Bhubaneswar Crime
ପୁଣି ଭୁବନେଶ୍ବରରେ ଏନକାଉଣ୍ଟର୍ । ନିଶା ବେପାରୀକୁ ଗୁଳି । ଧଳା ଜହର କାରବାର କରୁଥିବା କୁଖ୍ୟାତ ଅପରାଧୀ ଶେଖ୍ ଜାମସେଦକୁ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ । ଜାମସେଦ ଗୋଡ଼ରେ ଦୁଇଟି ଗୁଳି ବାଜିଥିବାବେଳେ ତାକୁ ଗିରଫ କରି ଏମ୍ସରେ ଭର୍ତ୍ତି କରିଛି ପୋଲିସ । ଏପଟେ ୩ ମାସରେ ୫ ଜଣଙ୍କୁ ଏନକାଉଣ୍ଟର କରି ଅପରାଧୀଙ୍କୁ କଡ଼ା ଚେତାବନୀ ଦେଇଛି କମିଶନରେଟ୍ ପୋଲିସ ।
ପୁଣି ଥରେ ଗର୍ଜିଲା ପୋଲିସ ବନ୍ଧୁକ, ଫୁଟିଲା ଗୁଳି । ଏଥର ଘାଇଲା ହେଲା ନିଶା ବେପାରୀ । ସମୟ ରାତି ପ୍ରାୟ ୩ଟା । ସ୍ପେଶାଲ କ୍ରାଇମ ୟୁନିଟ ପାଖରେ ପହଞ୍ଚିଥିଲା ଖବର । ଦୀର୍ଘ ମାସେ ହେଲା ଶେଖ ଜାମସେଦକୁ ଧରିବା ପାଇଁ ପୂରା ଟିମ ଜାଲ ବିଛାଇଥିବା ବେଳେ ଧରାପଡ଼ିଥିଲା ଶିକାର । ବ୍ୟାଗରେ ବ୍ରାଉନସୁଗାର ଧରି ଖଣ୍ଡଗିରି ପାହାଡ଼ ତଳ ସ୍ଥାନରେ ଡିଲ୍ ପାଇଁ ଛିଡା ହୋଇଥିଲା ଜାମସେଦ୍, ଏତିକିବେଳେ ଅତର୍କିତ ଚଢାଉ କଲା କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ । ପୋଲିସକୁ ଦେଖି ହଡବଡେଇ ଯାଇଥିଲା ଜାମସେଦ । ଖସି ପଳାଇବା ପାଇଁ ଉଦ୍ୟମ କରିଥିଲା ଏବଂ ପୋଲିସକୁ ଅଟକାଇବାକୁ ଚଳାଇଥିଲା ଗୁଳି। ପାଲଟା ଜବାବରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା ପୋଲିସ୍ । ଦୁଇଟିଜାକ ଗୁଳି ଗୋଡ଼ରେ ବାଜିବା ପରେ ଆହତ ହୋଇଥିଲା ଜାମସେଦ୍ । ତାକୁ ଗିରଫ କରି ଏମ୍ସରେ ଭର୍ତ୍ତି କରିଛି ପୋଲିସ । ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ, ଗୋଟିଏ ବାଇକ୍, ଏକ ବ୍ୟାଗରୁ ୨ ପ୍ୟାକେଟ୍ ବ୍ରାଉନସୁଗାର ସହ ସହ ୪ଟି ଖୋକା ଜବତ ହୋଇଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ କରିଛି ଛାନବିନ । ଜାମସେଦ୍ ନାଁରେ ଏକାଧିକ ଥାନାରେ ମାମଲା ରହିଥିବାବେଳେ ପଶ୍ଚିମଙ୍ଗ ହୋଇ ନେପାଳ ସହ ତାର ନେଟୱର୍କ ଥିବା ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ: ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ; ୨ ଗିରଫ
ଅପରାଧ ଓ ଅପରାଧୀଙ୍କୁ ପୋଲିସର କଡ଼ାଚେତାବନୀ । ଗତ ୩ ମାସରେ ୫ ଜଣଙ୍କୁ ଏନକାଉଣ୍ଟର କଲାଣି କମିଶନରେଟ୍ ପୋଲିସ ଫେବୃଆରୀ ୧୬- କୁଖ୍ୟାତ ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ଗୁଳି । ମାର୍ଚ୍ଚ ୮ ରାତି ୩ଟା- ଏଟିଏମ ଲୁଟେରା ଦୀପକ କୁମାରକୁ ଏନକାଉଣ୍ଟର । ଏପ୍ରିଲ ୩- ଚେନ୍ ଲୁଟେରା ସୋନୁ ଯାଦବ ଓ ମନୀଷ ଯାଦବଙ୍କୁ ବଡ଼ବଡ଼ ଥାନା ଅଞ୍ଚଳରେ ଏନକାଉଣ୍ଟର କରିଥିଲା ସ୍ପେଶାଲ ସ୍କ୍ୱାର୍ଡ । ଏଭଳି ଗୋଟିଏ ପରେ ଗୋଟିଏ ଏନକାଉଣ୍ଟର ସହ ଅପରାଧୀଙ୍କ ପ୍ରତି ଜିରୋ ଟଲରାନ୍ସ ନୀତି ଦେଖାଇଦେଇଛି ପୋଲିସ ।
ଗତ ୧୫ ଦିନରେ ୧୩ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ୱର ୟୁପିଡ଼ି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ୩୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ପୂର୍ବରୁ ଶିକ୍ଷାନୁଷ୍ଠାନ ପାଖରେ ଥିବା ନିଶା ବେପାରରେ ଲଗାମ ଲଗାଇବା ପାଇଁ ଚଢ଼ାଉ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ଆଗକୁ ମଧ୍ୟ ନିଶା ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯିବ ବୋଲି କହିଛନ୍ତି କମିଶନର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744394934.jpg)