେ ତୁରନ୍ତ ଥାନାରେ ଏତଲା ଦେବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।

୨୦ ଜୁଲାଇ ୨୦୨୨ । ଆଇଟି ଇଂଜିନିୟରଙ୍କ ଠାରୁ ୨୪ ଲକ୍ଷ ଠକିନେଲେ ଯୁବତୀ । ୧୮ ଜୁଲାଇ, ଇଲେକ୍‌ଟ୍ରିକାଲ୍ କଂଟ୍ରାକ୍ଟରଙ୍କ ଠାରୁ ୫ ଲକ୍ଷ ଠକେଇ । ସୋସିଆଲ ମିଡିଆରେ ସମ୍ପର୍କ କରି ଲୁଟିନେଲେ ବିଦେଶିନୀ । ସେହି ୧୮ ଜୁଲାଇରେ ପୁଣି ଜଣେ ଆଇଟି ଇଂଜିନିୟର ଠକେଇର ଶିକାର । ବ୍ୟବସାୟ ନାଁରେ ଅଢେଇ ଲକ୍ଷରୁ ଅଧିକ ଲୁଟିଲେ ଯୁବତୀ । ୧ ଅଗଷ୍ଟ, ୨୦୨୨ । ନ୍ୟୁଡ୍ କଲ୍‌ର ଶିକାର ହୋଇ ଇଂଜିନୟର ହରାଇଲେ ୨୫ ଲକ୍ଷ ଟଙ୍କା ।

ସୋସିଆଲ ମିଡିଆରେ ଯୁବତୀଙ୍କ ସହ ସମ୍ପର୍କ ହେଉ ଅବା ନ୍ୟୁଡ୍ କଲ୍, ଉଚ୍ଚଶିକ୍ଷିତ ଏବଂ ବଡ ବଡ ଚାକିରିଆ ହେଉଛନ୍ତି ସାଇବର ଠକେଇର ଶିକାର । ବ୍ଲାକମେଲିଂ କରି ଚୂନ ଲଗାଉଛନ୍ତି ସାଇବର ଲୁଟେରା । ଦିନକୁ ଦିନ ବଢିଚାଲିଛି ନ୍ୟୁଡ୍ କଲ୍ ଠକେଇ । ଲୋକଲଜ୍ଜା ଭୟରେ ଠକେଇର ଶିକାର ବ୍ୟକ୍ତି ଥାନାକୁ ଆସୁନାହାନ୍ତି । ଭୁବନେଶ୍ୱର ଡିସିପି କହିଛନ୍ତି, ନ୍ୟୁଡ୍‌ କଲ୍ ଠକେଇ ହେଲେ ତୁରନ୍ତ ସାଇବର ଥାନାକୁ ଆସନ୍ତୁ । ସେମାନଙ୍କ ପରିଚୟ ସଂପୂର୍ଣ୍ଣ ଗୋପନ ରଖାଯିବ । ତୁରନ୍ତ ଅଭିଯୋଗ କଲେ ହିଁ ଅଭିଯୁକ୍ତଙ୍କ ପାଖରେ ପହଁଚିପାରିବ ପୋଲିସ ।

ରାଜଧାନୀରେ ବେଶି ମାତିଛନ୍ତି ସାଇବର ଠକ । କେବଳ ଜୁଲାଇ ମାସରେ ପୋଲିସ ପାଖକୁ ଆସିଛି ୩୬୮ଟି ଠକେଇ କଲ୍ । ସେଥିରୁ ୧୪୮ଟି UPI ସମ୍ପର୍କିତ ଫ୍ରଡ୍, କ୍ରେଡିଟ୍ ଓ ଡେବିଟ୍ କାର୍ଡ ଠକେଇ ୭୧ଟି ଏବଂ ୧୦୨ଟି ସୋସିଆଲ ମି଼ଡିଆ ସମ୍ପର୍କିତ କେସ୍ । ଗତ ୭ ମାସରେ ୭ କୋଟିି ୭୯ ଲକ୍ଷ ୮୩ ହଜାର ଟଙ୍କାର ସାଇବର ଠକେଇ ହୋଇଛି । ଏଥିରୁ ମାତ୍ର ୭୦ ଲକ୍ଷ ଟଙ୍କା ଫେରସ୍ତ ହୋଇଥିବା ବେଳେ ୬୧ ଲକ୍ଷ ଟଙ୍କା ବ୍ଲକ୍ କରାଯାଇଛି ।

 

ରାଜ୍ୟରେ କିଛି ଦିନ ତଳେ ନୂଆ କରି ୧୪ଟି ସାଇବର ଥାନା ପ୍ରତିଷ୍ଠା ହୋଇଛି । ସେତେବେଳେ କୁହାଗଲା, ଏଣିକି ମାସ ମାସ ଧରି ମାମଲା ପଡିକି ରହିବନି ଶୀଘ୍ର ହେବ ସାଇବର ଅଭିଯୋଗର ସମାଧାନ । ହେଲେ ଏସବୁ ଯେମିତି କେବଳ କାଗଜପତ୍ରରେ ସୀମିତ ।

ବିଧାନସଭାରେ ଉପସ୍ଥାପିତ ଶ୍ୱେତପତ୍ରର ତଥ୍ୟ ଅନୁସାରେ ୨୦୨୧ରେ ମୋଟ ୨ ହଜାର ୩୭ଟି ମାମଲା ପଞ୍ଜୀକରଣ ହୋଇଥିଲା । ତାମଧ୍ୟରୁ ମାତ୍ର ୩୦୭ଟିରେ ଚାର୍ଜସିଟ୍ ଦାଖଲ ହୋଇଛି । ଏବେବି ୧୫୦୨ଟି ମାମଲା ତଦନ୍ତାଧୀନ ରହିଛି । ସାଇବର ଅପରାଧରେ ୫୪୨ ଜଣ ସଂପୃକ୍ତ ଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରୁ ୪୨୫ଜଣଙ୍କୁ ଗିରଫ କରାଯାଇଛି ।